ପୁନଶ୍ଚ ପୃଥିବୀ

Odisha sky: ଅଧା ଓଡ଼ିଶା ଆକାଶରୁ ତାରା ଉଭାନ୍‌: ବାୟୁ ପ୍ରଦୂଷଣ ଓ ଆଲୋକ ବାଧକ ସାଜୁଛି

ପିଲାଦିନେ ବାପା ମା’, ଜେଜେବାପା, ଜେଜେମା’, ଅଜାଆଈ ଆକାଶରେ ଚିକ୍‌ମିକ୍ କରୁଥିବା ତାରାଙ୍କୁ ଦେଖାଇ କେତେ ଗପ ଶୁଣାଉଥିଲେ। ଯାହାର ପରିବାରର କେହି ମରିଯାଇଥାନ୍ତି ସେ ଆକାଶରେ ତାରା ହୋଇ ଆମକୁ ଦେଖୁଥାନ୍ତି ବୋଲି କୁହାଯାଏ।

ବିଶ୍ବଜିତ ଦାଶ
ଭୁବନେଶ୍ବର: ପିଲାଦିନେ ବାପା ମା’, ଜେଜେବାପା, ଜେଜେମା’, ଅଜାଆଈ ଆକାଶରେ ଚିକ୍‌ମିକ୍ କରୁଥିବା ତାରାଙ୍କୁ ଦେଖାଇ କେତେ ଗପ ଶୁଣାଉଥିଲେ। ଯାହାର ପରିବାରର କେହି ମରିଯାଇଥାନ୍ତି ସେ ଆକାଶରେ ତାରା ହୋଇ ଆମକୁ ଦେଖୁଥାନ୍ତି ବୋଲି କୁହାଯାଏ। ଏମିତି ଗପରେ ଗପରେ କେଉଁ ଋଷି, କେତେ ଠାକୁରଙ୍କ କାହାଣୀ କୁହାଯାଉଥିଲା। ଏମିତି ଢଙ୍ଗରେ ପିଲା ପାଠ ପଢ଼ି ଶିଖିବା ଆଗରୁ ଆକାଶକୁ ଦେଖି ଏକଦା ପୁରାଣ, ଜ୍ୟୋର୍ତିବିଜ୍ଞାନ ଉପରେ ଜ୍ଞାନ ହାସଲ କରୁଥିଲେ।

ହେଲେ ଗତ କିଛି ବର୍ଷ ହେଲା ଓଡ଼ିଶା ଆକାଶରେ ଆଉ ତାରା ଦିଶୁନାହାନ୍ତି। ଜେନ୍ ଆଲ୍‌ଫା (୨୦୧୦ରୁ ୨୦୨୪ ମଧ୍ୟରେ ଜନ୍ମ ହୋଇଥିବା) ପିଲାମାନେ ଏବେ ତାରା ବା ଷ୍ଟାର୍ କହିଲେ କେବଳ ବହିରେ ରାଇମ୍‌ସରେ ଲେଖା ହୋଇଥିବା ଶବ୍ଦ ବୋଲି ଜାଣୁଛନ୍ତି।  ‘ଟ୍ବିଙ୍କଲ୍‌, ଟ୍ବିଙ୍କଲ୍‌ ଲିଟିଲ୍ ଷ୍ଟାର; ହାଓ ଆଇ ୱଣ୍ଡର୍‌ ହ୍ବାଟ୍‌ ୟୁ ଆର୍! ଅପ୍ ଆବୋଭ୍ ଦ ୱାର୍ଲଡ ସୋ ହାଏ; ଲାଇକ୍ ଏ ଡାଇମଣ୍ଡ ଇନ୍‌ ଦ ସ୍କାଏ।’ ଅର୍ଥାତ୍ ଦୁନିଆଠାରୁ ଏତେ ଉଚ୍ଚରେ, ଆକାଶରେ ହୀରା ପରି ଚମକୁଥିବା, ଝଲମଲ ହେଉଥିବା ଛୋଟ ତାରାଟି କ’ଣ ଏବଂ କିପରି ଦିଶେ ତାହା କେବଳ ସେ ସ୍କୁଲରେ ଓ ଘରେ ଟିଭି ପରଦାରେ ଦେଖୁଛି। ତା’ ମନରେ ‘ତାରା’କୁ ନେଇ ସୃଷ୍ଟି ହେଉଥିବା ଉତ୍କଣ୍ଠାକୁ ଦୂର କରିବାକୁ ଆଉ ସୁଯୋଗ ନାହିଁ। ସହରାଞ୍ଚଳର ଅଭିବୃଦ୍ଧି, ଧୂଳିଧୁଆଁର ପ୍ରଦୂଷଣ, ଚାରିଆଡ଼େ ଚିକମିକ୍ ଏବଂ ଉଜ୍ଜ୍ବଳ ଲାଇଟ୍‌ ଯୋଗୁ ସୃଷ୍ଟି ହେଉଥିବା ଆଲୋକ ପ୍ରଭାବରେ ଆକାଶରୁ ତାରା ଉଭାନ ହୋଇଗଲେଣି। ସାରା ବିଶ୍ବରେ ସମସ୍ତ ସହରାଞ୍ଚଳରେ ଏହି ସମସ୍ୟା ସୃଷ୍ଟି ହୋଇଥିବାବେଳେ ଏବେ ଓଡ଼ିଶାର ସମସ୍ତ ସହରାଞ୍ଚଳ, ସହର    ଉପକଣ୍ଠ ଏବଂ ଶିଳ୍ପାଞ୍ଚଳରେ ଏବେ ଏମିତି ସ୍ଥିତି। ଅର୍ଥାତ୍ ଅଧା ଓଡ଼ିଶା ଆକାଶରେ ଏବେ ତାରା ଦିଶୁନାହାନ୍ତି।

ବାୟୁ ପ୍ରଦୂଷଣ ଓ ଆଲୋକ ବାଧକ ସାଜୁଛି
ଦିଗ୍‌ବଳୟର ୪୦ ଡିଗ୍ରି ପର୍ଯ୍ୟନ୍ତ ତାରା ଦେଖାଯାଉନି
ଏଲ୍‌ଇଡି ଷ୍ଟ୍ରିଟ୍‌ ଲାଇଟ୍, ସାଇନ୍‌ବୋର୍ଡର ନିୟନ୍ତ୍ରଣ ଜରୁରି
ପରିବେଶବିତ୍‌ଙ୍କ କହିବାନୁଯାୟୀ, ଆମ ବାୟୁର ଗୁଣବତ୍ତା ମାନ (ଏକ୍ୟୁଆଇ)  ଏତେ ଖରାପ ହୋଇଗଲାଣି ଯେ ଲୋକ ଆକାଶର ରଙ୍ଗ ଜାଣିପାରୁନାହାନ୍ତି; ସେଥିରେ ତାରା କେମିତି ଦେଖାଯିବେ। ସହରର ଅଭିବୃଦ୍ଧି, ଲକ୍ଷଲକ୍ଷ ଗାଡ଼ି ଚାଲିବା, ଶିଳ୍ପାୟନ ଯୋଗୁ ଓଡ଼ିଶାର ବାୟୁମଣ୍ଡଳରେ କ୍ଷୁଦ୍ର ଧୂଳିକଣା (ପିଏମ୍‌ ୨.୫) ଓ ଧୂଳିକଣା (ପିଏମ୍‌ ୧୦) ବହୁତ ଅଧିକ ହୋଇଗଲାଣି। ଯେଉଁଥିପାଇଁ ବାୟୁର ଗୁଣାବତ୍ତାମାନ ଭୁବନେଶ୍ବର, କଟକପୁରୀ, କଳିଙ୍ଗନଗର, ପାରାଦୀପ, ବାଲେଶ୍ବର, ରାଉରକେଲା, ବ୍ରହ୍ମପୁର, ଝାରସୁଗୁଡ଼ା, କେନ୍ଦୁଝର, ରାଇରଙ୍ଗପୁର, ସମ୍ବଲପୁରଭଦ୍ରକଅନୁଗୁଳ, ତାଳଚେର, ଜୟପୁର, ନୟାଗଡ଼ ଭଳି ସହର ସମେତ ସମସ୍ତ ଛୋଟବଡ଼ ସହରରେ ବହୁତ ଖରାପ ହୋଇଗଲାଣି। ରାଜ୍ୟର ଅଧାରୁ ଅଧିକ ସହରରେ ବର୍ଷର ୯ରୁ ୧୦ ମାସ ଏକ୍ୟୁଆଇ ମାନ ହାରାହାରି ୧୦୧ରୁ ୨୦୦ ମଧ୍ୟରେ ରହୁଛି। କେତେକ ସ୍ଥାନରେ ଏହା ‌େକଉଁ କେଉଁ ମାସରେ ୩୦୦ରୁ ୩୫୦ ଅତିକ୍ରମ କରିଯାଉଛି। ସେହିଭଳି ସ୍ଥାନରେ ଆକାଶ ଧୂସୁରିଆ ରହୁଥିବାରୁ ଆକାଶରେ ଜହ୍ନ, ତାରା ଦିଶୁନାହାନ୍ତି।
କେବଳ ବାୟୁ ପ୍ରଦୂଷଣ ନୁହେଁ, ଆଲୋକର ପ୍ରଭାବ ବର୍ତ୍ତମାନ ସାଂଘାତିକ ରୂପ ନେଲାଣି। ସବୁ ସହର ଓ ଗ୍ରାମାଞ୍ଚଳରେ ଲାଗୁଥିବା ଏଲ୍‌ଇଡି ଷ୍ଟ୍ରିଟ ଲାଇଟ୍‌ ଏହାର ବଡ଼ କାରଣ ବୋଲି କୁହାଯାଉଛି। ଏଲ୍‌ଇଡି ବଲ୍‌ବରୁ ଯେଉଁ ଆଲୋକ ତଳେ ପଡ଼ୁଛି ତାହା ପ୍ରତିଫଳନ ହୋଇ ଉପରକୁ ଯାଉଛି। ଧୂଳିକଣା ପ୍ରଭାବରେ ଏହା ଏକ ଆସ୍ତରଣ ସୃଷ୍ଟି କରିବା ସହ ପ୍ରତିଫଳିତ ହୋଇ ବିଚ୍ଛୁରିତ ହେଉଛି। ଯାହା ଆମକୁ ତାରାଙ୍କୁ ଦେଖିବାରେ ପ୍ରତିବନ୍ଧକ ସାଜୁଛି। ହେଲେ ସରକାର ବିଦ୍ୟୁତ୍‌ ବିଲ୍‌ କମାଇବା ଚିନ୍ତାରେ ଏବେ ଗାଁରୁ ସହର ପର୍ଯ୍ୟନ୍ତ ସବୁଠି ମର୍କୁରି ଲାଇଟ୍ ବଦଳରେ ଏଲ୍‌ଇଡି ଲାଇଟ୍ ଲଗାଉଛନ୍ତି। ସେହିପରି ରାସ୍ତାକଡ଼ରେ ଲାଗୁଥିବା ଗ୍ଲୋ ସାଇନ୍‌ ବୋର୍ଡ, ମଲ୍‌, ହୋଟେଲ ଓ ଦୋକାନରେ ଲାଗୁଥିବା ବିଲ୍ ବୋର୍ଡ, ଓଭରବ୍ରିଜ୍‌ ଏବଂ ଫ୍ଲାଏ ଓଭରରେ ଲାଗୁଥିବା ଏଲ୍‌ଇଡି ଷ୍ଟ୍ରିଟ ଲାଇଟ୍ ଆଲୋକର କୁ ପ୍ରଭାବକୁ ବଢ଼ାଇବାରେ ଲାଗିଛି।

ପଠାଣି ସାମନ୍ତ ପ୍ଲାନେଟୋରିୟମର ପୂର୍ବତନ ନିର୍ଦ୍ଦେଶକ ତଥା ଜ୍ୟୋର୍ତିବିଜ୍ଞାନୀ ଶୁଭେନ୍ଦୁ ପଟ୍ଟନାୟକ କହିଛନ୍ତି ଯେ ରାଜ୍ୟର ବହୁ ସ୍ଥାନରେ ଆକାଶରେ ତାରା ଦିଶୁନାହାନ୍ତି। କାରଣ ଆଲୋକ ଓ ବାୟୁ ପ୍ରଦୂଷଣ ମାତ୍ରା ବହୁତ ବଢ଼ିଯାଇଛି। ତାରା ଯେତେବେଳେ ମୁଣ୍ଡ ଉପରକୁ ଆସୁଛନ୍ତି ସେତେବେଳେ ଆମେ କିଛି ତାରାକୁ ଦେଖିପାରୁଛୁ। ଆକାଶରେ ଧ୍ରୁବ ତାରା ଓ ବୃହସ୍ପତି ସବୁଠୁ ଉଜ୍ଜ୍ବଳ ତାରା। ଏହାକୁ ଆମେ ସଦାବେଳେ ଦେଖୁଥିଲୁ। ଏବେ ବିଳମ୍ବିତ ରାତିରେ କାଁଭାଁ ଦେଖୁଛୁ। ସନ୍ଧ୍ୟାରେ ତାରାଙ୍କୁ ଦିଗ୍‌ବଳୟରେ ଦେଖିପାରୁନେ। ଦିଗ୍‌ବଳୟର ୩୦ରୁ ୪୦ଡିଗ୍ରି ମଧ୍ୟରେ ତାରା ଦେଖାଯାଉନାହାନ୍ତି। ଖରାଦିନେ ‘ସପ୍ତଋଷି ମଣ୍ଡଳ’ ଦେଖାଯାଇଥାଏ। ବର୍ଷର ଏହି ସମୟରେ ‘କାଳ ପୁରୁଷ ମଣ୍ଡଳ’ ବା ଲୁବ୍ଧକ ଦେଖାଯାଏ। ତାହା ବି ଦେଖାଯାଉନି। ପିଲା କେବଳ ବହିରେ ତାରା ଏବଂ ତାରା ମଣ୍ଡଳ କଥା ପଢ଼ୁଛନ୍ତି। ଯିଏ ତାଙ୍କୁ ବୁଝାଇବ ସେ ସିନା ତାରା ଦେଖିଲେ କିଛି ବୁଝାଇବ।
ସରକାରଙ୍କୁ ଏଥିପାଇଁ ଯତ୍ନବାନ ହେବାକୁ ପଡ଼ିବ। ବିଭିନ୍ନ ଅଞ୍ଚଳକୁ ନୋ ଲାଇଟ୍‌ ଜୋନ୍ ଘୋଷଣା କରିବାକୁ ପଡ଼ିବ। ଯେମିତି ସେଠାରେ କି ତା’ର ପାଖଆଖ ଅଞ୍ଚଳରେ ସନ୍ଧ୍ୟା ପରେ ଆଲୋକ ଜଳିବନି କି କୌଣସି ଶିଳ୍ପ, କାରଖାନା ଆଦି ରହିବନି। ଗାଡ଼ିର ଲାଇଟ୍‌ଗୁଡ଼ିକ ତଳମୁହାଁ କରିବା ସହ ଏହା ଯେପରି ବିଚ୍ଛୁରିତ ହୋଇ ଉପରକୁ ପଡ଼ିବନି ସେହିଭଳି ନିୟମ ଲାଗୁ କରିବାକୁ ହେବ। ଏହି ବ୍ୟବସ୍ଥା ବର୍ତ୍ତମାନ ବିଦେଶରେ ଲାଗୁ ହେଲାଣି। ଏପରିକି ମହାରାଷ୍ଟ୍ରରେ ସରକାର ପେଞ୍ଚ ବ୍ୟାଘ୍ର ସଂରକ୍ଷଣ ଅଞ୍ଚଳକୁ ‘ନୋ ଲାଇଟ୍‌ ଜୋନ୍’ ବା ଡାର୍କ ସ୍କାଏ ପାର୍କ କରିଥିବା ବେଳେ ଲଦାଖରେ ହାନ୍‌ଲେ ଅଞ୍ଚଳକୁ ଡାର୍କ ସ୍କାଏ ରିଜର୍ଭ ଅଞ୍ଚଳ ଭାବେ ଘୋଷଣା କରାଯାଇଛି। ଏଠାରେ ଲୋକଙ୍କୁ ଜହ୍ନ, ତାରା ଦେଖାଇବାର ବ୍ୟବସ୍ଥା କରୁଛନ୍ତି। ସରକାର ବାୟୁ ପ୍ରଦୂଷଣ କମାଇବାକୁ ବହୁତ ପଦକ୍ଷେପ ନେଉଛନ୍ତି ବୋଲି କହିପାରନ୍ତି, କିନ୍ତୁ ଆଲୋକର ପ୍ରଭାବକୁ ବି ନିୟନ୍ତ୍ରଣ କରିବାକୁ ପଡ଼ିବ ବୋଲି ପରିବେଶବିତ୍‌ ଓ ସଚେତନ ନାଗରିକମାନେ ମତ ଦେଇଛନ୍ତି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button