ଦେଶ ବିଦେଶ

Odisha-West Bengal: ପଶ୍ଚିମବଙ୍ଗକୁ ଟପିଲା ଓଡ଼ିଶା: ଅଭିବୃଦ୍ଧି, ମୁଣ୍ଡପିଛା ଆୟ ଅଧିକ

ପୂର୍ବ ଭାରତର ସର୍ବବୃହତ୍‌ ଅର୍ଥନୀତିର ମୁକୁଟ ବଜାୟ ରଖିଥିବା ପଶ୍ଚିମବଙ୍ଗକୁ ଓଡ଼ିଶା କଡ଼ା ଟକ୍କର ଦେଉଛି। ଜିିଡିପି ଅଭିବୃଦ୍ଧି ଓ ମୁଣ୍ଡପିଛା ଆୟ ଭଳି ଗୁରୁତ୍ବପୂର୍ଣ୍ଣ ଅର୍ଥନୈତିକ ମାନଦଣ୍ଡରେ ଏହା ଆଗରେ ରହିଛି। ଗତ କିଛି ବର୍ଷ ମଧ୍ୟରେ ଓଡ଼ିଶାର ଅର୍ଥନୈତିକ ପ୍ରଦର୍ଶନ ବେଶ୍‌ ଚମତ୍କାର ରହିଛି

ନୂଆଦିଲ୍ଲୀ: ପୂର୍ବ ଭାରତର ସର୍ବବୃହତ୍‌ ଅର୍ଥନୀତିର ମୁକୁଟ ବଜାୟ ରଖିଥିବା ପଶ୍ଚିମବଙ୍ଗକୁ ଓଡ଼ିଶା କଡ଼ା ଟକ୍କର ଦେଉଛି। ଜିିଡିପି ଅଭିବୃଦ୍ଧି ଓ ମୁଣ୍ଡପିଛା ଆୟ ଭଳି ଗୁରୁତ୍ବପୂର୍ଣ୍ଣ ଅର୍ଥନୈତିକ ମାନଦଣ୍ଡରେ ଏହା ଆଗରେ ରହିଛି। ଗତ କିଛି ବର୍ଷ ମଧ୍ୟରେ ଓଡ଼ିଶାର ଅର୍ଥନୈତିକ ପ୍ରଦର୍ଶନ ବେଶ୍‌ ଚମତ୍କାର ରହିଛି। ତେଣୁ ଦୁଇ ରାଜ୍ୟ ମଧ୍ୟରେ ଥିବା ଅର୍ଥନୈତିକ ଅନ୍ତର ଦ୍ରୁତ ଗତିରେ ଦୂର ହେବାରେ ଲାଗିଛି।୨୦୨୪-୨୫‌ରେ ଓଡ଼ିଶାର ମୁଣ୍ଡପିଛା ଆୟ ୯୬,୨୨୪ ଟଙ୍କା ହେବା ଆକଳନ କରାଯାଇଛି। ଏହା ପଶ୍ଚିମବଙ୍ଗର ୮୨,୭୮୧ ଟଙ୍କା ଓ ଆସାମର ମୁଣ୍ଡପିଛା ଆୟ ୮୫,୯୮୮ ଟଙ୍କାଠାରୁ ଯଥେଷ୍ଟ ଅଧିକ। ୨୦୧୧-୧୨ରେ ପଶ୍ଚିମବଙ୍ଗ କିନ୍ତୁ ଏହି ଦୁଇ ରାଜ୍ୟଠାରୁ ଯଥେଷ୍ଟ ଆଗରେ ଥିଲା। ସେହିବର୍ଷ ପଶ୍ଚିମବଙ୍ଗର ମୁଣ୍ଡପିଛା ଆୟ ତିନି ରାଜ୍ୟ ଭିତ‌ରେ ସର୍ବାଧିକ ୫୧,୫୪୩ ଟଙ୍କା ଥିଲା। ଓଡ଼ିଶାର ମୁଣ୍ଡପିଛା ଆୟ ୪୮,୩୮୭ ଟଙ୍କା ଓ ଆସାମର ୪୧,୧୪୨ ଟଙ୍କା ଥିଲା। ଜିଡିପି ଅଭିବୃଦ୍ଧି ଉପରେ ନଜର ପକାଇଲେ ଜଣାପଡ଼ୁଛି ଯେ ପଶ୍ଚିମବଙ୍ଗଠାରୁ ଓଡ଼ିଶାର ପ୍ରଦର୍ଶନ ଯଥେଷ୍ଟ ଉନ୍ନତ ରହିଛି। ପଶ୍ଚିମବଙ୍ଗର ଜିଏସ୍‌ଡିପି ହାର ଅଧିକାଂଶ ବର୍ଷ ଜାତୀୟ ହାରଠାରୁ କମ୍‌ ରହିଥିଲା। ଓଡ଼ିଶାର ଅଭିବୃଦ୍ଧି କିନ୍ତୁ ଜାତୀୟ ଅଭିବୃଦ୍ଧି ହାରଠାରୁ ଅଧିକ ରହିଛି। କେତେକ ନିର୍ଦ୍ଦିଷ୍ଟ ବର୍ଷରେ ରାଜ୍ୟ ଅର୍ଥନୀତିର ପ୍ରଦର୍ଶନ ବେଶ୍ ଚମତ୍କାର ରହିଥିଲା। ୨୦୨୦ର କ‌ରୋନା ମହାମାରୀ ପରେ ଅର୍ଥନୀତି ଚମତ୍କାର ପ୍ରତ୍ୟାବର୍ତ୍ତନ କରିଥିଲା। ୨୦୨୧-୨୨‌ରେ ଏହା ୧୬.୪ ପ୍ରତିଶତର ପ୍ରଶଂସନୀୟ ଅଭିବୃଦ୍ଧି ହାସଲ କରିଥିଲା।

ଶିଳ୍ପାୟନରେ ମଧ୍ୟ ପଶ୍ଚିମବଙ୍ଗଠାରୁ ଓଡ଼ିଶାର ପ୍ରଦର୍ଶନ ଉନ୍ନତ ରହିଛି। ୨୦୧୪-୧୫ରୁ ୨୦୨୩-୨୪ ମଧ୍ୟରେ ଆସାମରେ କାରଖାନା ସଂଖ୍ୟା ସର୍ବାଧିକ ୬୩ ପ୍ରତିଶତ ବଢ଼ିଛି ଯାହା ଜାତୀୟ ହାରଠାରୁ ଅଧିକ। ଖଣି ଓ ଧାତବ କ୍ଷେତ୍ରରେ ନିବେଶ ଆକୃଷ୍ଟ କରି ଓଡ଼ିଶାର ଶିଳ୍ପ ଅଭିବୃଦ୍ଧି ମଧ୍ୟ ଜାତୀୟ ହାରଠାରୁ ଅଧିକ ରହିଥିଲା। ପଶ୍ଚିମବଙ୍ଗ କିନ୍ତୁ ଏ‌କ୍ଷେତ୍ରରେ ପଛୁଆ ରହିଯାଇଛି। ସେଠାରେ କାରଖାନା ସଂଖ୍ୟାରେ ନାମମାତ୍ର ବୃଦ୍ଧି ଘଟିଛି। କିନ୍ତୁ ପଶ୍ଚିମବଙ୍ଗରେ ଥିବା କାରଖାନାଗୁଡ଼ିକରୁ ଉତ୍ପାଦନ ଦୁଇ ଗୁଣା ବୃଦ୍ଧି ପାଇଛି। ସେହି ସମୟ ଭିତରେ ଓଡ଼ିଶାର କାରଖାନାଗୁଡ଼ିକରୁ ଉତ୍ପାଦନରେ ୨୯୮ ପ୍ରତିଶତର ବୃଦ୍ଧି ହୋଇଥିଲା।

ମୁଣ୍ଡପିଛା ଆୟ ସ୍ଥିତି (ଟଙ୍କାରେ)
ରାଜ୍ୟ ୨୦୧୧-୧୨ ୨୦୨୪-୨୫
ଓଡ଼ିଶା ୪୮୩୮୭ ୯୬୨୨୪
ପଶ୍ଚିମବଙ୍ଗ ୫୧୫୪୩ ୮୨୭୮୧
ଆସାମ ୪୧୧୪୨ ୮୫୯୮୮

ସୌଜନ୍ୟ ସମ୍ବାଦ

Leave a Reply

Your email address will not be published. Required fields are marked *

Back to top button