Pakistan Vs Afghanistan: ପୁଣି ଚରମ ସୀମାରେ ଉତ୍ତେଜନା: ଆଫଗାନିସ୍ତାନ ଉପରେ ପାକିସ୍ତାନର ଜୋରଦାର ଆକ୍ରମଣ, ଅନେକ ମୃତାହତ

କାବୁଲ: ଆଫଗାନିସ୍ତାନ ଏବଂ ପାକିସ୍ତାନ ମଧ୍ୟରେ ପୁଣି ଥରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆଫଗାନିସ୍ତାନ ଦାବି କରିଛି ଯେ ପାକିସ୍ତାନ ସେନା ଏହାର ଅନେକ ଅଞ୍ଚଳ ଉପରେ ଆକ୍ରମଣ କରିଛି, ଯେଉଁଥିରେ କେତେକ ଘର ନଷ୍ଟ ହୋଇଥିବାବେଳେ ମହିଳା ଓ ଶିଶୁଙ୍କ ସମେତ ଅନେକଙ୍କର ମୃତ୍ୟୁ ହୋଇଛି। ପାକିସ୍ତାନ ଆଫଗାନିସ୍ତାନର ସାର୍ବଭୌମତ୍ବ ଉପରେ ଆକ୍ରମଣ କରି କାବୁଲ, କନ୍ଧାହାର, ପକ୍ତିଆ ସମେତ ଦେଶର ଅନେକ ସ୍ଥାନରେ ଆକାଶ ମାର୍ଗରୁ ଭୀଷଣ ଆକ୍ରମଣ କରିଛି। ପାକିସ୍ତାନ ବାୟୁସେନା ବିମାନ କନ୍ଧାହାର ବିମାନବନ୍ଦର ନିକଟରେ ଥିବା ଏହାର ଘରୋଇ ଏୟାରଲାଇନ୍ସ ‘କାମ ଏୟର’ର ତୈଳ ଡିପୋ ଉପରେ ଆକ୍ରମଣ କରିଛି। ଏହି କମ୍ପାନି ବେସାମରିକ ବିମାନ ସେବା ପ୍ରଦାନକାରୀ ସଂସ୍ଥା ଏବଂ ଜାତିସଂଘର ବିମାନକୁ ଇନ୍ଧନ ଯୋଗାଣ କରେ।
ଇରାନ-ଇସ୍ରାଏଲ ବିବାଦ ଯୋଗୁଁ ସାରା ବିଶ୍ବରେ ତୈଳ ସଙ୍କଟ ଦେଖାଯାଇଥିବାବେଳେ ପାକିସ୍ତାନ ଏହି ଆକ୍ରମଣ କରିଛି। ଆଫଗାନିସ୍ତାନର ତାଲିବାନ ଅଧିକାରୀ କହିଛନ୍ତି ଯେ, ପାକିସ୍ତାନ ଆବାସିକ ଅଞ୍ଚଳକୁ ଟାର୍ଗେଟ କରୁଛି। ଏଥିରେ ଘର ନଷ୍ଟ ହେବା ସହିତ ମହିଳା ଓ ଶିଶୁଙ୍କ ସମେତ ଅନେକଙ୍କର ମୃତ୍ୟୁ ହୋଇଛି। ପାକିସ୍ତାନ କେତେକ ନିର୍ଜନ ଅଞ୍ଚଳରେ ମଧ୍ୟ ଆକ୍ରମଣ କରିଛି। ତାଲିବାନ ସରକାର ଏହାକୁ ଅତି କ୍ରୁର ଆକ୍ରମଣ ବୋଲି କହିଛି। ରମଜାନ ମାସର ଶେଷ ଦିନ ଓ ଇଦ୍ ପାଇଁ ପ୍ରସ୍ତୁତି ଚାଲିଥିବାବେଳେ ପାକିସ୍ତାନର ଏହି ଆକ୍ରମଣ ସେମାନଙ୍କ ସରକାର କୌଣସି ମାନବୀୟ ସିଦ୍ଧାନ୍ତ ଓ ନୈତିକ ମୂଲ୍ୟବୋଧକୁ ବୁଝନ୍ତି ନାହିଁ ବୋଲି ଦର୍ଶାଉଛି। ଆଫଗାନିସ୍ତାନ ଏହି ଘୃଣ୍ୟ ଓ ଆକ୍ରମଣକୁ କଠୋର ଶବ୍ବରେ ନିନ୍ଦା କରିଛି। ଆଫଗାନିସ୍ତାନ ଏହାର କଡ଼ା ଜବାବ ଦେବ ବୋଲି ଆଫଗାନିସ୍ତାନ ପ୍ରବକ୍ତା କହିଛନ୍ତି। ଦୁଇ ପକ୍ଷ ମଧ୍ୟରେ ଗତ କିଛି ଦିନ ହେଲା ସଂଘର୍ଷ ଜାରି ରହିଛି।
ସୌଜନ୍ୟ ସମ୍ବାଦ




