ଆଧୁନିକ ଜୀବନଶୈଳୀରେ ସୁନ୍ଦର ଓ ଯୁବ ଚର୍ମ ପାଇଁ ଲୋକମାନେ ବିଭିନ୍ନ ବ୍ୟୁଟି ଟ୍ରିଟମେଣ୍ଟ ଦିଗରେ ଆକୃଷ୍ଟ ହେଉଛନ୍ତି। ସେଥିରେ ରେଡିଓ ଫ୍ରିକ୍ୱେନ୍ସି ଫେସିଆଲ ଏକ ନୂତନ ଓ ପ୍ରଭାବଶାଳୀ ପଦ୍ଧତି ଭାବେ ପରିଚିତ ହୋଇଛି। ସର୍ଜରି ବିନା ଚର୍ମକୁ ଟାଇଟ୍ କରିବା, ଚର୍ବି କମାଇବା ଓ ପ୍ରାକୃତିକ ଉଜ୍ଜ୍ବଳ ଫେରାଇବାରେ ଏହା ବିଶେଷ ଭୂମିକା ଗ୍ରହଣ କରିଛି । ତେଣୁ ଆଜିର ଯୁଗରେ ଏହି ଚିକିତ୍ସା ମଧ୍ୟ ବହୁତ ଲୋକପ୍ରିୟ ହୋଇପାରିଛି।
ଏହି ଫେସିଆଲ ସମ୍ପର୍କରେ ସୌନ୍ଦର୍ଯ୍ୟ ବିଶାରଦ ଡା. ଦେବୀ ପୁଷ୍ପା ମହାନ୍ତି କହନ୍ତି, ରେଡିଓ ଫ୍ରିକ୍ୱେନ୍ସି ଫେସିଆଲ ହେଉଛି ଏକ ନନ୍-ସର୍ଜିକାଲ ପ୍ରକ୍ରିୟା, ଯାହାର ଉଚ୍ଚ ତରଙ୍ଗ ଶକ୍ତି ଦ୍ୱାରା ଚର୍ମର ଗଭୀର ସ୍ତରକୁ ଉତ୍ତାପ ପହଞ୍ଚାଏ। ଏହି ଉତ୍ତାପ େକାଲାଜେନ୍ ଉତ୍ପାଦନକୁ ବଢ଼ାଇ ଚର୍ମକୁ ଟାଇଟ୍ ଓ ନରମ କରିଥାଏ। ଫଳସ୍ୱରୂପ ଚର୍ମ ଅଧିକ ଯୁବ, ଆକର୍ଷଣୀୟ ଓ ପତଳା ଦେଖାଯାଏ। ଏହି ଟ୍ରିଟମେଣ୍ଟର ପ୍ରମୁଖ ଲାଭ ହେଉଛି ମୁଖର ଚର୍ବି କମେଇବା ସହ ମୁହଁରେ ନୂତନ ଉଜ୍ଜ୍ୱଳତା ଆଣିଥାଏ। ଏହା ସହିତ ପୋର୍ସ ହ୍ରାସ କରେ ଓ ଫେସ୍ରେ ଲିଫ୍ଟିଂ ଏଫେକ୍ଟ ମିଳେ।
ବିଶେଷକରି ୨୦ ବର୍ଷ ବୟସ ପରେ ଏହି ଚିକିତ୍ସା କରିବା ଚର୍ମ ଯତ୍ନ ପାଇଁ ଅଧିକ ଉପଯୋଗୀ ହୋଇଥାଏ। ପ୍ରକ୍ରିୟା ଦୃଷ୍ଟିରୁ ଦେଖିଲେ, ପ୍ରଥମେ ଚର୍ମକୁ ସଫା କରାଯାଏ, ପରେ ଏକ ବିଶେଷ ଜେଲ୍ ଲଗାଯାଇ ଆରଏଫ୍ ଡିଭାଇସ୍ ଦ୍ୱାରା ହଲୁକ ମାସାଜ୍ କରାଯାଏ। ପୂରା ପ୍ରକ୍ରିୟା ପ୍ରାୟ ୩୦ ରୁ ୪୫ ମିନିଟ୍ ମଧ୍ୟରେ ସମାପ୍ତ ହୁଏ ଓ ଏହା ବେଶୀ କଷ୍ଟ ଅନୁଭବ ହୁଏନାହିଁ। ଯଦିଓ ଏହା ସୁରକ୍ଷିତ ଚିକିତ୍ସା, ମାତ୍ର କେତେକ ମାମଲାରେ ମୁଖ ହାଲୁକା ଲାଲ ହେବା ବା ତାପ ଅନୁଭବ ହୋଇପାରେ। ଯାହା କିଛି ସମୟରେ ଠିକ୍ ହୋଇଯାଏ। ଏହି ଚିକିତ୍ସାରେ କେତୋଟି ପର୍ଯ୍ୟାୟ ପରେ ତ୍ବଚାରେ ପରିବର୍ତ୍ତନ ଦେଖାଯାଏ। ଏହି ଫେସିଆଲ ପରେ ୨୪ ଘଣ୍ଟା ପର୍ଯ୍ୟନ୍ତ ଖରାକୁ ଯିବେ ନାହିଁ। ଏହାସହ ସର୍ବଦା ମୁହଁରେ ସନ୍ସ୍କ୍ରନ୍ ଓ ମଇଶ୍ଚରାଇଜର ଲଗାନ୍ତୁ। ଆର୍ଏଫ୍ ଚିକିତ୍ସାର ଭଲ ଫଳାଫଳ ପାଇଁ ପୁଷ୍ଟିକର ଖାଦ୍ୟପେୟ, ନିୟମିତ ବ୍ୟାୟମ କରନ୍ତୁ। ଏହାସହ ଜଙ୍କ୍ ଫୁଡ୍, ମଦ୍ୟପାନ ଓ ଧୂମପାନ ଠାରୁ ଦୂରେଇ ରହିବା ଦରକାର। ଏହି ଟ୍ରିଟମେଣ୍ଟ କରାଇବା ପୂର୍ବରୁ ଜଣେ ପ୍ରଶିକ୍ଷିତ ବ୍ୟୁଟି ଏକ୍ସପର୍ଟ ବା ଡାକ୍ତରଙ୍କ ପରାମର୍ଶ ନେବା ଉଚିତ।
ସୌଜନ୍ୟ ସମ୍ବାଦ