ରାଜ୍ୟ

Odisha High Court: ବେଆଇନ ଚାଲାଣ ବେଳେ ଉଦ୍ଧାର କରାଯାଇଥିବା ଗୋରୁଙ୍କ କଲ୍ୟାଣ ଓ ଯତ୍ନ ଉପରେ ହାଇକୋର୍ଟଙ୍କ ଗୁରୁତ୍ବାରୋପ

ଗୋ-ଚାଲାଣ ସଂପର୍କିତ ମାମଲାରେ ଉଦ୍ଧାର ହୋଇଥିବା ନିରୀହ ପଶୁଙ୍କ କଲ୍ୟାଣ ଓ ଯତ୍ନ ଉପରେ ହାଇକୋର୍ଟ ଗୁରୁତ୍ବାରୋପ କରିଛନ୍ତି। ଏହି ଘଟଣାରେ ଜବତ ଗାଡ଼ିକୁ ମାଲିକଙ୍କ ଅନ୍ତରୀଣ ଜିମାରେ ଛାଡ଼ିବାକୁ ହାଇକୋର୍ଟ ସର୍ତ୍ତମୂଳକ ଅନୁମତି ଦେଇଛନ୍ତି।

କଟକଗୋ-ଚାଲାଣ ସଂପର୍କିତ ମାମଲାରେ ଉଦ୍ଧାର ହୋଇଥିବା ନିରୀହ ପଶୁଙ୍କ କଲ୍ୟାଣ ଓ ଯତ୍ନ ଉପରେ ହାଇକୋର୍ଟ ଗୁରୁତ୍ବାରୋପ କରିଛନ୍ତି। ଏହି ଘଟଣାରେ ଜବତ ଗାଡ଼ିକୁ ମାଲିକଙ୍କ ଅନ୍ତରୀଣ ଜିମାରେ ଛାଡ଼ିବାକୁ ହାଇକୋର୍ଟ ସର୍ତ୍ତମୂଳକ ଅନୁମତି ଦେଇଛନ୍ତି। ‌ଗାଡ଼ିର ଅନ୍ତରୀଣ ଜିମା ପାଇବା ପାଇଁ ମାଲିକ ଦେଢ ଲକ୍ଷ ଟଙ୍କା ନିମ୍ନ ଅଦାଲତରେ ଜମା କରିବେ। ଏହି ଅର୍ଥ ଉଦ୍ଧାର କରାଯାଇଥିବା ପଶୁଙ୍କ କଲ୍ୟାଣ ପାଇଁ ଖର୍ଚ୍ଚ ହେବ ବୋଲି ହାଇକୋର୍ଟ ରାୟ ଦେଇଛନ୍ତି। ଜଷ୍ଟିସ ଭି.ନରସିଂହଙ୍କୁ ନେଇ ଗଠିତ ଖଣ୍ଡପୀଠ ପ୍ରଦାନ କରିଥିବା ରାୟରେ ଉଲ୍ଲେଖ କରାଯାଇଛି ଯେ ୫ ଲକ୍ଷ ଟଙ୍କାର ସଂପତ୍ତି ସିକ୍ୟୁରିଟି ସହିତ ଜୀବେ ନିଷ୍ଠୁରତା ନିରୋଧ ନିୟମାବଳୀ, ୨୦୧୭ରେ ଥିବା ବ୍ୟବସ୍ଥା ଅନୁସାରେ ୧ ଲକ୍ଷ ଟଙ୍କା ଜମା କରିବା କରିବା ପରେ ଗାଡ଼ି ମାଲିକଙ୍କ ଜିମାରେ ଛଡ଼ା ଯିବ। ଆଉ ୫୦ହଜାର ଟଙ୍କା ୫ଟି ସମାନ ମାସିକ କିସ୍ତି(୧୦ ହଜାର ଟଙ୍କା)ରେ ଆବେଦନକାରୀ ଜମା କରିବେ।

ଗାଡ଼ି ଜିମାରେ ଛଡ଼ା ଯିବାର ତିନି ମାସ ପରେ ପ୍ରଥମ କିସ୍ତି ଜମା କରାଯିବ। ଯଦି କିସ୍ତି ଜମା କରିବାରେ ଅବହେଳା କରାଯାଏ ତେବେ ଗାଡ଼ି ଜିମାରେ ଛଡ଼ାଯିବା ନିର୍ଦ୍ଦେଶ ପ୍ରତ୍ୟାହୃତ ହେବ ଓ ଏହି ପ୍ରସଂଗରେ ଅଦାଲତ ଆଇନ ଅନୁସାରେ ଅଗ୍ରସର ହେବେ। ଆବେଦନକାରୀ ଜମା କରିବାକୁ ଥିବା ୧ଲକ୍ଷ ଟଙ୍କା ଓ କିସ୍ତି ବାବଦ ଅର୍ଥକୁ ଉଦ୍ଧାର ହୋଇଥିବା ଗୋରୁଙ୍କ ଜିମା ନେଇଥିବା ବ୍ୟକ୍ତିଙ୍କୁ ପ୍ରଦାନ କରାଯିବ। ଗୋରୁଙ୍କ ସୁରକ୍ଷା ଓ ଚିହ୍ନଟ ପ୍ରସଂଗରେ ୨୦୧୭ର ନିୟମାବଳୀ ଅନୁସାରେ ଜିମାଦାରଙ୍କ ପକ୍ଷରୁ ପଦକ୍ଷେପ ଗ୍ରହଣ ପ୍ରସଂଗ ଅଦାଲତ ସୁନିଶ୍ଚିତ କରିବେ। ଜିଲ୍ଲା ଆଇନସେବା ପ୍ରାଧିକରଣ କର୍ତ୍ତୃପକ୍ଷ ଗୋରୁଙ୍କୁ ରଖାଯାଇଥିବା ସ୍ଥାନକୁ ମାସକୁ ଥରେ ପରିଦର୍ଶନରେ ଯାଇ ନିୟମ ଅନୁସାରେ ସେମାନଙ୍କ କଲ୍ୟାଣ ସଂକ୍ରାନ୍ତରେ ଅଦାଲତରେ ରିପୋର୍ଟ ଦାଖଲ କରିବେ। ଯଦି କୌଣସି ଉଲ୍ଲଂଘନ ଦେଖିବାକୁ ମିଳେ ତେବେ ପ୍ରସିକ୍ୟୁସନ ତରଫରୁ ସଂଶୋଧନମୂଳକ ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ହାଇକୋର୍ଟ କହିଛନ୍ତି।

ଗୋରୁଙ୍କୁ ଜଣେ ସାମାଜିକ କର୍ମୀଙ୍କ ଜିମାରେ

ମାମଲାର ବିବରଣୀରୁ ପ୍ରକାଶ ଯେ ବେଆଇନ ଭାବେ ୭ଟି ଗୋରୁଙ୍କୁ ଚାଲାଣ କରାଯାଉଥିବା ଗାଡ଼ିକୁ ସୁନ୍ଦରଗଡ଼ ଜିଲ୍ଲା ବିଶ୍ରା ଥାନା ପୁଲିସ ଜବତ କରିଥିଲା। ଗୋରୁଙ୍କୁ ଉଦ୍ଧାର କରାଯାଇଥିଲା। ସେଠାରେ ଗୋଶାଳା ବା ପଶୁଯତ୍ନ କେନ୍ଦ୍ର ନଥିବାରୁ ଉଦ୍ଧାର କରାଯାଇଥିବା ଗୋରୁଙ୍କୁ ଜଣେ ସାମାଜିକ କର୍ମୀଙ୍କ ଜିମାରେ ଛଡ଼ା ଯାଇଥିଲା। ଜବତ ଗାଡ଼ିକୁ ଅନ୍ତରୀଣ ଜିମାରେ ନେବା ପାଇଁ ମାଲିକ ଦାୟର କରିଥିବା ଆବେଦନ ବିଶ୍ରା ଜେଏମଏଫସି ଅଦାଲତ ୨୦୨୬, ମେ ୧୯ରେ ଖାରଜ କରିବା ପରେ ହାଇକୋର୍ଟରେ ଏହି ମାମଲା ଦାୟର ହୋଇଥିଲା। ଉଦ୍ଧାର ହୋଇଥିବା ଗୋରୁଙ୍କ ରକ୍ଷଣାବେକ୍ଷଣ ଖର୍ଚ୍ଚ ୩ ଲକ୍ଷ ଟଙ୍କା ଆକଳନ କରାଯାଇଥିବା ବେଳେ ଏଥିରୁ ଗାଡ଼ି ମାଲିକ ୫୦ ପ୍ରତିଶତ ଅର୍ଥ ପଇଠ କରିବାକୁ ହେବ ବୋଲି ଶୁଣାଣି ବେଳେ ଦର୍ଶାଯାଇଥିଲା।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button