New bridge collapsed: ଭାଙ୍ଗିଲା ନୂଆ ପୋଲ: ଦଉଡ଼ି ବାନ୍ଧି ନେଲେ ମୃତଦେହ, ଭାସିଯାଉଥିବା ୩ ଜଣଙ୍କୁ ଉଦ୍ଧାର କଲେ ଗ୍ରାମବାସୀ
ଲଗାଣ ବର୍ଷାରେ ଭାଙ୍ଗିଗଲା ନୂଆ ପୋଲ। ଶବ ସତ୍କାର ପାଇଁ ଉଛୁଳା ପାଣିରେ ଦଉଡ଼ି ବାନ୍ଧି ନାଳ ପାରି ହେଲେ ଗାଁ ଲୋକେ। ଶିଳ୍ପସମୃଦ୍ଧ ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ୍ ଅନ୍ତର୍ଗତ ନୂଆହତା ଗାଁ ବାଲିସାହି ଗୋଚ୍ଛାୟତ ବସ୍ତିରୁ ଏହି ଘଟଣା ସାମ୍ନାକୁ ଆସିଛି।

ବଅଁରପାଳ: ଲଗାଣ ବର୍ଷାରେ ଭାଙ୍ଗିଗଲା ନୂଆ ପୋଲ। ଶବ ସତ୍କାର ପାଇଁ ଉଛୁଳା ପାଣିରେ ଦଉଡ଼ି ବାନ୍ଧି ନାଳ ପାରି ହେଲେ ଗାଁ ଲୋକେ। ଶିଳ୍ପସମୃଦ୍ଧ ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ୍ ଅନ୍ତର୍ଗତ ନୂଆହତା ଗାଁ ବାଲିସାହି ଗୋଚ୍ଛାୟତ ବସ୍ତିରୁ ଏହି ଘଟଣା ସାମ୍ନାକୁ ଆସିଛି। ଲଗାଣ ବର୍ଷାରେ ନୂତନ ପୋଲର ଏକ ଅଂଶ ଭାଙ୍ଗି ଯାଇଥିଲା। ଫଳରେ ଗ୍ରାମବାସୀ ଶବସତ୍କାର ପାଇଁ ଜୀବନ ବିପଦରେ ପକାଇ ପ୍ରଖର ସ୍ରୋତ ଅତିକ୍ରମ କରିଥିବା ଜଣାପଡ଼ିଛି।
ସୂଚନା ଅନୁଯାୟୀ, ବାଲିସାହି ଗୋଚ୍ଛାୟତ ବସ୍ତିର ବାସିନ୍ଦା କାଳିଆ ଗୋଚ୍ଛାୟତ କିଛିଦିନ ଧରି ଅସୁସ୍ଥ ଥିଲେ। ଗୁରୁବାର ସକାଳେ ତାଙ୍କ ମୃତ୍ୟୁ ହୋଇଥିଲା। ପରିବାର ଲୋକ ଓ ଗ୍ରାମବାସୀ ମରଶରୀରକୁ ନୂଆହତା ଜାଲଗୁଟିଆ ଶ୍ମଶାନକୁ ନେଉଥିବା ବେଳେ ରାସ୍ତାରେ ଥିବା ଜାଲଗୁଟିଆ ଜୋର ଉପରେ ଥିବା ପୋଲ ଭାଙ୍ଗି ଯାଇଥିଲା। ଶବସତ୍କାର ପାଇଁ ଯାଉଥିବା ଲୋକେ ଅଟକି ଯାଇଥିଲେ। ଅନ୍ୟ କୌଣସି ବିକଳ୍ପ ନଥିବାରୁ ଦୁଇ ପାର୍ଶ୍ୱର ଗଛରେ ଦଉଡ଼ି ବାନ୍ଧି ଗ୍ରାମବାସୀ ପାଣିଠୁ ପ୍ରାୟ ୪ ଫୁଟ୍ ଉଚ୍ଚରେ ମରଶରୀରକୁ କାନ୍ଧରେ ବୋହି ଶ୍ମଶାନ ପର୍ଯ୍ୟନ୍ତ ନେଇଥିଲେ। ଏ ସମୟରେ ପ୍ରବଳ ସ୍ରୋତରେ ଭାସି ଯାଉଥିବା ତିନି ଜଣଙ୍କୁ ଉଦ୍ଧାର କରାଯାଇଛି। ଏହି ଦୃଶ୍ୟ ସବୁ ମହଲକୁ ସ୍ତବ୍ଧ କରିଛି।
ସୌଜନ୍ୟ ସମ୍ବାଦ




