ମୁମ୍ବାଇ: ସ୍ବାଧୀନ ଭାରତର ପ୍ରଥମ ବ୍ୟକ୍ତିଗତ ଅଲମ୍ପିକ ପଦକ ବିଜେତା କୁସ୍ତିଯୋଦ୍ଧା ଖାସାବା ଦାଦାସାହେବ ଯାଦବଙ୍କୁ ମରଣୋତ୍ତର ପଦ୍ମ ବିଭୂଷଣ ପ୍ରଦାନ କରିବା ସମ୍ପର୍କରେ ମେ ୪ ସୁଦ୍ଧା ନିଷ୍ପତ୍ତି ନେବାକୁ ବମ୍ବେ ହାଇକୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ଯାଦବଙ୍କ ପୁଅ ରଂଜିତ ଯାଦବ ଓ କୁସ୍ତିବୀର ଖାସାବା ଯାଦବ ଫାଉଣ୍ଡେସନ ପକ୍ଷରୁ ଆଗତ ଏକ ଜନସ୍ବାର୍ଥ ମାମଲାରେ ଶୁଣାଣି କରି ଜଷ୍ଟିସ୍ ମାଧବ ଜମାଦାର ଓ ପ୍ରବୀଣ ପାଟିଲଙ୍କୁ ନେଇ ଗଠିତ ହାଇକୋର୍ଟଙ୍କ କୋହ୍ଲାପୁର ବେଞ୍ଚ୍ କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ଏପ୍ରିଲ ୧୫ରେ ଏହି ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ କହିଛନ୍ତି ଯେ ଏଥିରେ ସଂଦେହ ନାହିଁ ଯେ ମହାରାଷ୍ଟ୍ରର କୁସ୍ତିଯୋଦ୍ଧା ଯାଦବ ଭାରତର ପ୍ରଥମ ଅଲମ୍ପିକ ପଦକ ବିଜେତା। ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ମେ ୫ରେ ହେବ।
ଖାସାବା ଯାଦବ ୧୯୫୨ରେ ଅନୁଷ୍ଠିତ ହେଲସିଙ୍କି ଅଲମ୍ପିକରେ କୁସ୍ତିରେ କାଂସ୍ୟ ପଦକ ଜିତିଥିଲେ। ୧୯୮୪ରେ ତାଙ୍କର ପରଲୋକ ହୋଇଥିବାବେଳେ ତାହାର ଏକ ଲମ୍ବା ସମୟ ପରେ ତାଙ୍କୁ ୨୦୦୧ରେ ମରଣୋତ୍ତରଭାବେ ଅର୍ଜୁନ ପୁରସ୍କାର ଦିଆଯାଇଥିଲା।
ସୌଜନ୍ୟ ସମ୍ବାଦ

