ଓଡିଶାମହାନଗର

Opposition : ମହାନଦୀ ଟ୍ରିବ୍ୟୁନାଲ୍‌ର ପାରିବାରିକ ଗସ୍ତକୁ ବିରୋଧ

ମହାନଦୀ ରାଜନୀତି ଥମିବା ନାଁ ଧରୁନି। ଓଡ଼ିଶାରେ ମହାନଦୀ ସ୍ଥିତି ଅନୁଧ୍ୟାନ ପାଇଁ ଆସିଥିବା ମହାନଦୀ ଟ୍ରିବ୍ୟୁନାଲ୍‌ ପରିବାର ସହ ଓଡ଼ିଶା ଗସ୍ତକୁ ଦୃଢ଼ ବିରୋଧ କରିଛି ମହାନଦୀ ବଞ୍ଚାଅ....

ଭୁବନେଶ୍ୱର: ମହାନଦୀ ରାଜନୀତି ଥମିବା ନାଁ ଧରୁନି। ଓଡ଼ିଶାରେ ମହାନଦୀ ସ୍ଥିତି ଅନୁଧ୍ୟାନ ପାଇଁ ଆସିଥିବା ମହାନଦୀ ଟ୍ରିବ୍ୟୁନାଲ୍‌ ପରିବାର ସହ ଓଡ଼ିଶା ଗସ୍ତକୁ ଦୃଢ଼ ବିରୋଧ କରିଛି ମହାନଦୀ ବଞ୍ଚାଅ ଆନ୍ଦୋଳନ। ଏହା ବିରୋଧରେ ସଂଗଠନ ଆଜି ଗାନ୍ଧୀମାର୍ଗରେ ସତ୍ୟାଗ୍ରହ କରିଛି। ଆବାହକ ସୁଦର୍ଶନ ଦାସଙ୍କ ନେତୃତ୍ବରେ ବିଭିନ୍ନ ରାଜନୈତିକ ଦଳର ନେତୃବର୍ଗ, ବୁଦ୍ଧିଜୀବୀ ଆଜି ଦିନତମାମ ଏହି ସତ୍ୟାଗ୍ରହରେ ଯୋଗଦେଇ ଟ୍ରିବ୍ୟୁନାଲ୍‌ଙ୍କ ପାରିବାରିକ ଗସ୍ତକୁ ତୀବ୍ର ସମାଲୋଚନା କରିଛନ୍ତି। ତୁରନ୍ତ ମହାନଦୀ ସମସ୍ୟା ସମାଧାନ ନ ହେଲେ ମହାନଦୀ ବଞ୍ଚାଅ ଆନ୍ଦୋଳନର ଏହି ଲଢେଇକୁ ଜୋରଦାର କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ଅବସରରେ ଗୀତ ଗାଇ, ଘଣ୍ଟ, ଗିନି ବଜାଇ ଓ ଶଙ୍ଖ ଫୁଙ୍କି ସଂଗଠନ ପ୍ରତିବାଦ ଜଣାଇଛି। ସେପଟେ ରାଜ୍ୟର ବିଭିନ୍ନ ସ୍ଥାନରେ ବି ପ୍ରତିବାଦର ସ୍ବର ଉଠିଛି।

ମହାନଦୀ ସମସ୍ୟାର ଆପୋସ ସମାଧାନର ଆଧାର କ’ଣ ହେବ, ରାଜ୍ୟ ସରକାର ସ୍ପଷ୍ଟ କରନ୍ତୁ ବୋଲି ବିଜେଡି ବିଧାୟକ ଗଣେଶ୍ୱର ବେହେରା ଦାବି କରିଛନ୍ତି। ମହାନଦୀ ସମସ୍ୟାର ସମାଧାନ ପାଇଁ ମହାନଦୀ ବଞ୍ଚାଅ ଆନ୍ଦୋଳନ ନେତୃତ୍ୱରେ ଏପରି ଦୁର୍ବାର ଆନ୍ଦୋଳନ ହେବ ଯେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରର ନିଦ ହଜିଯିବ, ସରକାର ଏହି ସମସ୍ୟାର ସମାଧାନ କରିବାକୁ ବାଧ୍ୟ ହେବେ ବୋଲି ପୂର୍ବତନ ବିଧାୟକ ମହମ୍ମଦ ମୋକିମ କହିଛନ୍ତି। କଂଗ୍ରେସ ଉପସଭାପତି ଶିବାନନ୍ଦ ରାୟ ବିଜେଡି-ବିଜେପି ଉଭୟ ମହାନଦୀକୁ ଶିଳ୍ପ ପାଇଁ ଶୋଷଣ କରିଛନ୍ତି ବୋଲି କହିଥିଲେ। ସିପିଆଇର ପୂର୍ବତନ ବିଧାୟକ ରାଧାକାନ୍ତ ସେଠୀ, କିଷାନ କଂଗ୍ରେସ ଜାତୀୟ ସଭାପତି ଅମିୟ ପଟ୍ଟନାୟକ, ରାଜ୍ୟ କିଷାନ କଂଗ୍ରେସ ସଭାପତି ଅଭୟ ସାହୁ, ଜାତୀୟ ଶିକ୍ଷକ ନେତା ଅମିୟ ମହାନ୍ତି, ସିପିଆଇ(ଏମ୍‌ଏଲ୍‌) ସମ୍ପାଦକ ଯୁଧିଷ୍ଠିର ମହାପାତ୍ର ମହାନଦୀ ପାଇଁ ଏକ ହୋଇ ଲଢ଼ିବାକୁ ଆହ୍ବାନ ଦେଇଥିଲେ।  ଯୁଗ୍ମ ଆବାହକ ବାସୁଦେବ ଭଟ୍ଟ, ମୁଖପାତ୍ର ପ୍ରସନ୍ନ ବିଶୋୟୀ, ମନୋଜ ଜେନା,ସଂଯୋଜକ ବିଜୟ ପ୍ରଧାନ, ଫରୱାର୍ଡ଼ ବ୍ଲକ୍‌ ସମ୍ପାଦକ ଜ୍ୟୋତିରଞ୍ଜନ ମହାପାତ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ସତ୍ୟାଗ୍ରହରେ ଗନ୍ଧର୍ବ ନାୟକ, ଚିନ୍ମୟ ପଣ୍ଡା, ଗିରିବାଳା ବେହେରା, ନିକୁଞ୍ଜ ପଶାୟତ, ଶୁଭେନ୍ଦୁ ମଲ୍ଲିକ, ଅଶୋକ ପାଇକରାୟ, ଅରୁଣ ସ୍ୱାଇଁ, ପଦ୍ମନାଭ ସାହୁ, ଶଙ୍କର୍ଷଣ ବାରିକ, କଳ୍ପନା ସାହୁ, ମନୋଜ ବାରିକ, ସୁଶିଲ ଥାନାପତି, ଲକ୍ଷ୍ମୀ ଦୋରା, ରିଙ୍କି ସାହୁ, ଦିଶା ଆଜାଦ, ସୁବ୍ରତ ସାହୁ, ଅମିତ, ବିଭୁତି ବିଶ୍ୱାଳ, ଶୁଭକାନ୍ତ ବେହେରା ପ୍ରମୁଖ ସାମିଲ ଥିଲେ।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button