Odisha School Dropout Rate Rises: ସରକାରୀ ସ୍କୁଲରୁ ମନ ଫେରେଇଲେଣି ପିଲା; ଡ୍ରପ୍ ଆଉଟକୁ ନେଇ ଆସିଲା ସାଂଘାତିକ ଚିତ୍ର
ସରକାରୀ ସ୍କୁଲରୁ ମନ ଫେରେଇଲେଣି ପିଲା। ସ୍କୁଲ ଡ୍ରପ୍ ଆଉଟକୁ ନେଇ ଆସିଲା ସାଂଘାତିକ ଚିତ୍ର। ଚକିତ କଲା ବିଧାନସଭାରେ ଗଣଶିକ୍ଷା ବିଭାଗର ତଥ୍ୟ। ୨୦୨୪-୨୫ ଶିକ୍ଷାବର୍ଷରେ ପାଠ ଛାଡ଼ିଛନ୍ତି ୧୫% ପିଲା।

ସ୍କୁଲ ଡ୍ରପ୍ ଆଉଟକୁ ନେଇ ବିଧାନସଭାରୁ ସାଂଘାତିକ ଚିତ୍ର ଆସିବା ପରେ ବଢ଼ିଲା ଚିନ୍ତା। ଗୃହରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଦେଇଥିବା ତଥ୍ୟ ଅନୁସାରେ ୨୦୨୪-୨୫ ଶିକ୍ଷାବର୍ଷରେ, ୧୫ ପ୍ରତିଶତ ପିଲା ପାଠ ଛାଡ଼ିଛନ୍ତି। ନବମ ଓ ଦଶମ ଶ୍ରେଣୀରେ ସବୁଠୁ ଅଧିକ ପିଲା ଛାଡୁଛନ୍ତି ପାଠପଢା। ସେପଟେ ଏଥର ମାଟ୍ରିକ ପରୀକ୍ଷାରେ ଫର୍ମପୂରଣ କରି ପରୀକ୍ଷା ଦେଇନାହାନ୍ତି ୧୨ ହଜାର ପିଲା, ଯେଉଁଥିରୁ ଅନେକ ଦାଦନ ଖଟି ଯାଇଥିବା ଜଣାପଡ଼ିଛି।
ପୁଣି ସରକାରୀ ସ୍କୁଲରୁ ମନ ଫେରେଇଲେଣି ପିଲା । ଅଧାରୁ ସ୍କୁଲ ଛାଡୁଛନ୍ତି ପିଲା । ବିଶେଷ କରି ନବମ ଓ ଦଶମ ଶ୍ରେଣୀରେ ଅଧିକ ପିଲା ଅଧାରୁ ଛାଡୁଛନ୍ତି ପାଠପଢ଼ା। ଗତ କିଛି ବର୍ଷ ହେବ ରାଜ୍ୟରେ ହ୍ରାସ ପାଇଥିଲା ଡ୍ରପ୍ ଆଉଟ୍ ହାର । ହେଲେ ଗତ ଶିକ୍ଷା ବର୍ଷରେ ଏହି ସଂଖ୍ୟା ପୁଣି ବଢିବା ପରେ ଉଦବେଗ ପ୍ରକାଶ ପାଇଛି ।
ବିଧାନସଭାରେ ଶିକ୍ଷା ମନ୍ତ୍ରୀ ଦେଇଥିବା ତଥ୍ୟ ଅନୁସାରେ ୨୦୨୧-୨୨ ଶିକ୍ଷା ବର୍ଷରେ ଡ୍ରପ୍ ଆଉଟ୍ ହାର ୨୭ ଦଶମିକ ୨୬ ଥିବା ବେଳେ ୨୦୨୨-୨୩ରେ ଏହା ୧୭ ଦଶମିକ ୭୨ ପ୍ରତିଶତକୁ ଖସି ଆସିଥିଲା । ୨୦୨୩-୨୪ରେ ଏହା ଆହୁରି ହ୍ରାସ ପାଇ ୧୨ ଦଶମିକ ୮ ହୋଇଥିଲା । ହେଲେ ୨୦୨୪-୨୫ ଶିକ୍ଷାବର୍ଷରେ ଏହା ପୁଣି ବଢି ୧୫ ପ୍ରତିଶତ ହୋଇଛି । ତେବେ ଝିଅଙ୍କ ତୁଳନାରେ ପୁଅ ଅଧିକ ସଂଖ୍ୟାରେ ପାଠ ଛାଡୁଥିବା ଦେଖିବାକୁ ମିଳିଛି ।




