Naxal: ଝିରମଘାଟି ନରସଂହାର: ୧୦ ନକ୍ସଲ ଦୋଷୀ ସାବ୍ୟସ୍ତ
୨୦୧୩ରେ ମାଲକାନଗିରି ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲାରେ ଘଟିଥିବା ବହୁଚର୍ଚ୍ଚିତ ଝିରମଘାଟି ନରସଂହାର ମାମଲାର ରାୟ ପ୍ରକାଶ ପାଇଛି। ଏନ୍ଆଇଏର ସ୍ୱତନ୍ତ୍ର ଅଦାଲତରେ ଅଭିଯୁକ୍ତ ୧୦ ନକ୍ସଲ ଦୋଷୀ ସାବ୍ୟସ୍ତ ହୋଇଛନ୍ତି।

ମାଲକାନଗିରି: ୨୦୧୩ରେ ମାଲକାନଗିରି ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲାରେ ଘଟିଥିବା ବହୁଚର୍ଚ୍ଚିତ ଝିରମଘାଟି ନରସଂହାର ମାମଲାର ରାୟ ପ୍ରକାଶ ପାଇଛି। ଏନ୍ଆଇଏର ସ୍ୱତନ୍ତ୍ର ଅଦାଲତରେ ଅଭିଯୁକ୍ତ ୧୦ ନକ୍ସଲ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ସେମାନେ ହେଲେ ପ୍ରମିଳା ମଡିୟମ, ଚଇତୁ ଲେକାମ ଓରଫ ମୁନା, ସୁମିତ୍ରା ପୁନେମ, ମୁକା ମାଣ୍ଡବି, କୋସା କାବାସୀ, ଆୟତା ମାଡକମ, ମାଜରାମୀ ଦେବା, ଜଗା ମାଡକାମୀ, ବଞ୍ଜାମୀ ସନା ଓରଫ ଚାମରୁ ଏବଂ ମହାଦେବ ନାଗ। ସେପ୍ଟେମ୍ବର ୧୬ ତାରିଖରେ ଦଣ୍ଡ ଘୋଷଣା ପାଇଁ ତାରିଖ ଧାର୍ଯ୍ୟ ହୋଇଛି।
ସେପ୍ଟେମ୍ବର ୧୬ରେ ଦଣ୍ଡ ଘୋଷଣା
ପୂର୍ବତନ କେନ୍ଦ୍ରମନ୍ତ୍ରୀଙ୍କ ସମେତ ନିହତ ହୋଇଥିଲେ ୩୧
ଜଗଦଲପୁରସ୍ଥିତ ଏନ୍ଆଇଏ ସ୍ୱତନ୍ତ୍ର ଅଦାଲତରେ ଦୀର୍ଘ ୧୩ ବର୍ଷ ଧରି ମାମଲାର ଶୁଣାଣି ଚାଲିଥିବାବେଳେ ଅଗଷ୍ଟ ୧୨ରେ ଶେଷ ଶୁଣାଣି ହୋଇଥିଲା। ୨୦୧୩ ମେ’ ୨୫ରେ ମାଓବାଦୀମାନେ ବଡ଼ଧରଣର ନରସଂହାର ଘଟାଇଥିଲେ। ଛତିଶଗଡ଼ ବିଧାନସଭା ନିର୍ବାଚନ ଲାଗି ସୁକମାରେ କଂଗ୍ରେସର ପରିବର୍ତ୍ତନ ଯାତ୍ରା ଥିଲା। ଏହି ସଭାରୁ ଫେରୁଥିବା ବେଳେ ଝିରମଘାଟିର ଘଞ୍ଚ ଜଙ୍ଗଲରେ ନକ୍ସଲମାନେ କଂଗ୍ରେସ ନେତାଙ୍କ ଉପରେ ଆକ୍ରମଣ କରିଥିଲେ। ଏହି ଭୟଙ୍କର ଆକ୍ରମଣରେ କଂଗ୍ରେସର ବହୁ ବରିଷ୍ଠ ନେତାଙ୍କ ସମେତ ୩୧ ଜଣଙ୍କର ମୃତ୍ୟୁ ହୋଇଥିଲା। ମୃତକଙ୍କ ମଧ୍ୟରେ ଛତିଶଗଡ଼ର ତତ୍କାଳୀନ କଂଗ୍ରେସ ସଭାପତି ନନ୍ଦକୁମାର ପଟେଲ, ତାଙ୍କ ପୁଅ ଦୀନେଶ ପଟେଲ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ବିଦ୍ୟାଚରଣ ଶୁକ୍ଳ, କଂଗ୍ରେସର ବରିଷ୍ଠ ନେତା ତଥା ସଲୱା ଜୁଡୁମ୍ର ପ୍ରମୁଖ ଚେହେରା ମହେନ୍ଦ୍ର କର୍ମା, ପୂର୍ବତନ ବିଧାୟକ ଉଦୟ ମୁଦଲିଆ ପ୍ରମୁଖ ଥିଲେ। ଆକ୍ରମଣରେ ଅନେକ ସୁରକ୍ଷାକର୍ମୀ ଓ କଂଗ୍ରେସ କର୍ମୀ ମଧ୍ୟ ପ୍ରାଣ ହରାଇଥିଲେ। ଗୁଳିବିଦ୍ଧ ବିଦ୍ୟାଚରଣ ଶୁକ୍ଳାଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା। ଏହି ମାମଲାରେ ଏନ୍ଆଇଏ ୨୦୧୪ ସେପ୍ଟେମ୍ବର ୨୫ରେ ପ୍ରଥମ ଚାର୍ଜସିଟ୍ ଦାଖଲ କରିଥିଲା। ଏଥିରେ ୧୧ ଅଭିଯୁକ୍ତଙ୍କ ନାମ ଥିଲା। ଏମାନଙ୍କ ମଧ୍ୟରୁ ଜଣକର ମୃତ୍ୟୁ ହୋଇଥିବା ବେଳେ ଆଉ ୧୦ ନକ୍ସଲ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଏହି ମାମଲାକୁ ନେଇ ୨୦୧୫ ସେପ୍ଟେମ୍ବର ୨୮ରେ ୩୫ ଜଣ ଅଭିଯୁକ୍ତଙ୍କ ବିରୋଧରେ ସପ୍ଲିମେଣ୍ଟାରି ଚାର୍ଜସିଟ୍ ଦାଖଲ ହୋଇଥିଲା।
ସୌଜନ୍ୟ ସମ୍ବାଦ




