TMC: ତୃଣମୂଳ ଛାଡ଼ି ବିଜେପିକୁ ଯାଇଥିବା ୩ ପୂର୍ବତନ ସାଂସଦ ପୁଣି ରାଜ୍ୟସଭାକୁ ନିର୍ବାଚିତ

ତୃଣମୂଳ କଂଗ୍ରେସ (ଟିଏମ୍ସି) ଛାଡ଼ି କିଛି ଦିନ ତଳେ ଭାରତୀୟ ଜନତା ପାର୍ଟି (ବିଜେପି)ରେ ଯୋଗ ଦେଇଥିବା ୩ ଜଣ ପୂର୍ବତନ ରାଜ୍ୟସଭା ସାଂସଦ ଶୁକ୍ରବାର ପଶ୍ଚିମବଙ୍ଗରୁ ବିଜେପି ପ୍ରାର୍ଥୀ ଭାବେ ବିନା ପ୍ରତିଦ୍ୱନ୍ଦ୍ୱିତାରେ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି।
ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସ (ଟିଏମ୍ସି) ଛାଡ଼ି କିଛି ଦିନ ତଳେ ଭାରତୀୟ ଜନତା ପାର୍ଟି (ବିଜେପି)ରେ ଯୋଗ ଦେଇଥିବା ୩ ଜଣ ପୂର୍ବତନ ରାଜ୍ୟସଭା ସାଂସଦ ଶୁକ୍ରବାର ପଶ୍ଚିମବଙ୍ଗରୁ ବିଜେପି ପ୍ରାର୍ଥୀ ଭାବେ ବିନା ପ୍ରତିଦ୍ୱନ୍ଦ୍ୱିତାରେ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି। ସୁଖେନ୍ଦୁ ଶେଖର ରାୟ, ସୁସ୍ମିତା ଦେବ ଓ ପ୍ରକାଶ ଚିକ୍ ବାରାଇକଙ୍କ ବିଜୟ ସହ ପଶ୍ଚିମବଙ୍ଗ ରାଜନୀତିରେ ଦଳବଦଳର ପ୍ରଭାବ ସ୍ପଷ୍ଟ ହୋଇଛି। ଏଥି ସହ ରାଜ୍ୟସଭାରେ ବିଜେପି ତଥା ଏନ୍ଡିଏର ଶକ୍ତି ବୃଦ୍ଧି ପାଇଛି।
ଏହି ତିନି ନେତା ସମ୍ପ୍ରତି ତୃଣମୂଳ କଂଗ୍ରେସରୁ ଇସ୍ତଫା ଦେଇ ବିଜେପିରେ ଯୋଗ ଦେଇଥିଲେ। ଦଳରେ ଯୋଗଦାନର ଅଳ୍ପ କିଛି ଦିନ ମଧ୍ୟରେ ବିଜେପି ସେମାନଙ୍କୁ ରାଜ୍ୟସଭା ଉପନିର୍ବାଚନ ପାଇଁ ପ୍ରାର୍ଥୀ କରିଥିଲା। ନାମାଙ୍କନ ପ୍ରତ୍ୟାହାର ସମୟସୀମା ଶେଷ ହେବା ପରେ ଅନ୍ୟ କୌଣସି ପ୍ରାର୍ଥୀ ମଇଦାନରେ ନ ଥିବାରୁ ସେମାନଙ୍କୁ ବିନା ପ୍ରତିଦ୍ୱନ୍ଦ୍ୱିତାରେ ବିଜୟୀ ଘୋଷଣା କରାଯାଇଛି। ସୁଖେନ୍ଦୁ ଶେଖର ରାୟ ତୃଣମୂଳର ଜଣେ ବରିଷ୍ଠ ନେତା ଭାବେ ପରିଚିତ ଥିବାବେଳେ ସୁସ୍ମିତା ଦେବ ମଧ୍ୟ ଦଳର ଅନ୍ୟତମ ପ୍ରମୁଖ ମୁହଁ ଥିଲେ।
ପ୍ରକାଶ ଚିକ୍ ବାରାଇକ ମଧ୍ୟ ତୃଣମୂଳ ଛାଡ଼ି ବିଜେପିରେ ସାମିଲ ହେବା ପରେ ଦଳ ପକ୍ଷରୁ ରାଜ୍ୟସଭା ପ୍ରାର୍ଥୀ ହୋଇଥିଲେ। ଏହି ତିନିଜଣଙ୍କ ରାଜ୍ୟସଭାକୁ ପୁନଃ ନିର୍ବାଚନ ବିଜେପି ପାଇଁ ଏକ ରାଜନୈତିକ ସଫଳତା ଭାବେ ଦେଖାଯାଉଛି। ପଶ୍ଚିମବଙ୍ଗରେ ସମ୍ପ୍ରତି ତୃଣମୂଳର ଅନେକ ନେତା ଦଳ ଛାଡ଼ୁଥିବାରୁ ରାଜ୍ୟର ରାଜନୀତି ଅଧିକ ସରଗରମ ହୋଇପଡ଼ିଛି। ଏହି ଘଟଣାକୁ ଆସନ୍ତା ଦିନରେ ରାଜ୍ୟର ରାଜନୈତିକ ସମୀକରଣ ଉପରେ ପ୍ରଭାବ ପକାଇପାରୁଥିବା ଏକ ଗୁରୁତ୍ୱପୂର୍ଣ୍ଣ ବିକାଶ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।
ସୌଜନ୍ୟ ସମ୍ବାଦ




