ଦେଶ ବିଦେଶ

Nepal Flood: ନେପାଳ-ଚୀନ୍ ସୀମାରେ ଧ୍ୱଂସଲୀଳା, ୪୦ କିମି ରାସ୍ତା ଓ ୧୯ଟି ସେତୁ ଭାସିଗଲା

ପଡୋଶୀ ରାଷ୍ଟ୍ର ନେପାଳର ଉତ୍ତର ଭାଗରେ ଅବସ୍ଥିତ ରସୁୱା ଜିଲ୍ଲାରେ ଆଜି ଅଚାନକ ଆସିଥିବା ବନ୍ୟା ପ୍ରଳୟଙ୍କରୀ କ୍ଷତି ଘଟାଇଛି। ତିବ୍ଦତ ପାର୍ଶ୍ୱରୁ ଭୋଟେକୋଶୀ ନଦୀରେ ଆସିଥିବା ଏହି ଭୟାବହ ବନ୍ୟା‌ରେ ଅତିକମ୍‌ରେ ୫୫ ଜଣ ପ୍ରାଣ ହରାଇଥିବା ସ୍ପଷ୍ଟ ହୋଇଛି। ଏହାସହ ୧୩୩ ଜଣ ଭାରତୀୟଙ୍କ ସମେତ ୪୦୦ରୁ ଅଧିକ ବିଦେଶୀ ପର୍ଯ୍ୟଟକ ନିଖୋଜ ଅଛନ୍ତି।

କାଠମାଣ୍ଡୁ: ନେପାଳ ଏବଂ ଚୀନ୍ ସୀମାନ୍ତବର୍ତ୍ତୀ ଅଞ୍ଚଳରେ ପ୍ରଳୟଙ୍କରୀ ଆକସ୍ମିକ ବନ୍ୟା ଯୋଗୁଁ ବ୍ୟାପକ ପ୍ରାଣହାନି ଏବଂ ଭୟାବହ କ୍ଷୟକ୍ଷତି ଘଟିଛି। ଚୀନ୍ତିର ତିବ୍ଦତ ଏବଂ ନେପାଳକୁ ଯୋଡ଼ୁଥିବା ପ୍ରମୁଖ ଗିରୋଙ୍ଗ୍ ଲ୍ୟାଣ୍ଡ୍ ପୋର୍ଟରେ ଥିବା ଚୀନ୍ କଷ୍ଟମ୍ସ କାର୍ଯ୍ୟାଳୟର ବହୁମହଲା ଭବନଟି ବନ୍ୟାର ପ୍ରଚଣ୍ଡ ଜଳସ୍ରୋତ ଧକ୍କାରେ କିଛି ମୁହୂର୍ତ୍ତ ମଧ୍ୟରେ ଧ୍ବସ୍ତ ହୋଇଯାଇଛି। ଚୀନ୍ ଗଣମାଧ୍ୟମ ପକ୍ଷରୁ ଏହି ଦୃଶ୍ୟର ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ସେଠାରେ ଥିବା ଲୋକମାନେ ଆତ୍ମରକ୍ଷା ପାଇଁ ଦୌଡ଼ୁଥିବା ଦେଖିବାକୁ ମିଳିଛି। ସୂଚନାଯୋଗ୍ୟ, ଭାରତରୁ ମାନସରୋବର ଯାତ୍ରାରେ ଯାଉଥିବା ଶ୍ରଦ୍ଧାଳୁମାନେ ଚୀନ୍‌ରେ ପ୍ରବେଶ କରିବା ପାଇଁ ଏହି ପ୍ରମୁଖ ମାର୍ଗର ହିଁ ବ୍ୟବହାର କରିଥାନ୍ତି।

ରିପୋର୍ଟ ଅନୁଯାୟୀ, ଭୋଟେ କୋଶୀ ନଦୀର ଜଳସ୍ତର ହଠାତ୍ ଅହେତୁକ ଭାବେ ବୃଦ୍ଧି ପାଇବା ପରେ ଏହି ପ୍ରଳୟ ସୃଷ୍ଟି ହୋଇଛି। ପ୍ରଚଣ୍ଡ ଜଳପ୍ଲାବନ ଯୋଗୁଁ ସୀମାନ୍ତ ଅଞ୍ଚଳର ପ୍ରାୟ ୪୦ କିଲୋମିଟର ଦୀର୍ଘ ସଡ଼କ ସମ୍ପୂର୍ଣ୍ଣ ରୂପେ ନିଶ୍ଚିହ୍ନ ହୋଇଯାଇଛି ଏବଂ ମାର୍ଗରେ ଥିବା ୧୯ଟି ବଡ଼ ସେତୁ ବନ୍ୟା ଜଳରେ ଭାସିଯାଇଛି। ଚୀନ୍ ସୀମାନ୍ତରେ ଏହି ପ୍ରଳୟ ରଚିବା ପରେ ବନ୍ୟା ଜଳ ନେପାଳ ସୀମାର ରସୁୱା, ତିମୁରେ ସମେତ ୫ଟି ଜିଲ୍ଲାକୁ ମାଡ଼ିଚାଲିଛି। ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ୍ ଏହି ବିପର୍ଯ୍ୟୟକୁ ଅତ୍ୟନ୍ତ ସମ୍ବେଦନଶୀଳ ଦର୍ଶାଇ ପ୍ରଭାବିତ ଅଞ୍ଚଳରେ ସେନା ମାଧ୍ୟମରେ ଉଦ୍ଧାର କାର୍ଯ୍ୟକୁ ତ୍ବରାନ୍ବିତ କରିବା ପାଇଁ ଜରୁରୀ ଆଦେଶ ଦେଇଛନ୍ତି। ପାଣିପାଗ ବିଶେଷଜ୍ଞଙ୍କ ଅନୁଯାୟୀ, ଉଚ୍ଚ ହିମାଳୟ ପାର୍ଶ୍ୱରେ ଥିବା ଏକ ବିଶାଳ ଗ୍ଲେସିୟର ଓ ମାଟିର ଅଂଶ ନଦୀରେ ଖସିପଡ଼ିବା ଯୋଗୁଁ ଏହି ଆକସ୍ମିକ ବନ୍ୟା ଆସିଛି।

ରିଲିଫ୍‌ ଅପରେସନ୍‌ରେ ସାମିଲ ହେବ ବାୟୁସେନାର ସି-୧୩୦ ଜେଟ୍‌
ଭୟଙ୍କର ଆକସ୍ମିକ ବନ୍ୟାରେ ନେପାଳରେ ଅତି କମ୍‌ରେ ୯୫ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ଶତାଧିକ ଲୋକ ନିଖୋଜ ଅଛନ୍ତି। ଏଭଳି ଏକ ଜଟିଳ ସ୍ଥିତିରେ ଭାରତ ନେପାଳକୁ ରିଲିଫ୍ ସାମଗ୍ରୀ ପଠାଇବା ପାଇଁ ପ୍ରସ୍ତୁତ ହେଉଛି। ଭାରତୀୟ ବାୟୁସେନା ନେପାଳରେ ଯେକୌଣସି ଉଦ୍ଧାର ଓ ରିଲିଫ୍ ଅଭିଯାନ କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି ପ୍ରତିରକ୍ଷା ମନ୍ତ୍ରଣାଳୟ ସୂତ୍ରରୁ କୁହାଯାଇଛି। ବାୟୁସେନାର ସି-୧୭ ଓ ସି-୧୩୦ ବିମାନ ରିଲିଫ୍‌ ସାମଗ୍ରୀ, ଔଷଧ ଓ ମାଟି ଖୋଳିବା ଯନ୍ତ୍ରପାତି ସହ ନେପାଳ ଯିବା ପାଇଁ ପ୍ରସ୍ତୁତ ରଖାଯାଇଛି। ମିଳିଥିବା ସୂଚନାନୁଯାୟୀ, ସି-୧୩୦ ବିମାନ ଆଜି ନେପାଳ ଯିବ ଏବଂ ସି-୧୭ ବିମାନ ଗୁରୁବାର ଅପରାହ୍ଣରେ ରିଲିଫ୍ ଅଭିଯାନର ଅଂଶ ହେବ। ଏନ୍‌ଡିଆର୍‌ଏଫ୍‌କୁ ମଧ୍ୟ ନେପାଳରେ ଆବଶ୍ୟକ ହେଲେ ରିଲିଫ୍ ଓ ଉଦ୍ଧାର ଅଭିଯାନ ପାଇଁ ପ୍ରସ୍ତୁତ ରଖାଯାଇଛି। ନିଖୋଜ ଭାରତୀୟମାନଙ୍କ ସହାୟତା ଓ ସୂଚନା ପାଇଁ ନେପାଳସ୍ଥିତ ଭାରତୀୟ ଦୂତାବାସ ଜରୁରିକାଳୀନ ଫୋନ୍ ନମ୍ବର ଜାରି କରିଛି।

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button