Newborn Baby Boy Found ନବଜାତ ସନ୍ତାନକୁ ଧାନ ବିଲରେ ଫିଙ୍ଗି ଦେଇ ଚାଲିଗଲା ପ୍ରସୂତା
ଗଞ୍ଜାମ ଜିଲ୍ଲା ଭଞ୍ଜନଗର ନିକଟ ମୁଜାଗଡ଼ର ଧାନ ବିଲରୁ ଏକ ପରିତ୍ୟକ୍ତ ନବଜାତ ଶିଶୁପୁତ୍ରକୁ ଉଦ୍ଧାର କରାଯାଇଛି। ଗ୍ରାମବାସୀଙ୍କ ସହଯୋଗରେ ଶିଶୁଟିକୁ ଏସଏନସିୟୁରେ ଭର୍ତ୍ତି କରାଯାଇଥିବା ବେଳେ ଘଟଣାର ତଦନ୍ତ ଆରମ୍ଭ କରିଛି ପୁଲିସ।

ଭଞ୍ଜନଗର: ଶିଶୁକନ୍ୟା ଅଲୋଡ଼ା ବୋଲି ଶୁଣାଯାଇଥିଲା, ଏବେ ଭଞ୍ଜନଗର ମୁଜାଗଡ଼ରେ ଯେଉଁ ଘଟଣା ଘଟିଛି ସେଥିରୁ ଏହି ମଣିଷ ସମାଜ ପାଇଁ ସେ କନ୍ୟା ହେଉ କି ପୁତ୍ର ସମଗ୍ର ନବଜାତ ଏକ ପ୍ରକାର ଅଲୋଡ଼ା ହୋଇଯାଇଥିବା ଭଳି ମନେ ହେଉଛି। ୧୦ ମାସ ଧରି ଗର୍ଭରେ ଧାରଣ କରି ଜନ୍ମ କରିବା ପରେ କେହି ପ୍ରସୂତୀ ନିର୍ଦ୍ଦୟ ଭାବେ ବୁଦାମୂଳେ ନବଜାତଙ୍କୁ ଛାଡ଼ି ପଳାଇଛନ୍ତି। ସନ୍ତାନ ନିମନ୍ତେ ଏକ ମହିଳା ‘ମା’ର ଶ୍ରେଷ୍ଠ ମର୍ଯ୍ୟାଦା ପାଇଥାଏ। କିନ୍ତୁ ଏଭଳି ଛାଡ଼ିଯାଇଥିବା ମହିଳାଙ୍କୁ କ’ଣ କୁହାଯିବ ବୋଲି ସାଧାରଣରେ ତୀବ୍ର ସମାଲୋଚନା ହେଉଛି।
ସୂଚନାନୁସାରେ, ମୁଜାଗଡ଼ ଗ୍ରାମ ନିକଟ ପେଟ୍ରୋଲ ପମ୍ପ ଠାରୁ କିଛି ଦୂରରେ ବିଲରେ ଅପରାହ୍ନ ସମୟରେ ଏକ ଶିଶୁର କାନ୍ଦ ଶୁଣି ସ୍ଥାନୀୟ କିଛି ଲୋକ ସେଠାରେ ପହଞ୍ଚିଥିଲେ। ଶିଶୁପୁତ୍ରକୁ ଉଦ୍ଧାର କରି ପ୍ରଥମେ ମୁଜାଗଡ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସେଠାରେ ଏସ୍ଏନ୍ସିୟୁରେ ଭର୍ତ୍ତି କରି ଚିକିତ୍ସା ଆରମ୍ଭ ହୋଇଛି।
ଗ୍ରାମର ରାଇସର ଗୌଡ଼ ମୁଜାଗଡା ମୁଖ୍ୟ ରାସ୍ତା କଡ଼ ଜମିରେ ଗାଈ ଚରାଉଥିଲେ ଏହି ସମୟରେ ଏକ ଶିଶୁର କାନ୍ଦ ଶବ୍ଦ ଶୁଣିଥିଲେ। ପେଟ୍ରୋଲ ପମ୍ପ ନିକଟ ଏକ ବୁଦା ଶିଶୁ ଟିଏ ପଡ଼ିଥିବା ଦେଖି ନିକଟରେ ଧାନ ରୁଆ କାମ କରୁଥିବା ସେହି ଗ୍ରାମର ଲକ୍ଷ୍ମୀ ସେଠୀକୁ ଡାକିଥିଲେ। ଏହାପରେ ଲକ୍ଷ୍ମୀ ସେଠାରେ ପହଞ୍ଚିବା ପରେ ଉକ୍ତ ଶିଶୁ ଉପରେ ଏକ ଚୁନି ପଡ଼ିଥିବା ବେଳେ କାନ୍ଦୁଥିବା ଦେଖି ତୁରନ୍ତ ତାକୁ ସେଠାରୁ ଉଦ୍ଧାର କରି ଗ୍ରାମବାସୀଙ୍କ ସହାୟତାରେ ନିକଟ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ।
ସୌଜନ୍ୟ ସମ୍ବାଦ




