ବାଣିଜ୍ୟମହାନଗର

Niti aayog Report: ନିତି ଆୟୋଗ ରିପୋର୍ଟ: ଆର୍ଥିକ ସ୍ବାସ୍ଥ୍ୟରେ ଓଡ଼ିଶା ପୁଣି ଏକ ନମ୍ବର

ଆର୍ଥିକ ଶୃଙ୍ଖଳା ବଜାୟ ରଖିବା ସହ ସବୁ ପ୍ରମୁଖ ମାନଦଣ୍ଡରେ ଲଗାତାର ଉଲ୍ଲେଖନୀୟ ପ୍ରଦର୍ଶନ କରିବାରେ ଓଡ଼ିଶା ଦେଶର ଅନ୍ୟ ସବୁ ରାଜ୍ୟକୁ ପଛରେ ପକାଇଦେଇଛି। ନିତି ଆୟୋଗ ପକ୍ଷରୁ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଜାରି କରାଯାଇଥିବା....

ଭୁବନେଶ୍ବର: ଆର୍ଥିକ ଶୃଙ୍ଖଳା ବଜାୟ ରଖିବା ସହ ସବୁ ପ୍ରମୁଖ ମାନଦଣ୍ଡରେ ଲଗାତାର ଉଲ୍ଲେଖନୀୟ ପ୍ରଦର୍ଶନ କରିବାରେ ଓଡ଼ିଶା ଦେଶର ଅନ୍ୟ ସବୁ ରାଜ୍ୟକୁ ପଛରେ ପକାଇଦେଇଛି। ନିତି ଆୟୋଗ ପକ୍ଷରୁ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଜାରି କରାଯାଇଥିବା ‘ଆର୍ଥିକ ସ୍ବାସ୍ଥ୍ୟ ସୂଚୀ ରିପୋର୍ଟ-୨୦୨୬’ରେ ଓଡ଼ିଶା ପୁଣି ଏକ ନମ୍ବର ସ୍ଥାନ ଦଖଲ କରିଛି। ଓଡ଼ିଶା ୧୦୦ ସ୍କୋର୍‌ରୁ ସର୍ବାଧିକ ୭୩.୧ ହାସଲ କରି ଦେଶର ସବୁଠୁ ଆର୍ଥିକ ସୁସ୍ଥ ରାଜ୍ୟର ମୁକୁଟକୁ ବଜାୟ ରଖିଛି। ୨୦୨୨-୨୩ ରିପୋର୍ଟରେ ୬୭.୪ ସ୍କୋର ସହ ମଧ୍ୟ ଓଡ଼ିଶା ଏକ ନମ୍ବର ସ୍ଥାନରେ ଥିଲା।

ରାଜ୍ୟଗୁଡ଼ିକୁ ଆଚିଭର୍ସ, ଫ୍ରଣ୍ଟ ରନର୍‌, ପରଫର୍ମର ଓ ଆସ୍ପିରେସନାଲ୍‌ ଭଳି ଚାରିଟି ବର୍ଗରେ ନିତି ଆୟୋଗ ସ୍ଥାନିତ କରିଛି। ଆଚିଭର୍‌ ବର୍ଗରେ ଓଡ଼ିଶା, ଗୋଆ ଓ ଝାଡ଼ଖଣ୍ଡ ରହିଛନ୍ତି। ଫ୍ରଣ୍ଟ୍‌ ରନର୍‌ ବର୍ଗରେ ଗୁଜରାଟ, ମହାରାଷ୍ଟ୍ର, ଛତିଶଗଡ଼, ତେଲେଙ୍ଗାନା, ଉତ୍ତରପ୍ରଦେଶ ଓ କର୍ଣ୍ଣାଟକ ଅଛନ୍ତି। ପରଫର୍ମର ବର୍ଗରେ ମଧ୍ୟପ୍ରଦେଶ, ହରିୟାଣା, ବିହାର, ତାମିଲନାଡୁ ଓ ରାଜସ୍ଥାନ ରହିଛନ୍ତି। ଆସ୍ପିରେସନାଲ୍‌ ବର୍ଗରେ କେରଳ, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ ଓ ପଞ୍ଜାବ ଅଛନ୍ତି।

ରିପୋର୍ଟରେ ଓଡ଼ିଶା ସମ୍ପର୍କରେ କୁହାଯାଇଛି ଯେ ବିତ୍ତୀୟ ଉତ୍ତରଦାୟିତ୍ବ ଓ ବଜେଟ୍‌ ପରିଚାଳନା (ଏଫ୍‌ଆର୍‌ବିଏମ୍‌) ନିୟମକୁ ରାଜ୍ୟ କଡ଼ାକଡ଼ି ଭାବେ ପାଳନ କରୁଛି। ନିଅଣ୍ଟଗୁଡ଼ିକୁ ସରକାର ନିୟନ୍ତ୍ରଣରେ ରଖିଛନ୍ତି ଓ ଋଣ ଭାର ହ୍ରାସ ପାଉଛି। ଖଣି, ଅବକାରୀ ଓ ଜିଏସ୍‌ଟି ଭଳି ନିଜସ୍ବ ଉତ୍ସରୁ ରାଜସ୍ବ ସଂଗ୍ରହ ଉତ୍ସାହଜନକ ରହିଛି। ଖଣିରୁ ରାଜସ୍ବ ଓ ସରକାରୀ ଉଦ୍ୟୋଗଗୁଡ଼ିକରୁ ମିଳୁଥିବା ଲାଭାଂଶ ରାଜ୍ୟର ଆର୍ଥିକ ସ୍ଥିତିକୁ ବେଶ୍‌ ଦୃଢ଼ କରିପାରିଛି। ଆର୍ଥିକ ସ୍ଥିତି ଦୃଢ଼ ହୋଇଥିବାରୁ କେନ୍ଦ୍ରରୁ ମିଳୁଥିବା ପାଣ୍ଠି ଉପରେ ନିର୍ଭରଶୀଳତା କମ୍‌ ହୋଇଛି। ରାଜ୍ୟ ସରକାର ଭିତ୍ତିଭୂମି, ଅର୍ଥନୈତିକ ସେବା ଓ ସ୍ବାସ୍ଥ୍ୟ ଭଳି ସାମାଜିକ କ୍ଷେତ୍ରରେ ବ୍ୟୟ ବଢ଼ାଇଛନ୍ତି। କିନ୍ତୁ ଅନ୍ୟ ରାଜ୍ୟଗୁଡ଼ିକ ତୁଳନାରେ ଓଡ଼ିଶାରେ ଶିକ୍ଷା କ୍ଷେତ୍ରରେ ବ୍ୟୟ ଅପେକ୍ଷାକୃତ କମ୍‌ ରହୁଥିବାରୁ ନିତି ଆୟୋଗ ଚିନ୍ତା ପ୍ରକଟ କରିଛି। ପ୍ରତିବଦ୍ଧ ବ୍ୟୟ ଉପରେ ନିୟନ୍ତ୍ରଣ ଥିବାରୁ ବିକାଶମୂଳକ କାର୍ଯ୍ୟରେ ଅଧିକ ପାଣ୍ଠି ବିନିଯୋଗ କରାଯାଇପାରୁଥିବା ରିପୋର୍ଟରେ କୁହାଯାଇଛି।

୨୦୨୨-୨୩ରେ ଓଡ଼ିଶାର ରାଜସ୍ବ ବ୍ୟୟ ୧୩.୬ ପ୍ରତିଶତ ବଢ଼ିଥିଲା। ପୁଞ୍ଜି ବ୍ୟୟ ୨୯.୮ ପ୍ରତିଶତ ବଢ଼ିଥିଲା। ସେହି ଆର୍ଥିକ ବର୍ଷରେ ରାଜ୍ୟ ସରକାର ମୋଟ୍‌ ବ୍ୟୟର ୧୩.୨ ପ୍ରତିଶତ ରାଶି ଶିକ୍ଷାରେ ଖର୍ଚ୍ଚ କରିଥିଲେ ଯାହା ଅନ୍ୟ ପ୍ରମୁଖ ରାଜ୍ୟଗୁଡ଼ିକର ୧୪.୪ ପ୍ରତିଶତ ବ୍ୟୟ ହାର ତୁଳନାରେ କମ୍‌। ରାଜ୍ୟ ଜିଏସ୍‌ଟି, ଅବକାରୀ ଶୁଳ୍କ ଓ ବିକ୍ରି କର ସଂଗ୍ରହ ବଢ଼ିବାରୁ ରାଜ୍ୟ ଜିଡିପିକୁ ନିଜସ୍ବ ଟିକସର ଭାଗ ୧.୬୫ ପ୍ରତିଶତକୁ ବୃଦ୍ଧି ପାଇଥିଲା। ଖଣି, କୋଇଲା, ଲିଗ୍‌ନାଇଟ୍‌ ଓ ରାଜ୍ୟ ପିଏସ୍‌ୟୁରୁ ଅଂଶଧନ ଅଧିକ ମିଳିବାରୁ ଅଣ ଟିକସ ରାଜସ୍ବ ୨୪.୧ ପ୍ରତିଶତ ବଢ଼ି ୫୩,୦୧୧ କୋଟି ଟଙ୍କା ହୋଇଥିଲା।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button