NIT Rourkela : ଏନ୍ଆଇଟି ଗବେଷକଙ୍କ ପ୍ରୟାସ, ପଣସ ଚୋପାରେ ଜଳ ଶୁଦ୍ଧିକରଣ

ରାଉରକେଲା, ୧୫/୧୦ : ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ(ଏନ୍ଆଇଟି) ରାଉରକେଲାର ଗବେଷକମାନେ ପଣସ ଚୋପାରୁ ଏକ ସାମଗ୍ରୀ ପ୍ରସ୍ତୁତ କରିଛନ୍ତି । ଯାହା ଦୂଷିତ ପାଣିକୁ ବିଶୁଦ୍ଧ କରିବା ସହ ପ୍ରାୟ ୯୦ପ୍ରତିଶତ ଫ୍ଲୋରାଇଡ ଦୂର କରିବ । ଏହା ସମଗ୍ର ଭାରତରେ ପାନୀୟ ଜଳ ସମସ୍ୟାର ସମାଧାନ ପାଇଁ ପ୍ରୟୋଗ କରାଯାଇପାରିବ । ଏନ୍ଆଇଟି କେମିକାଲ୍ ଇଞ୍ଜିନିୟରିଂ ବିଭାଗର ପ୍ରଫେସର ସୁସ୍ମିତା ମିଶ୍ର ଏବଂ ଗବେଷକ ଡ. ପ୍ରତିମା ମିଞ୍ଜଙ୍କୁ ନେଇ ଗଠିତ ଗବେଷକ ଦଳ ଏହି ବିକଶିତ ପ୍ରଯୁକ୍ତିବିଦ୍ୟା ପାଇଁ ଏକ ପେଟେଣ୍ଟ ହାସଲ କରିଛନ୍ତି (ଆବେଦନ ନଂ ୨୦୨୫୩୧୦୮୦୨୪୨, ୨୫ ଅଗଷ୍ଟ ୨୦୨୫) ।
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚ୍ଓ) ଦ୍ୱାରା ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ପାନୀୟ ଜଳରେ ଅତ୍ୟଧିକ ଫ୍ଲୋରାଇଡ୍ ଦାନ୍ତ, ହାଡ଼ ସମ୍ବନ୍ଧୀୟ ଫ୍ଲୋରୋସିସ୍ ରୋଗ ସୃଷ୍ଟି କରିପାରେ । ଭୂତଳ ଜଳରୁ ଫ୍ଲୋରାଇଡ୍ ଦୂର କରିବା ପାଇଁ ଅନେକ ପାରମ୍ପରିକ ପଦ୍ଧତି ରହିଛି । ରିଭର୍ସ ଅସମୋସିସ୍ ପ୍ରକ୍ରିୟା ଜଳ ବିଶୋଧନ ସମୟରେ ବହୁ ପାଣି ନଷ୍ଟ କରେ । ତେଣୁ ପାଣିର ଶୁଦ୍ଧତା ଉପରେ ଗବେଷଣା କରି ଏନ୍ଆଇଟି ଗବେଷକ ଦଳ ପଣସ ଚୋପାରୁ ପ୍ରସ୍ତୁତ କାର୍ବନକୁ ନେଇ ଏକ ସାମଗ୍ରୀ ପ୍ରସ୍ତୁତ କରିଛନ୍ତି ଯେଉଁଥିରେ ଫ୍ଲୋରାଇଡ୍ ଅଂଶ କମୁଛି ।
ସୌଜନ୍ୟ ପ୍ରମେୟ




