Odisha Farmer: ପ୍ରକୃତିରୁ ପ୍ରଶାସନ ଯାଏ ସୁଝାଉଛନ୍ତି ରାଗ, ଫସଲ ଉଜାଡୁଛି ବନ୍ୟା, ବାତ୍ୟା ଓ ମରୁଡ଼ି, ଚାଷୀ କାନ୍ଦୁଛି…

ଭୁବନେଶ୍ୱର ୨୧/୦୮( ମୁକେଶ ପରିଡ଼ା): ଫି’ ବର୍ଷ ମାରୁଛି ପ୍ରକୃତିର କୋପ । ଫସଲଆରମ୍ଭରୁ ମରୁଡ଼ି ଉଜାଡ଼ି ଦେଉଛି । ମଝିରେ ମାଡ଼ି ଆସୁଛି ବନ୍ୟା । ଅମଳବେଳକୁ ବର୍ଷକର ଶ୍ରମକୁ ମାଟିରେ ମିଶାଇ ଦେଉଛି ବାତ୍ୟା ଆଉ ଅଦିନିଆ ବର୍ଷା । ମାର୍ ମାର୍ ଦୁର୍ବଳକୁ ମାର୍ ନୀତିରେ ଚାଷୀ ସବୁଆଡ଼ୁ ପେଷି ହେଉଛି । ପ୍ରାକୃତିକ ଦୁର୍ବିପାକ ବାଦ୍ ବିହନରୁ ସାର ସଙ୍କଟ, ଦର ବୃଦ୍ଧିରୁ ଜଳସେଚନ, ପଞ୍ଜୀକରଣରୁ ମଣ୍ଡି ଯନ୍ତ୍ରଣା ପର୍ଯ୍ୟନ୍ତ ସବୁଠି କଲବଲ ଚାଷୀ । ପ୍ରକୃତିରୁ ପ୍ରଶାସନ, ସମସ୍ତେ ଯେମିତି ଚାଷୀ ଅଣ୍ଟାରେ ବିଧାଏ ଲେଖାଏଁ ରାଗ ସୁଝାଉଛନ୍ତି ।
୨୨ ଦିନ ହୋଇଗଲା । ବିଲରେ ଆଣ୍ଠୁଏ ପାଣି । ନିଜର ୧ ଏକର, ବାକି ୨ ଏକର ଜମି ଭାଗରେ ନେଇ ଧାନ କରିଥିଲେ । ପ୍ରାୟ ସବୁ ରୁଆ ସରିଥିଲା । ବଢ଼ି ପାଣିରେ ସବୁ ଗଲା ।ଭଦ୍ରକ ବ୍ଲକ ଅନ୍ନପାଳ ପଞ୍ଚାୟତ ରାଜମୁକୁନ୍ଦପୁର ଗାଁର ଚାଷୀ ବାଦଲ ବାରିକ ଏବେ ଅସହାୟ ହୋଇ ଉପରକୁ ଅନେଇ ବସିଛନ୍ତି । ପରିବାର କେମିତି ବଞ୍ଚିବ, ସେ ଚିନ୍ତାରେ ନିଦ ହଜିଯାଇଛି ।
ବାଲେଶ୍ୱର ଭୋଗରାଇର ପ୍ରଶାନ୍ତ କୁମାରଦେ କୁଇଣ୍ଟାଲ ବିହନ ଆଣି ତଳି ପକାଇଥିଲେ ।୧୦୦ ଏକର ଜମିରେ ଏଥର ଧାନ କରିବାକୁ ପ୍ରସ୍ତୁତି ଥିଲା । ପ୍ରଥମ ବନ୍ୟାରେ କିଛି ତଳି ବରବାଦ ହେଲା । ତଥାପି ଅଣ୍ଟା ସଳଖି ପୁଣି ଆଗେଇ ଥିଲେ । ରୁଆ ଆରମ୍ଭ ହୋଇଯାଇଥିଲା ।ହେଲେ ଏଥର ସୁବର୍ଣ୍ଣରେଖା ଏମିତି ଫୁଲିଲା ଯେ ସବୁ ଉଜାଡ଼ି ଦେଲା । ପ୍ରଶାନ୍ତ କହନ୍ତି, ତଳି ପୂରା ନଷ୍ଟ । ଆଉ ଥରେ ଧାନ ଛିଡ଼ା ଛିଡ଼ା କରିବା ସମ୍ଭବ ନୁହେଁ । ସ୍ୱଳ୍ପ ଅବଧି ବିହନ ପାଇଁ ବିସମୟ ନାହିଁ । ସରକାରୀ ସହାୟତା ସମୁଦ୍ରକୁ ଶଙ୍ଖେ । ବଞ୍ଚିବୁ କେମିତି?
ସୌଜନ୍ୟ ପ୍ରମେୟ




