Music: ବସନ୍ତଙ୍କ ସିନେମାରେ ସ୍ବରୂପ ସଂଗୀତ

ଶିବଶଙ୍କର ଓଝା

୧୯୮୫ ମସିହାର କଥା। ‘ନାଗଫାସ’ ଓ ‘ଦଣ୍ଡାବାଳୁଙ୍ଗା’ର ଅଭୂତପୂର୍ବ ସଫଳତା ପରେ ପ୍ରଯୋଜକ ବସନ୍ତ ନାୟକ ନିର୍ଦ୍ଦେଶକ ପ୍ରଶାନ୍ତ ନନ୍ଦଙ୍କୁ ନେଇ ‘ପକା କମ୍ବଳ ପୋତ ଛତା’ ନିର୍ମାଣ କରୁଥାନ୍ତି। ଦିନେ ପ୍ରଶାନ୍ତ ନନ୍ଦ ଏହି ସିନେମାର ଗୀତ ରଚନା ଦାୟିତ୍ବ ସ୍ବରୂପ ନାୟକଙ୍କୁ ଦେବାକୁ ବସନ୍ତବାବୁଙ୍କୁ ପ୍ରସ୍ତାବ ଦେଲେ। ଆଉ ବସନ୍ତ ବି ରାଜି ହୋଇଗଲେ। ଏହି ସିନେମାରେ ପ୍ରଶାନ୍ତ ନନ୍ଦଙ୍କ କଣ୍ଠରେ ଏକ ଗୀତ ରେକର୍ଡିଂ କରିବାର ଇଚ୍ଛା ପୋଷଣ କରନ୍ତି ବସନ୍ତ, ଆଉ ତାଙ୍କ ମନପସନ୍ଦର ଗୀତ ‘ସତ କହି ପାଏ ପଛେ ଫାଶୀ ଲୋ ବାରମାସୀ’ ବି ଲେଖନ୍ତି ସ୍ବରୂପ। ସ୍ବରରେ ସଜାନ୍ତି ବାସୁଦେବ ରଥ।
୧୯୮୬ରେ ମୁକ୍ତିପ୍ରାପ୍ତ ‘ପକା କମ୍ବଳ ପୋତ ଛତା’ ସୁପରହିଟ୍ ହେଲା। ଆଉ ତା’ ପରେ ବସନ୍ତ ନାୟକ ଓ ସ୍ବରୂପଙ୍କ ଯୋଡ଼ି ଜମିଗଲା। ବସନ୍ତଙ୍କ ପ୍ରଯୋଜିତ ସିନେମାରେ ଯିଏ ବି ସଂଗୀତ ନିର୍ଦ୍ଦେଶନା ଦିଅନ୍ତୁ, ଗୀତ କିନ୍ତୁ ଲେଖୁଥିଲେ ସ୍ବରୂପ। ଏହାପରେ ତାଙ୍କୁ ସଂଗୀତ ନିର୍ଦ୍ଦେଶନା ସୁଯୋଗ ବି ଦେଲେ ବସନ୍ତ ନ‌ାୟକ। ୧୯୮୮ରେ ମୁକ୍ତିପ୍ରାପ୍ତ ଅସୀମ କୁମାରଙ୍କ ନିର୍ଦ୍ଦେଶିତ ତଥା ବସନ୍ତ ନାୟକଙ୍କ ପ୍ରଯୋଜିତ ‘ଯାହାକୁ ରଖିବେ ଅନନ୍ତ’ରେ ସ୍ବରୂପ ନାୟକ ଗୀତ ଲେଖିବା ସହ ସଂଗୀତ ନିର୍ଦ୍ଦେଶନା ଦେଲେ। ଏଥିରେ ଥିବା ସବୁ ଗୀତ (ରୂପାନାନୀ ଲୋ…, ଏ ଅଗଣା ଏ ଘର…, ଜହ୍ନ ହସୁଥିବ ତାରା…, ମୁଁ ଏ ସହର ରୋମିଓ…) ଖୁବ୍‌ ଲୋକପ୍ରିୟ ହୋଇଥିଲା।

ଏହାପରେ ୧୯୯୨ରେ ପ୍ରଶାନ୍ତ ନନ୍ଦଙ୍କ ନିର୍ଦ୍ଦେଶିତ ‘ମା’ ଓ ୧୯୯୩ରେ ପ୍ରସେନଜିତଙ୍କ ନିର୍ଦ୍ଦେଶିତ ‘ବାଦଶାହ’ ନିର୍ମାଣ କଲେ ବସନ୍ତ। ଉଭୟର ସଂଗୀତକାର ଥିଲେ ଆର୍.ଡି. ବର୍ମନ୍, ହେଲେ ଗୀତ ରଚନା କରିଥିଲେ ସ୍ବରୂପ ନାୟକ। ୧୯୯୪ରେ ବ୍ରଜରାଜ ମୁଭିଜ୍ ବ୍ୟାନରରେ ପ୍ରସ୍ତୁତ ବସନ୍ତ ନାୟକଙ୍କ ପ୍ରଯୋଜିତ ଓ ମହମ୍ମଦ ମହସୀନ୍‌ଙ୍କ ନିର୍ଦ୍ଦେଶିତ ‘ଲକ୍ଷେ ଶିବ ପୂଜି ପାଇଚି ପୁଅ’ରେ ଗୀତ ରଚନା ସାଙ୍ଗକୁ ସ୍ବର ସଂଯୋଜନା ଦାୟିତ୍ବ ବହନ କଲେ ସ୍ବରୂପ। ଏହି ସିନେମାରେ ପ୍ରଥମ ଥର ପାଇଁ ଏକ ଓଡ଼ିଆ ରୢାପ୍ ଗୀତ ‘ଗରମ ଗରମ ଚାଏ’‌ର ସଂଯୋଜନା କରିଥିଲେ ସ୍ବରୂପ। ଏହାର ଶୀର୍ଷକ ଗୀତ ବି ବେଶ୍ ଲୋକପ୍ରିୟ ହୋଇଥିଲା।

ବସନ୍ତ ନାୟକ ଓ ସ୍ବରୂପ ନାୟକ ଓଲିଉଡ୍‌ର ଦୁଇ ଅବିସ୍ମରଣୀୟ ପ୍ରତିଭା। ଆଉ ଏ ଦୁହିଁଙ୍କ ସଂପର୍କ ବି ସେଭଳି ଅଭୁଲା। ପ୍ରଯୋଜକ ବସନ୍ତ ନାୟକଙ୍କ ସର୍ବା‌ଧିକ ଓଡ଼ିଆ ଛବିରେ ଗୀତ ରଚନା କରିବା ସହିତ ସଂଗୀତ ନିର୍ଦ୍ଦେଶନା ଦେଇଥିଲେ ସ୍ବରୂପ ନାୟକ। ‘ପକା କମ୍ବଳ ପୋତ ଛତା’ରୁ ଆରମ୍ଭ ହୋଇଥିବା ସିନେ-ସଂପର୍କ ଶେଷ ହୋଇଥିଲା ‘ରୋମିଓ ଦ ଲଭର ବୟ’ରେ…

୧୯୯୬ରେ ମୁକ୍ତିଲାଭ କରିଥିବା ବସନ୍ତ ନାୟକଙ୍କ ‘ଯଶୋଦା’ର ନିର୍ଦ୍ଦେଶନା ଦେଇଥିଲେ ହର ପଟ୍ଟନାୟକ। ହେଲେ ସ୍ବର ସଂଯୋଜକ ବଦଳି ନ ଥିଲେ। ସେହି ସ୍ବରୂପ ନାୟକ ହିଁ ସଂଗୀତ ଦେଇଥିଲେ। ଏଥିରେ ଗୋଟିଏ ଗୀତକୁ ବାଦ୍ ଦେଲେ, ଅନ୍ୟସବୁ ଗୀତ ବି ଲେଖିଥିଲେ ସ୍ବରୂପ। ‘ଯଶୋଦା’ର ଶୀର୍ଷକ ଗୀତ ସାଙ୍ଗକୁ ରୋମାଣ୍ଟିକ୍ ଗୀତ ‘ଏ ଟୋକାଟା ବଡ଼ ବୋକାଟା…’ କିଛିଟା ଚର୍ଚ୍ଚାକୁ ଆସିଥିଲା।
୧୯୯୯ରେ ମୁକ୍ତିପ୍ରାପ୍ତ ବସନ୍ତ ନାୟକଙ୍କ ମ୍ୟୁଜିକାଲ୍ ହିଟ୍ ‘ମନ ରହିଗଲା ତୁମରି ଠାରେ’ର ସଂଗୀତ ଓଲିଉଡ୍‌ରେ ଚହଳ ପକାଇଥିଲା। ମହମ୍ମଦ ମହସୀନ୍‌ଙ୍କ ନିର୍ଦ୍ଦେଶିତ ତଥା ସ୍ବରୂପ ନାୟକଙ୍କ ସ୍ବରାରୋପିତ ଏହି ସିନେମାର ‘ରାମାରେ ରାମାରେ…’, ‘ଷୋଳଟି ଫଗୁଣର ପାହାଚକୁ ଡେଇଁ…’, ‘ଆଖି ବୁଜିଦେଲେ ଅଛି ସିଏ…’ ଆଦି ଶ୍ରୋତାଙ୍କୁ ପସନ୍ଦ ଆସିଥିଲା। ୨୦୦୧ରେ ମୁକ୍ତିଲାଭ କରିଥିଲା ବସନ୍ତ ନାୟକଙ୍କ ପ୍ରଯୋଜିତ ତଥା ହିମାଂଶୁ ପରିଜାଙ୍କ ନିର୍ଦ୍ଦେଶିତ ‘ମୋ କୋଳ ତୋ ଝୁଲଣା’। ଏହାର ଗୀତିକାର ଓ ସ୍ବରକାର ବି ଥିଲେ ସ୍ବରୂପ ନାୟକ। ଏଥିରେ ଥିବା ‘ଆଖି ତୋ ଟଣାଟଣା…’ ଓ ‘ଆମେ ସବୁ ପ୍ରଜାପତି…’ ଗୀତ ବେଶ୍ ଚର୍ଚ୍ଚିତ ହୋଇଥିଲା। ୨୦୦୩ରେ ବ୍ରଜରାଜ ମୁଭିଜ୍ ବ୍ୟାନରରେ ମୁକ୍ତିଲାଭ କରିଥିଲା ବସନ୍ତ ନାୟକଙ୍କ ନିବେଦିତ ତଥା ବିନୟ କୁମାର ନାୟକଙ୍କ ପ୍ରଯୋଜିତ ‘ଏ ଯୁଗର କୃଷ୍ଣସୁଦାମା’। ହର ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ଏହି ସିନେମାର ବି ଗୀତ ଓ ସଂଗୀତ ଦାୟିତ୍ବ ତୁଲାଇ ଥିଲେ ସ୍ବରୂପ ନାୟକ।

୨୦୦୪ ଥିଲା ବ୍ରଜରାଜ ମୁଭିଜ୍ ପାଇଁ ଥିଲା ଏକ ସ୍ମରଣୀୟ ବର୍ଷ। ଏହି ବର୍ଷ ପ୍ରଥମ ଥର ପାଇଁ ଏହି ବ୍ୟାନରର ଦୁଇଟି ଓଡ଼ିଆ ଛବି ମୁକ୍ତିଲାଭ କରିଥିଲା-‘ଆଇ ଲଭ୍‌ ୟୁ’ ଓ ‘ବର୍ଷା ମାଇଁ ଡାର୍ଲିଂ’। ପ୍ରଥମ ସିନେମାର ଗୋଟିଏ ଗୀତକୁ ବାଦ୍ ଦେଇ ଅନ୍ୟସବୁ ଗୀତ ଲେଖିଥିଲେ ସ୍ବରୂପ ନାୟକ। ଏହାର ପ୍ରତିଟି ଗୀତ ‘ତୁ କହିଲେ ମୁଁ କହିବି…’, ‘ନାରେ ନା ବଜାନା ବଂଶୀ…’, ‘ଶୂନ୍ୟରୁ ଶୁଭୁଛି ଶୁଣ…’, ‘ମିତରେ ମିତ…’ ଆଦି ଚହଳ ପକାଇଥିଲା। ‘ବର୍ଷା ମାଇଁ ଡାର୍ଲିଂ’ର ଶୀର୍ଷକ ଗୀତ ଓ ‘ବର୍ଷାରାଣୀ…’ ଗୀତ ବହୁତ ଲୋକପ୍ରିୟ ହୋଇଥିଲା। କହିବା ବାହୁଲ୍ୟ ଯେ ଉଭୟ ସିନେମାର ସଂଗୀତକାର ଥିଲେ ସ୍ବରୂପ ନାୟକ। ଏହାପରେ ୨୦୦୫ରେ ବ୍ରଜରାଜ ମୁଭିଜ୍ ବ୍ୟାନରରେ ବସନ୍ତ ନାୟକଙ୍କ ‘ପ୍ରେମୀ ନମ୍ବର ୱାନ୍’ ମୁକ୍ତିଲାଭ କରିଥିଲା। ଏହାର ନିର୍ଦ୍ଦେଶନା ଦେଇଥିଲେ ସୁଧାଂଶୁ ମୋହନ ସାହୁ ଓ ଗୀତିକାର-ସଂଗୀତକାର ଥିଲେ ସ୍ବରୂପ ନାୟକ। ଏଥିରେ ପ୍ରଥମ ଥର ଲାଗି ଅନୁଭବଙ୍କ କଣ୍ଠରେ ଶୀର୍ଷକ ଗୀତ ରେକର୍ଡ ହୋଇଥିଲା। ୨୦୦୬ରେ ବସନ୍ତ ନାୟକଙ୍କ ‘ପ୍ରେମ ଋତୁ ଆସିଲାରେ’ର ଗୀତିକାର-ସ୍ବରକାର ଥିଲେ ସ୍ବରୂପ। ସେହିପରି ୨୦୦୭ରେ ବ୍ରଜରାଜ ମୁଭିଜ୍‌ର ‘ମୁ ତତେ ଲଭ୍‌ କରୁଚି’ ଓ ୨୦୦୯ରେ ‘ରୋମିଓ ଦ ଲଭର୍‌ ବୟ’‌ର ବି ଗୀତ ଓ ସଂଗୀତ ଦାୟିତ୍ବ ତୁଲାଇ ଥିଲେ ସ୍ବରୂପ ନାୟକ। ଖାଲି ସେତିକି ନୁହେଁ, ବସନ୍ତ ନାୟକଙ୍କ ନିବେଦିତ ‘ଟୋପାଏ ସିନ୍ଦୂର ଦିପଟ ଶଙ୍ଖା’ର ଗୀତ ଲେଖିଥିଲେ ସ୍ବରୂପ ନାୟକ ଓ ସଂଗୀତକାର ଥିଲେ ସୁମିତ୍ରା ଲାହିରୀ।

ସୌଜନ୍ୟ ସମ୍ବାଦ