ବାସନ୍ତିକ ନବରାତ୍ରି ହେଉ ବା ଶାରଦୀୟ ନବରାତ୍ରି- ଏହି ନଅ ଦିନରେ ଦେବୀ ଦୁର୍ଗା ନଅଟି ନାମ ଓ ନଅଟି ରୂପରେ ପୂଜିତା ହୁଅନ୍ତି। ଏହି ନବଦୁର୍ଗାଙ୍କର ନାମ ଯଥାକ୍ରମେ- ଶୈଳପୁତ୍ରୀ, ବ୍ରହ୍ମଚାରିଣୀ, ଚନ୍ଦ୍ରଘଣ୍ଟା, କୁଷ୍ମାଣ୍ଡା, ସ୍କନ୍ଦମାତା, କାତ୍ୟାୟନୀ, କାଳରାତ୍ରି, ମହାଗୌରୀ ଓ ସିଦ୍ଧିଦାତ୍ରୀ। କିନ୍ତୁ ଏହି ନଅ ଦେବୀଙ୍କର ନଅଟି ଔଷଧୀୟ ରୂପ ମଧ୍ୟ ରହିଛି। ଏହା ଆମପାଇଁ ପ୍ରଣିଧାନର ବିଷୟ। ନବଦୁର୍ଗାଙ୍କର ପ୍ରଥମ ରୂପ ‘ଶୈଳପୁତ୍ରୀ’। ଏହାଙ୍କର ଔଷଧୀୟ ରୂପ ହେଉଛି- ହରିଡ଼ା। ଏହା ତ୍ରିଫଳାର ଅନ୍ତର୍ଗତ। ଏହା ସହିତ ବାହାଡ଼ା ଓ ଅଁଳା ମିଶି ତ୍ରିଫଳା ରୂପେ ବିବେଚିତ ହୋଇଥାଏ।
ହରିଡ଼ା ମୁଖ୍ୟତଃ ସାତପ୍ରକାରର। ୧. ହରିତିକା- ଭୟନାଶକାରିଣୀ, ୨. ପଥୟା- ହିତକାରିଣୀ, ୩. କାୟସ୍ତ- ଶରୀରକଳ୍ପକାରିଣୀ, ୪. ଅମୃତା- ଅମୃତତୁଲ୍ୟା, ୫. ହେମବତୀ- ହିମାଳୟରେ ଜାତ, ୬. ଚେତକୀ- ଚିତ୍ତ ପ୍ରସନ୍ନ କାରିଣୀ ଓ ୭. ଶ୍ରେୟସୀ- କଲ୍ୟାଣକାରିଣୀ।
ନବଦୁର୍ଗାଙ୍କ ମଧ୍ୟରୁ ଦ୍ବିତୀୟ ହେଉଛନ୍ତି ବ୍ରହ୍ମଚାରିଣୀ। ଏହାଙ୍କର
ଔଷଧୀୟ ରୂପ- ବ୍ରାହ୍ମୀ। ବ୍ରାହ୍ମୀ ଆୟୁ ଓ ସ୍ମୃତିଶକ୍ତି ବୃଦ୍ଧିକାରିଣୀ। ଏହା ରକ୍ତବିକାର ନାଶ ଓ ସ୍ବରମାଧୁର୍ଯ୍ୟ ବୃଦ୍ଧି କରିଥାଏ। ଏହା ମଧ୍ୟ ମନ ଓ ମସ୍ତିଷ୍କର ଶକ୍ତି ସଂଚାରକାରିଣୀ। ନବଦୁର୍ଗାଙ୍କର ତୃତୀୟ ରୂପ- ଚନ୍ଦ୍ରଘଣ୍ଟା। ଏହାଙ୍କର ଔଷଧୀୟ ରୂପ ଚନ୍ଦୁସୂର ବା ଚମସୂର। ଏହା ଧନିଆ ପ୍ରଜାତିର ଏକ ଗୁଳ୍ମ ଏବଂ ତରକାରୀରେ ଏହାର ଉପଯୋଗ ହୋଇଥାଏ। ଏହା ପୃଥୁଳତା ବା ମେଦବହୁଳତା ଏବଂ ହୃତ୍ଯନ୍ତ୍ର ଜନିତ ରୋଗର ନିବାରକ।
ନବଦୁର୍ଗାଙ୍କର ଚତୁର୍ଥ ରୂପ- କୁଷ୍ମାଣ୍ଡା। ଏହାଙ୍କର
ଔଷଧୀୟ ରୂପ କୁଷ୍ମାଣ୍ଡ ବା ପାଣିକଖାରୁ। ଏହା ପୁଷ୍ଟିକାରକ ଓ ରକ୍ତବିକାର ଦୂରକାରୀ। ଏହା ମଧ୍ୟ ପେଟ ସଫା କରି ନିରୋଗ ରଖିଥାଏ।
ନବଦୁର୍ଗାଙ୍କର ପଞ୍ଚମ ରୂପ- ସ୍କନ୍ଦମାତା। ଏହାଙ୍କର ଔଷଧୀୟ ରୂପ- ଅଳସୀ। ଏହା ବାତ, ପିତ୍ତ ଓ କଫନାଶକ।
ନବଦୁର୍ଗାଙ୍କର ଷଷ୍ଠରୂପ- କାତ୍ୟାୟନୀ। ଏହାଙ୍କର ଔଷଧୀୟ ରୂପ- ମାଚିକା। ଏହା କଫ ଓ ପିତ୍ତ ନାଶକ ଏବଂ କଣ୍ଠରୋଗର ଔଷଧି।
ନବଦୁର୍ଗାଙ୍କର ସପ୍ତମ ରୂପ- କାଳରାତ୍ରି। ଏହାଙ୍କର ଔଷଧୀୟ ରୂପ- ନାଗଦୋନ। ଏହା ମନ ଓ ମସ୍ତିଷ୍କର ବିକାର ଦୂରକାରୀ ଏବଂ ବିଷନାଶକ। ଏହା ବ୍ୟତୀତ ଏହା ମଧ୍ୟ ମାସିକ ଋତୁକାଳୀନ ଅତ୍ୟଧିକ ସ୍ରାବର ନିରୋଧକ।
ନବଦୁର୍ଗାଙ୍କର ଅଷ୍ଟମ ରୂପ- ମହାଗୌରୀ। ଏହାଙ୍କର ଔଷଧୀୟ ରୂପ- ତୁଳସୀ। ଏହା ରକ୍ତ ବିଶୋଧକ ଏବଂ ହୃଦ୍ରୋଗ ନାଶକ। ଏହାର ଆହୁରି ଅନେକ ଉପକାରିତା ମଧ୍ୟ ରହିଛି।
ନବଦୁର୍ଗାଙ୍କର ନବମ ରୂପ- ସିଦ୍ଧିଦାତ୍ରୀ। ଏହାଙ୍କର ଔଷଧୀୟ ରୂପ- ଶତାବରୀ ବା ନାରାୟଣୀ। ଏହା ବୁଦ୍ଧି, ବଳ ଓ ବୀର୍ଯ୍ୟବର୍ଦ୍ଧକ ଏବଂ ରକ୍ତବିକାର ଓ ବାତ, ପିତ୍ତ ବିନାଶକ।
ଏହିପରି ଭାବରେ, ନବଦୁର୍ଗା ନଅ ଔଷଧୀୟ ରୂପରେ ଆମର ହିତସାଧନ କରିଥାନ୍ତି।
ସୌଜନ୍ୟ ସମ୍ବାଦ