ଓଡିଶାମହାନଗର

Order to submit: ସରକାରଙ୍କୁ ସତ୍ୟପାଠ ଦାଖଲ ନିର୍ଦ୍ଦେଶ

ପୁଲିସ ନିଯୁକ୍ତି ପାଇଁ ସରକାର ପ୍ରଣୟନ କରିଥିବା ନୂଆ ନିୟମାବଳୀ ‘ଓଡ଼ିଶା ୟୁନିଫାଏଡ୍‌ ସର୍ଭିସେସ୍‌ ଷ୍ଟାଫ ସିଲେକ୍ସନ୍‌ କମିସନ ରୁଲ୍‌ସ, ୨୦୨୫’ କେବେ କାର୍ଯ୍ୟକାରୀ ହେବ ସେ ନେଇ ସତ୍ୟପାଠ....

କଟକପୁଲିସ ନିଯୁକ୍ତି ପାଇଁ ସରକାର ପ୍ରଣୟନ କରିଥିବା ନୂଆ ନିୟମାବଳୀ ‘ଓଡ଼ିଶା ୟୁନିଫାଏଡ୍‌ ସର୍ଭିସେସ୍‌ ଷ୍ଟାଫ ସିଲେକ୍ସନ୍‌ କମିସନ ରୁଲ୍‌ସ, ୨୦୨୫’ କେବେ କାର୍ଯ୍ୟକାରୀ ହେବ ସେ ନେଇ ସତ୍ୟପାଠ ମାଧ୍ୟମରେ ଅବଗତ କରିବାକୁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ୍‌ ହରିଶ ଟଣ୍ଡନ ଓ ଜଷ୍ଟିସ୍‌ ଏମ.ଏସ୍‌.ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଆଇନଜୀବୀ ଶିବଶଙ୍କର ମହାନ୍ତିଙ୍କ ପୁଲିସ ଏସ୍‌ଆଇ ନିଯୁକ୍ତି କେଳେଙ୍କାରୀ ସଂପର୍କିତ ଜନସ୍ବାର୍ଥ ମାମଲାର ଶୁଣାଣି ହୋଇଥିଲା। ୨୦୨୫, ଡିସେମ୍ବର ୫ରେ ସରକାର ନୂଆ ନିୟମାବଳୀ ସଂକ୍ରାନ୍ତ ଗେଜେଟ୍‌ ବିଜ୍ଞପ୍ତି ପ୍ରକାଶ କରିଥିଲେ।

କିନ୍ତୁ ଏହି ନୂଆ ନିୟମାବଳୀ ଅନୁସାରେ ସରକାର ଗଠନ କରିବାକୁ ଥିବା ଚୟନ କମିସନର ସଭାପତି ଓ ସଦସ୍ୟ ନିଯୁକ୍ତି ପାଇଁ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ ବୋଲି ଆବେଦନକାରୀଙ୍କ ପକ୍ଷରୁ ଦର୍ଶାଯାଇଥିଲା। ପୁଲିସ ବିଭାଗରେ ବହୁ ପଦବି ଖାଲି ପଡ଼ିଛି। ସରକାର ଖାଲି ପଡ଼ିଥିବା ପଦବି ପୂରଣ ସହ ନିୟମାବଳୀ ସଂପୂର୍ଣ୍ଣ କାର୍ଯ୍ୟକାରୀ ପାଇଁ ପଦକ୍ଷେପ ଗ୍ରହଣ କରିନାହାନ୍ତି ବୋଲି ଆବେଦନକାରୀ ଅଭିଯୋଗ କରିଥିଲେ। ନୂଆ ନିୟମାବଳୀ କାର୍ଯ୍ୟକାରୀ ପାଇଁ କଣ ପଦକ୍ଷେପ ନିଆଯାଇଛି, ଆଉ କେତେ ଦିନ ଲାଗିବ ବୋଲି ସରକାରଙ୍କୁ ହାଇକୋର୍ଟ ପ୍ରଶ୍ନ କରିଥିଲେ। ଏଥିପାଇଁ ସରକାର ସମୟ ଲୋଡ଼ିଥିବା ବେଳେ ଦୁଇ ସପ୍ତାହ ଭିତରେ ସତ୍ୟପାଠ ଦାଖଲ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେବା ସହିତ ଫେବ୍ରୁଆରି ୧୦କୁ ମାମଲର ପରବର୍ତ୍ତୀ ଶୁଣାଣି ଧାର୍ଯ୍ୟ କରିଛନ୍ତି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ନୂଆ ନିୟମାବଳୀ ଅନୁସାରେ ସରକାର ଓଡ଼ିଶା ୟୁନିଫାଏଡ୍‌ ସର୍ଭିସେସ୍‌ ଷ୍ଟାଫ ସିଲେକ୍ସନ୍‌ କମିସନ ଗଠନ କରିବେ। ଏଥିରେ ଅଧ୍ୟକ୍ଷ ଓ ଦୁଇ ଜଣ ସଦସ୍ୟ ରହିବେ। ସାଧାରଣ ପ୍ରଶାସନ ବିଭାଗର ପ୍ରଶାସନିକ ନିୟନ୍ତ୍ରଣରେ ଏହି କମିସନ କାର୍ଯ୍ୟ କରିବ। କମିସନ ମୁଖ୍ୟାଳୟ ଭୁବନେଶ୍ବରରେ ହେବ। ବିଭିନ୍ନ ବିଭାଗ ତରଫରୁ ଗ୍ରୁପ-ସି ଓ ଡି’ରେ ଖାଲିଥିବା ଓ ଖାଲି ହେବାକୁ ଥିବା ପଦ ସଂକ୍ରାନ୍ତରେ କମିସନଙ୍କୁ ପ୍ରତିବର୍ଷ ଜାନୁଆରିରେ ଅବଗତ କରାଯିବ। ପୁଲିସ ସବ୍‌ଇନ୍ସପେକ୍ଟର, ସିପାହି, କନେଷ୍ଟବଳ, ଅଗ୍ନିଶମ ବିଭାଗର ଫାୟରମ୍ୟାନ୍‌, ଷ୍ଟେସନ୍‌ ଅଫିସର ଓ ଅନ୍ୟ ପଦ, ଜେଲ ବିଭାଗର ୱାର୍ଡର, ସହକାରୀ ଜେଲର ଓ ଅନ୍ୟ ପଦ, ଅବକାରୀ ବିଭାଗର କନେଷ୍ଟବଳ, ସବ୍ଇନ୍ସପେକ୍ଟର, ବନ ବିଭାଗର ଫରେଷ୍ଟ ଗାର୍ଡ, ଫରେଷ୍ଟର, ରେଞ୍ଜର, ପରିବହନ ବିଭାଗର ଟ୍ରାଫିକ କନେଷ୍ଟବଳ, ଏସଆଇ (ଟ୍ରାଫିକ) ଓ ଅନ୍ୟ ପଦରେ ନିଯୁକ୍ତି ପାଇଁ ପ୍ରାର୍ଥୀ ଚୟନ ଏହି କମିସନ ଜରିଆରେ କରାଯିବ। ଏହି ନୂଆ ନିୟମାବଳୀ ଆସିବା ପରେ ଓଡ଼ିଶା ପୁଲିସ ନିଯୁକ୍ତି ବୋର୍ଡ (ଓପିଆର୍‌ବି)ର ସ୍ଥିତିକୁ ‌‌ନେଇ ପ୍ରଶ୍ନ ଉଠିଛି।   ସୂଚନାଯୋଗ୍ୟ ଯେ ଓପିଆର୍‌ବିର ଏସ୍‌ଆଇ ପରୀକ୍ଷା କେଳେଙ୍କାରୀ ଘଟଣାକୁ ନେଇ ଦାୟର ଜନସ୍ବାର୍ଥ ମାମଲାରେ ପରୀକ୍ଷା ପରିଚାଳନା ପାଇଁ ସରକାରଙ୍କ ନିଜସ୍ବ ବ୍ୟବସ୍ଥା ଥିବା ବେଳେ କଣ ପାଇଁ ଘରୋଇ ଏଜେନ୍‌ସି ଦାୟିତ୍ବ ଦିଆଯାଇଥିଲା, ସେ ନେଇ ପ୍ରଶ୍ନ ଉଠାଯାଇଛି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button