NEET Paper leak: ନିଟ୍ ପେପର ଲିକ୍ ମାମଲାରେ ସମ୍ପୃକ୍ତି ଅଭିଯୋଗରେ ଗୁରୁଗ୍ରାମରୁ ଛାତ୍ର ଗିରଫ

ଗୁରୁଗ୍ରାମ: ଉତ୍ତରାଖଣ୍ଡର ଏକ ଆୟୁର୍ବେଦିକ କଲେଜରେ ପାଠ ପଢ଼ୁଥିବା ଆୟୁର୍ବେଦ, ମେଡିସିନ୍ ଓ ସର୍ଜରୀ (ବିଏଏମ୍ଏସ୍)ର ପ୍ରଥମ ବର୍ଷର ଛାତ୍ରଙ୍କୁ ରାଜସ୍ଥାନ ପୁଲିସ ଗୁରୁଗ୍ରାମର ଫାରୁଖନଗରରୁ ଅଟକ ରଖିଛି। ବୁଧବାର ପୁଲିସ କହିଛି ଯେ, ନିଟ୍-ୟୁଜି ୨୦୨୬ ପ୍ରଶ୍ନପତ୍ର ପ୍ରଘଟ କରିଥିବା ପ୍ରମୁଖ ସୂତ୍ରଧରଙ୍କ ମଧ୍ୟରୁ ସେ ଅନ୍ୟତମ ବୋଲି ସନ୍ଦେହ କରାଯାଉଛି।

ପୁଲିସ କହିଛି ଯେ, ସେ ମହାରାଷ୍ଟ୍ରର ନାସିକରୁ ଆସିଥିବା ଅନ୍ୟ ଜଣେ ବିଏଏମ୍ଏସ୍ ଛାତ୍ରଙ୍କଠାରୁ ୧୫ ଲକ୍ଷ ଟଙ୍କାରେ ଏହାକୁ କିଣିଥିଲେ। ନାସିକ ସନ୍ଦିଗ୍ଧ ଜଣକ ଭୋପାଳର ଏକ କଲେଜରେ ପଢୁଥିବା ତୃତୀୟ ବର୍ଷର ଛାତ୍ର, ଯିଏ ୧୦ ଲକ୍ଷ ଟଙ୍କାରେ ପ୍ରଶ୍ନ ଲିକ୍ କରିଥିଲେ। ଫାରୁଖନଗର ଛାତ୍ରଙ୍କ ମାଧ୍ୟମରେ ହିଁ ଲିକ୍ ହୋଇଥିବା ପ୍ରଶ୍ନଗୁଡ଼ିକ ରାଜସ୍ଥାନ ସିକରର ଛାତ୍ରମାନଙ୍କ ନିକଟରେ ପହଞ୍ଚିଥିଲା। ଗୁରୁଗ୍ରାମ ପୁଲିସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଫାରୁଖନଗର ଛାତ୍ର ପୂର୍ବରୁ ରାଜସ୍ଥାନର ସିକରରେ ରହୁଥିଲେ ଏବଂ ଡାକ୍ତରୀ ପ୍ରବେଶିକା ପରୀକ୍ଷା ପ୍ରସ୍ତୁତି ପାଇଁ ସେଠାରେ ଏକ କୋଚିଂ ଇନଷ୍ଟିଚ୍ୟୁଟରେ ବହୁ ସମୟ ଅଧ୍ୟୟନ କରିଥିଲେ। ସେ ଏବେ ବି ସିକରର ଅନେକ ଛାତ୍ର ଓ କୋଚିଂ ଇନଷ୍ଟିଚ୍ୟୁଟ୍ ସହ ଯୋଗାଯୋଗରେ ଥିଲେ ଏବଂ ବୋଧହୁଏ ଲିକ୍ ହୋଇଥିବା ପ୍ରଶ୍ନପତ୍ର ସେମାନଙ୍କୁ ପ୍ରଦାନ କରିଥିଲେ। ଗୁରୁଗ୍ରାମ ପୁଲିସ ଅଧିକାରୀ କହିଛନ୍ତି ଯେ, ରାଜସ୍ଥାନ ପୁଲିସର ସ୍ପେଶାଲ ଅପରେସନ୍ ଗ୍ରୁପ୍ (ଏସ୍ଓଜି)ର ଏକ ଟିମ୍ ସୋମବାର ରାତିରେ ଖୁରମ୍ପୁରରେ ପହଞ୍ଚିଥିଲେ ଏବଂ ପ୍ରଶ୍ନପତ୍ର ଲିକ୍ ଘଟଣାରେ ସମ୍ପୃକ୍ତି ସନ୍ଦେହରେ ସନ୍ଦିଗ୍ଧଙ୍କୁ ପଚରାଉଚରା ପାଇଁ ହେପାଜତକୁ ନେଇଥିଲେ।

 

 

 

 

ସୌଜନ୍ୟ ସମ୍ବାଦ