ଖେଳ

Pakistan takes revenge on America: ଆମେରିକାଠୁ ପ୍ରତିଶୋଧ ନେଲା ପାକିସ୍ତାନ

ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ଅନ୍ୟତମ ପ୍ରତୀକ୍ଷିତ ମୁକାବିଲାରେ ପୂର୍ବବିଜେତା ପାକିସ୍ତାନ ଅନଭିଜ୍ଞ ଆମେରିକାକୁ ୩୨ ରନ୍‌ରେ ହରାଇ ଦେଇଛି। ଫଳରେ ଗତ ବିଶ୍ବକପ୍‌ରେ ଆମେରିକାଠାରୁ ଅପ୍ରତ୍ୟାଶିତ ଭାବେ ହାରି ଳଜ୍ଜିତ ହେବାର ମଧୁର ପ୍ରତିଶୋଧ ନେଇଛି।

କଲମ୍ବୋ: ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ଅନ୍ୟତମ ପ୍ରତୀକ୍ଷିତ ମୁକାବିଲାରେ ପୂର୍ବବିଜେତା ପାକିସ୍ତାନ ଅନଭିଜ୍ଞ ଆମେରିକାକୁ ୩୨ ରନ୍‌ରେ ହରାଇ ଦେଇଛି। ଫଳରେ ଗତ ବିଶ୍ବକପ୍‌ରେ ଆମେରିକାଠାରୁ ଅପ୍ରତ୍ୟାଶିତ ଭାବେ ହାରି ଳଜ୍ଜିତ ହେବାର ମଧୁର ପ୍ରତିଶୋଧ ନେଇଛି। ଘରୋଇ ପରିବେଶରେ ଖେଳିଥିବା ଗତ ବିଶ୍ବକପ୍‌ରେ ଆମେରିକା ସୁପର ଓଭରରେ ପାକିସ୍ତାନକୁ ୫ ରନ୍‌ରେ ହରାଇ ବିଶ୍ବକପ୍‌ ଇତିହାସର ଅନ୍ୟତମ ବଡ଼ ବିପର୍ଯ୍ୟୟ ସୃଷ୍ଟି କରିଥିଲା। ଏଥର କିନ୍ତୁ ପାରୁ ପର୍ଯ୍ୟନ୍ତ ଲଢ଼ିଥିଲେ ମଧ୍ୟ ସେହି ସଫଳତାକୁ ଦୋହରାଇବାକୁ ସକ୍ଷମ ହୋଇପାରିନାହିଁ।

ମଙ୍ଗଳବାରର ଏହି ତୃତୀୟ ତଥା ଶେଷ ମ୍ୟାଚ୍‌ରେ ପାକିସ୍ତାନ ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇ ୯ ୱିକେଟ୍‌ ବିନିମୟରେ ୧୯୦ ରନ୍‌ କରିଥିଲା। ଓପନର୍‌ ସୈମ ଆୟୁବ ଓ ଅଧିନାୟକ ସଲମାନ ଆଗା ବିଫଳ ହୋଇଥିଲେ। ହେଲେ ସାହିବଜାଦା ଫରହାନଙ୍କ ଦ୍ରୁତ ଅର୍ଦ୍ଧଶତକ ଏବଂ ପୂର୍ବତନ ଅଧିନାୟକ ବାବର ଆଜମ (୪୬)ଙ୍କ ସହ ଅଲ୍‌ରାଉଣ୍ଡର୍‌ ସଦାବ ଖାନ୍‌ (୩୦)ଙ୍କ ଉପଯୋଗୀ ପାଳି ପାଇଁ ପାକିସ୍ତାନ ଏହି ଆହ୍ବାନଭରା ସ୍କୋର୍‌ କରି ନେଇଥିଲା। ଜବାବରେ ଆମେରିକା ପକ୍ଷରୁ ସାହାନ ଜାହାଙ୍ଗୀର ଓ ଶୁଭମ ରଞ୍ଜନେ ଭଲ ବ୍ୟାଟିଂ କରିଥିଲେ। ତେବେ ଉଭୟ ଦଳ ମଧ୍ୟରେ ଖେଳାଯାଇଥିବା ଗତ ବିଶ୍ବକପ୍‌ ମୁକାବିଲାର ମୁଖ୍ୟ ନାୟକ ତଥା ଅଧିନାୟକ ମୋନାକ ପଟେଲ (୩) ବିଫଳ ହେବା ଦଳ ପରାଜୟର କାରଣ ହୋଇଥିଲା। ପାକିସ୍ତାନର ଅଣପାରମ୍ପରିକ ତଥା ବିବାଦୀୟ‌ ବୋଲିଂ ଶୈଳୀ-ବିଶିଷ୍ଟ ସ୍ପିନର୍‌ ଉସ୍‌ମାନ ତାରିକ୍‌ଙ୍କ ବୋଲିଂକୁ ସମ୍ମୁଖୀନ ହେବା ବି ଆମେରିକା ବ୍ୟାଟର୍‌ଙ୍କ ପାଇଁ କାଠିକର ପାଠ ହୋଇଥିଲା। ଶେଷରେ ଆମେରିକା ୮ ୱିକେଟ୍‌ ହରାଇ ୧୫୮ ରନ୍‌ରେ ଅଟକି ଯାଇଥିଲା।

ସଂକ୍ଷିପ୍ତ ସ୍କୋର୍‌: ପାକିସ୍ତାନ ୨୦ ଓଭରରେ-୧୯୦/୯ ( ସାହିବଜାଦା ଫରହାନ ୭୩, ବାବର ଆଜମ ୪୬,  ସଦାବ ଖାନ ୩୦, ସାଡ୍‌ଲି ଭାନ୍‌ ସ୍କଲ୍‌କୱିକ୍‌ ୪/୨୫, ମହମ୍ମଦ ମୋହସିନ ୧/୨୭)। ଆମେରିକା ୨୦ ଓଭରରେ-୧୫୮/୮ (ଶୁଭମ ରଞ୍ଜନେ ୫୧, ସାହାନ ଜାହାଙ୍ଗୀର ୪୯, ମିଲିନ୍ଦ କୁମାର ୨୯, ଉସ୍‌ମାନ ତାରିକ୍‌ ୩/୨୯, ସଦାବ ଖାନ୍‌ ୨/୨୬, ମହମ୍ମଦ ନୱାଜ ୧/୨୧)।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button