ଭୁବନେଶ୍ବର: ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟି ଆଜି ବିଧାନସଭାରେ ଅଭିଭାଷଣ ଦେଇ ରାଜ୍ୟ ଅର୍ଥନୀତିର ଏକ ଗୋଲାପୀ ଚିତ୍ର ଉପସ୍ଥାପନ କରିଥିଲେ। ସେ କହିଥିଲେ ଯେ ୨୦୩୬ ଓ ୨୦୪୭କୁ ଦୃଷ୍ଟିରେ ରଖି ଭିଜନ୍ ଡକ୍ୟୁମେଣ୍ଟ୍ ପ୍ରସ୍ତୁତ କରାଯାଇଛି। ୨୦୩୬ ସୁଦ୍ଧା ଓଡ଼ିଶାକୁ ୫୦୦ ବିଲିୟନ ଡଲାର ଓ ୨୦୪୭ ସୁଦ୍ଧା ୧.୫ ଟ୍ରିଲିୟନ ଡଲାର ଅର୍ଥନୀତିରେ ପରିଣତ କରାଯିବ। ଦେଶର ମୋଟ୍ ଘରୋଇ ଉତ୍ପାଦ (ଜିଡିପି)କୁ ରାଜ୍ୟର ଅବଦାନ ବର୍ତ୍ତମାନର ୩ ପ୍ରତିଶତରୁ ବୃଦ୍ଧି ପାଇ ୫ ପ୍ରତିଶତ ହେବ। ରାଜ୍ୟର ବାର୍ଷିକ ଅଭିବୃଦ୍ଧି ହାର ୭ ପ୍ରତିଶତରୁ ବୃଦ୍ଧି ପାଇ ୯.୫ ପ୍ରତିଶତ କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ସେ କହିଥିଲେ। ସେହିପରି, ୨୦୪୭ ସୁଦ୍ଧା ରାଜ୍ୟର ମୁଣ୍ଡପିଛା ଆୟ ବର୍ତ୍ତମାନର ୧.୮ ଲକ୍ଷ ଟଙ୍କାରୁ ବଢ଼ାଇ ୩୨ ଲକ୍ଷ୍ୟ ଟଙ୍କା କରିବା, ବହୁମୁଖୀ ଦାରିଦ୍ର୍ୟକୁ ୫ ପ୍ରତିଶତକୁ କମାଇବା, ମହିଳା ଶ୍ରମଶକ୍ତି ଅଂଶଗ୍ରହଣ ହାରକୁ ୭୦ ପ୍ରତିଶତକୁ ବଢ଼ାଇବା, ଆୟୁ ସୀମାକୁ ୮୦ ବର୍ଷରୁ ଅଧିକ କରିବାକୁ ଲକ୍ଷ୍ୟ ରଖାଯାଇଥିବା ରାଜ୍ୟପାଳ କହିଥିଲେ। ଭିତ୍ତିଭୂମି ବିକାଶ ଉପରେ ସରକାର ଦେଉଥିବା ଗୁରୁତ୍ବ ସମ୍ପର୍କରେ ସେ କହିଥିଲେ ଯେ ୮୩୦୦ କୋଟି ଟଙ୍କାର ରାମେଶ୍ବର-ପାରାଦୀପ ଉପକୂଳ ରାଜପଥ ପ୍ରକଳ୍ପ ଦ୍ବାରା ଦୂରତା ଓ ଯାତ୍ରା ସମୟ ୪୫ ପ୍ରତିଶତ ହ୍ରାସ ପାଇବ। ସେହିପରି ୮୩୦୮ କୋଟି ଟଙ୍କା ବିନିଯୋଗରେ ୬-ଲେନ୍ ବିଶିଷ୍ଟ ପ୍ରବେଶ ନିୟନ୍ତ୍ରିତ ନୂଆ କ୍ୟାପିଟାଲ୍ ରିଜିଅନ ରିଙ୍ଗ୍ ରୋଡ୍ ନିର୍ମାଣ ଭୁବନେଶ୍ବର, କଟକ ଓ ଖୋର୍ଦ୍ଧାରେ ଯାନବାହନ ଭିଡ଼ କମାଇବା ସହ ଲଜିଷ୍ଟିକ୍ ଖର୍ଚ୍ଚ କମ୍ କରିବାରେ ସହାୟକ ହେବ।

