ଦେଶ ବିଦେଶ

Dalit woman: କର୍ଣ୍ଣାଟକରେ ଦଳିତ ମହିଳାଙ୍କୁ ହତ୍ୟା

କର୍ଣ୍ଣାଟକର ଉତ୍ତର କନ୍ନଡ଼ ଜିଲ୍ଲାର ୟେଲ୍ଲାପୁରରେ ଜଣେ ୩୦ ବର୍ଷୀୟା ଦଳିତ ମହିଳାଙ୍କୁ ରାସ୍ତା ଉପରେ ଛୁରି ଭୁସି ହତ୍ୟା କରାଯାଇଛି। ମହିଳାଙ୍କ ପରିଚିତ ବ୍ୟକ୍ତି ଏହି ହତ୍ୟାକାଣ୍ଡ ଭିଆଇଥିବା...

ବେଙ୍ଗାଲୁରୁ: କର୍ଣ୍ଣାଟକର ଉତ୍ତର କନ୍ନଡ଼ ଜିଲ୍ଲାର ୟେଲ୍ଲାପୁରରେ ଜଣେ ୩୦ ବର୍ଷୀୟା ଦଳିତ ମହିଳାଙ୍କୁ ରାସ୍ତା ଉପରେ ଛୁରି ଭୁସି ହତ୍ୟା କରାଯାଇଛି। ମହିଳାଙ୍କ ପରିଚିତ ବ୍ୟକ୍ତି ଏହି ହତ୍ୟାକାଣ୍ଡ ଭିଆଇଥିବା ଅଭିଯୋଗ ହୋଇଥିଲା। ପୁଲିସ ଅଧିକ୍ଷକ ଦୀପନ୍ ଏମ୍‌ଏନ୍‌ କହିଛନ୍ତି, ଅଭିଯୁକ୍ତ ରଫିକ୍‌ ଇମାମ୍‌ସାବର ଶବ ରବିବାର ୟେଲ୍ଲାପୁର ନିକଟ ଜଙ୍ଗଲରେ ଏକ ଗଛରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ଅନେକ ହିନ୍ଦୁ ସଙ୍ଗଠନ ରବିବାର ୟେଲ୍ଲାପୁରରେ ବନ୍ଦ ଡାକରା ଦେଇଛନ୍ତି। ମହିଳାଙ୍କୁ ଲଭ୍‌ ଜିହାଦ ମାମଲାରେ ହତ୍ୟା କରାଯାଇଥିବା ସେମାନେ ଅଭିଯୋଗ କରିଛନ୍ତି। ମୃତ ମହିଳା ରଞ୍ଜିତା ଭାନ୍‌ସୋଦ ବୋଲି ଜଣାପଡ଼ିଛି। ପୁଲିସ କହିଛି ରଞ୍ଜିତା ଓ ରଫିକ୍‌ ସ୍କୁଲ ଦିନରୁ ବନ୍ଧୁ। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ରଫିକ୍‌ ରଞ୍ଜିତାଙ୍କ ଉପରେ ବିବାହ କରିବାକୁ ଚାପ ପକାଉଥିଲା। ସେ କିନ୍ତୁ ମନା କରିବାରୁ ଅଭିଯୁକ୍ତ ମହିଳାଙ୍କୁ ଛୁରି ଭୁସି ହତ୍ୟା କରିଛି। ରଞ୍ଜିତା କର୍ମକ୍ଷେତ୍ରରୁ ଘରକୁ ଫେରୁଥିବା ସମୟରେ ଶନିବାର ଅପରାହ୍ଣରେ ତାଙ୍କୁ ହତ୍ୟା କରାଯାଇଥିବା ପୁଲିସ କହିଛି। ରଞ୍ଜିତା ୧୨ ବର୍ଷ ପୂର୍ବେ ମହାରାଷ୍ଟ୍ରର ସଚିନ କଟେରାଙ୍କୁ ବିବାହ କରିଥିଲେ ଓ ତାଙ୍କର ୧୦ ବର୍ଷ ପୁଅ ଅଛି। ସେ ନିଜ ସ୍ବାମୀଙ୍କଠାରୁ ଅଲଗା ପରିବାର ସହିତ ୟେଲ୍ଲାପୁରରେ ରହୁଥିଲେ।

ରଞ୍ଜିତା ଏକ ସ୍କୁଲରେ ମଧ୍ୟାହ୍ନ ଭୋଜନ ସହାୟିକା ଭାବେ କାମ କରନ୍ତି। ଅଭିଯୁକ୍ତ ଅନେକ ସମୟରେ ତାଙ୍କ ଘରକୁ ଖାଇବାକୁ ଆସିଥାଏ। କିନ୍ତୁ ସେ ରଞ୍ଜିତାଙ୍କୁ ବିବାହ କରିବାକୁ ଜିଦ୍‌ ଧରିବାରୁ ଉତ୍ତେଜନା ବଢ଼ିଥିଲା। ରଞ୍ଜିତା ଓ ତାଙ୍କ ପରିବାର ଏହାକୁ ବିରୋଧ କରିବାରୁ ଅଭିଯୁକ୍ତ ରଞ୍ଜିତାଙ୍କୁ ହତ୍ୟା କରିଥିବା ଜଣାପଡ଼ିଛି। ରଞ୍ଜିତାଙ୍କୁ ହତ୍ୟା ପରେ ରଫିକ୍‌କୁ ଗିରଫ କରିବାକୁ ସ୍ଥାନୀୟ ଲୋକ ଦାବି କରିଥିଲେ। କିନ୍ତୁ ପୁଲିସ ତୁରନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା। ଅନ୍ୟପକ୍ଷରେ ରବିବାର ରଫିକ୍‌ର ଶବ ଜଙ୍ଗଲରୁ ମିଳିଥିଲା। ବିଜେପିର ରାଜ୍ୟ ଅଧ୍ୟକ୍ଷ ବିୱାଇ ବିଜୟେନ୍ଦ୍ର ରବିବାର ରଞ୍ଜିତଙ୍କ ପରିବାରକୁ ଭେଟିଥିଲେ। ଏହି ମାମଲାରେ ଉତ୍ତେଜନା ବଢ଼ୁଥିବାରୁ ପୁଲିସ ୟେଲ୍ଲାପୁର ଓ ଏହାର ଆଖପାଖ ଅଞ୍ଚଳରେ ଅଧିକ ପୁଲିସ ମୁତୟନ କରିଛନ୍ତି।

 

 

ସୌଜନ୍ୟ ସମ୍ବାଦ

Leave a Reply

Your email address will not be published. Required fields are marked *

Back to top button