
ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟ ଯୁଦ୍ଧ ସଙ୍କଟ ଶେଷ ହେବାର କୌଣସି ସମ୍ଭାବନା ଦେଖାଯାଉନଥିବାରୁ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମହଙ୍ଗା ହୋଇଛି। ଗୁରୁବାର ଅଶୋଧିତ ତୈଳର ବ୍ୟାରେଲ୍ ପିଛା ଦର ୧୧୨ ଡଲାରକୁ ବୃଦ୍ଧି ପାଇଛି। ଇରାନର ବିଭିନ୍ନ ତୈଳ ଭଣ୍ଡାର ଉପରେ ପୁଣି ଥରେ ଆକ୍ରମଣ କରାଯାଉଥିବାରୁ ତେଲ ଦର ବଢ଼ିଛି। ବ୍ରେଣ୍ଟ୍ କ୍ରୁଡ୍ର ବ୍ୟାରେଲ୍ ଦର ୧୧୨ ଡଲାରରୁ ଅଧିକ ହୋଇଛି। ଏଥି ସହିତ ପ୍ରାକୃତିକ ଗ୍ୟାସ୍ ମୂଲ୍ୟରେ ମଧ୍ୟ ୫ ପ୍ରତିଶତ ବୃଦ୍ଧି ଘଟିଛି।
କିଛି ଦିନ ପୂର୍ବେ ବ୍ରେଣ୍ଟ୍ କ୍ରୁଡ୍ ଦାମ୍ ୧୨୦ ଡଲାର ପର୍ଯ୍ୟନ୍ତ ବଢ଼ିଥିଲା। ପରବର୍ତ୍ତୀ ସମୟରେ ସେଥିରେ ସୁଧାର ଘଟିଥିଲା ଓ ତାହା ୮୦ ଡଲାର ପର୍ଯ୍ୟନ୍ତ ହ୍ରାସ ପାଇଥିଲା। ଯୁଦ୍ଧ ତୃତୀୟ ସପ୍ତାହରେ ପହଞ୍ଚିବା ପରେ ତାହା କିଛି ଦିନ ହେବ ୧୦୦ ଡଲାର ପାଖାପାଖି ଥିଲା। ଆଜି ସେଥିରେ ହଠାତ୍ ବଡ଼ ଧରଣର ବୃଦ୍ଧି ଘଟିଛି। ଆଜି ୟୁଏସ୍ ୱେଷ୍ଟ୍ ଟେକ୍ସାସ୍ ଇଣ୍ଟରମେଡିଏଡ୍ କ୍ରୁଡ୍ର ବ୍ୟାରେଲ୍ ପିଛା ଦର ୯୯.୩୫ ଡଲାରକୁ ବୃଦ୍ଧି ପାଇଛି।
ଇରାନରେ ଥିବା ବିଶ୍ବର ସର୍ବବୃହତ୍ ଗ୍ୟାସ୍ କ୍ଷେତ୍ର ସାଉଥ୍ ପାର୍ସ ଉପରେ ହୋଇଥିବା ଆକ୍ରମଣ ପାଇଁ ଆମେରିକା ଓ ଇସ୍ରାଏଲକୁ ଇରାନ ଦାୟୀ କରିଛି। ଏହାର କଡ଼ା ଜବାବ ଦିଆଯିବ ଏବଂ ସାଉଦି ଆରବ, କତର ଓ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ର ଶକ୍ତି ଭିତ୍ତିଭୂମିଗୁଡ଼ିକ ଉପରେ ପ୍ରବଳ ଆକ୍ରମଣ କରାଯିବ ବୋଲି ଇରାନ ଚେତାବନୀ ଦେଇଛି। ଏହି ଦେଶଗୁଡ଼ିକର କେଉଁ କେଉଁ ତୈଳ ଭଣ୍ଡାର ଉପରେ ଆକ୍ରମଣ କରାଯିବ ତାହାର ଏକ ତାଲିକା ଇରାନ ଜାରି କରିଛି।
ହର୍ମୁଜ ପ୍ରଣାଳୀରେ ଜାହାଜ ଚଳାଚଳ ଗୁରୁତର ବାଧାପ୍ରାପ୍ତ
ମଧ୍ୟପ୍ରାଚ୍ୟର ଏହି ଯୁଦ୍ଧ ପ୍ରଭାବରେ ବିଶ୍ବର ସବୁଠୁ ଗୁରୁତ୍ବପୂର୍ଣ୍ଣ ସମୁଦ୍ର ପଥ ହର୍ମୁଜ ପ୍ରଣାଳୀରେ ଜାହାଜ ଚଳାଚଳ ଗୁରୁତର ବାଧାପ୍ରାପ୍ତ ହୋଇଛି। ଉତ୍ତେଜନା ବଢ଼ିଲେ ପରିବହନ ସମ୍ପୂର୍ଣ୍ଣ ବନ୍ଦ ହେବା ଆଶଙ୍କା କରାଯାଉଛି। ସେଥିପାଇଁ ତେଲ ଦର ବଢ଼ିଥିବା ଆଶଙ୍କା କରାଯାଉଛି। ହର୍ମୁଜ ପ୍ରଣାଳୀ ଦେଇ ଭାରତର ଅଧାରୁ ଅଧିକ ତେଲ ଓ ଗ୍ୟାସ୍ ଆସୁଛି। ଭାରତ ଏହାର ଆବଶ୍ୟକତାର ୮୫ ପ୍ରତିଶତ ତେଲ ଆମଦାନି କରୁଥିବାରୁ ଚିନ୍ତା ବଢ଼ିଯାଇଛି। ଏମିତିରେ ବି ଦେଶରେ ଏଲ୍ପିଜିକୁ ନେଇ ଗମ୍ଭୀର ସ୍ଥିତି ରହିଛି।
ସୌଜନ୍ୟ ସମ୍ବାଦ




