Nepal flood Bihar : ନେପାଳ ବନ୍ୟାରେ ବିହାରକୁ ଭାସି ଆସିଲେ କୁଢ କୁଢ ମାଛ, ମତ୍ସ୍ୟଜୀବୀଙ୍କ ଜାଲରେ ପଡ଼ିଲେ କୁଇଣ୍ଟାଲିଆ ମାଛ

ନୂଆଦିଲ୍ଲୀ, ୩୧/୦୮ : ନେପାଳ ବନ୍ୟାରେ ଭାସି ଆସିଲେ କୁଢ କୁଢ ମାଛ । ବିହାରର ଗଣ୍ଡକ ନଦୀରେ ମାଛ ସୁନାମୀ । ମତ୍ସ୍ୟଜୀବୀଙ୍କ ଜାଲରେ ପଡ଼ିଲେ କୁଇଣ୍ଟାଲିଆ ମାଛ । ଯାହାକୁ ଧରିବ ୪୦ ରୁ ୫୦ କିଲୋ ଉପରେ । ନେପାଳର ରସୁୱା ଜିଲ୍ଲାରେ ପ୍ରଳୟଙ୍କରୀ ବନ୍ୟା ପାଣିରେ ଲୋକମାନଙ୍କର ଆସବାବପତ୍ର, ଗ୍ୟାସ୍ ସିଲିଣ୍ଡର ସମେତ ବିଶାଳକାୟ ମାଛ ବି ବିହାର ଯାଏଁ ଭାସି ଆସିଛନ୍ତି । ସୋସିଆଲ ମିଡିଆରେ ଏହି ମାଛ ଗୁଡ଼ିକର ଭିଡିଓ ଭାଇରାଲ୍ ହେଉଛି । ଜାଲରେ ପଡ଼ିଥିବା ଅଧିକାଂଶ ମାଛର ଓଜନ ୯୦ କିଲୋରୁ ଦେଢ କୁଇଣ୍ଟାଲ ପର୍ଯ୍ୟନ୍ତ ରହିଛି ।
ଗୋପାଳଗଞ୍ଜର ମଙ୍ଗଳପୁର ଘାଟ, ବାଲ୍ମିକୀନଗର, ବଗହା ଏବଂ ଆଖପାଖ ଅଞ୍ଚଳରେ ଏହି ବିରାଟକାୟ ମାଛ ମତ୍ସ୍ୟଜୀବୀଙ୍କ ଜାଲରେ ପଡୁଛନ୍ତି । ପାଣିର ପ୍ରଖର ସ୍ରୋତ ଯୋଗୁଁ ଅଧିକାଂଶ ମାଛ ମରିଯାଇଛନ୍ତି । ତେବେ ପ୍ରଶ୍ନ ଉଠୁଛି ନେପାଳରୁ ଏତେ ବଡ଼ ବଡ଼ ମାଛ ବିହାର ପର୍ଯ୍ୟନ୍ତ କେମିତି ଆସିଲେ ? ଏହାର ଉତ୍ତର ହେଲା ନେପାଳର ବନ୍ୟା ପାଣି ଭୋଟେକୋଶୀ ନଦୀରୁ ତ୍ରିଶୁଳୀ ନଦୀରେ ପହଞ୍ଚିଥିଲା । ଏହାପରେ ନାରାୟଣୀ ନଦୀ ପ୍ରଣାଳୀ ଦେଇ ଭାରତ ସୀମାରେ ପହଞ୍ଚିଥିଲା । ବାଲ୍ମୀକନଗର ପାଖରେ ଏହି ନଦୀ ଗଣ୍ଡକ ରୂପରେ ଭାରତରେ ପ୍ରବେଶ କରୁଛି । ପାଣିର ପ୍ରଖର ସ୍ରୋତରେ ନେପାଳର ପାହାଡିଆ ଅଞ୍ଚଳ, ନଦୀ ଏବଂ ଜଳଭଣ୍ଡାରରୁ ମାଛ ପ୍ରବାହିତ ହୋଇ ଏହିପରି ଭାବେ ବିହାର ଗଣ୍ଡକ ନଦୀରେ ପହଞ୍ଚିଥିଲା ।
ମତ୍ସ୍ୟଜୀବୀଙ୍କ ଜାଲରେ ଗୁନଚ କ୍ୟାଟଫିସ୍, ବଘାର, ଗ୍ରାସ୍ କାର୍ପ, ବରାଲି ଏବଂ ରୋହି ଭଳି ଟନ୍ ଟନ୍ ମାଛ ପଡୁଛନ୍ତି । ଏହି ମାଛ ଗୁଡ଼ିକର ଓଜନ ୫ କିଲୋରୁ ଦେଢ କୁଇଣ୍ଟାଲ ପର୍ଯ୍ୟନ୍ତ ରହିଛି । ଏହି ବିଶାଳ ମାଛ ଗୁଡ଼ିକର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି । ଏହାକୁ ଦେଖିବାକୁ ଲୋକମାନଙ୍କ ଭିଡ଼ ଜମୁଛି । ତେବେ ନେପାଳ ବନ୍ୟାର ପ୍ରଭାବ ଏବେ ବିହାରର ନଦୀ ଗୁଡ଼ିକରେ ଦେଖିବାକୁ ମିଳୁଛି ।
ସୌଜନ୍ୟ ପ୍ରମେୟ




