“Parala Lalam”: ଅଷ୍ଟମ ଶ୍ରେଣୀ ଇତିହାସ ପାଠ୍ୟପୁସ୍ତକରେ ସ୍ଥାନ ପାଇଲା “ପାରଳା ଲଲାମ”

ପାରଳାଖେମୁଣ୍ଡି: ଦୀର୍ଘ ବର୍ଷର ଗବେଷଣା, ଅନୁସନ୍ଧାନ ଓ ଐତିହାସିକ ପ୍ରମାଣ ସଂଗ୍ରହର ଫଳସ୍ୱରୂପ ବିଶିଷ୍ଟ ଗବେଷକ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ରଚିତ ଗବେଷଣାମୂଳକ ପୁସ୍ତକ “ପାରଳା ଲଲାମ : ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମ” ଏବେ ରାଜ୍ୟ ଶିକ୍ଷା ବ୍ୟବସ୍ଥାରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଛି। ପୁସ୍ତକର କିଛି ଗୁରୁତ୍ୱପୂର୍ଣ୍ଣ ଅଂଶକୁ ଓଡ଼ିଶା ସରକାର ଅଷ୍ଟମ ଶ୍ରେଣୀ ଇତିହାସ ପାଠ୍ୟପୁସ୍ତକରେ ସାମିଲ କରିଥିବାରୁ ଗଜପତିଜିଲ୍ଲା ସହ ସମଗ୍ର ଦକ୍ଷିଣ ଓଡ଼ିଶାରେ ଖୁସିର ଲହରୀ ଖେଳିଯାଇଛି। ଏହି ସ୍ୱୀକୃତି କେବଳ ଜଣେ ଗବେଷକଙ୍କ ସଫଳତା ନୁହେଁ, ବରଂ ଦୀର୍ଘଦିନ ଧରି ଅବହେଳିତ ହୋଇଆସୁଥିବା ଉପାନ୍ତ ଅଞ୍ଚଳର ଇତିହାସ, ସଂସ୍କୃତି ଓ ସ୍ୱାଧୀନତା ସଂଗ୍ରାମର ଗୌରବକୁ ନୂତନ ପରିଚୟ ଦେଇଛି।

ଦକ୍ଷିଣ ଓଡ଼ିଶାର ସ୍ୱାଧୀନତା ସଂଗ୍ରାମ ଇତିହାସକୁ ମିଳିଲା ନୂତନ ପରିଚୟ

ବିଶେଷଜ୍ଞମାନଙ୍କ ମତରେ, ଏହି ପଦକ୍ଷେପ ମାଧ୍ୟମରେ ଆଗାମୀ ପିଢ଼ୀ ଦକ୍ଷିଣ ଓଡ଼ିଶାର ଅଜଣା ସ୍ୱାଧୀନତା ସଂଗ୍ରାମୀମାନଙ୍କ ବିଷୟରେ ଅଧିକ ଅବଗତ ହୋଇପାରିବେ। ପୁସ୍ତକଟିରେ ସଉରା, ଦୋରା ଓ ବିଶୋଇ ସମ୍ପ୍ରଦାୟର ଲୋକମାନଙ୍କ ବ୍ରିଟିଶ ବିରୋଧୀ ସଂଗ୍ରାମର ଅନେକ ଅଲୋଚିତ ଘଟଣାକୁ ଉଜାଗର କରାଯାଇଛି। ସ୍ୱାଧୀନତା ସଂଗ୍ରାମର ପ୍ରମୁଖ ଧାରାରେ ଯେଉଁ ଆଦିବାସୀ ଓ ଉପାନ୍ତ ଅଞ୍ଚଳର ଲୋକମାନଙ୍କ ଅବଦାନକୁ ସେପରି ଗୁରୁତ୍ୱ ମିଳିନଥିଲା, ସେହି ଅଜଣା ଇତିହାସକୁ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ନିଜ ଗବେଷଣା ମାଧ୍ୟମରେ ସାମ୍ନାକୁ ଆଣିଛନ୍ତି। ପୁସ୍ତକରେ ଗଜପତି ଜିଲ୍ଲାର ସ୍ୱାଧୀନତା ସଂଗ୍ରାମୀ ହନୁ ପ୍ରଧାନଙ୍କ ବୀରତା ଓ ଅବଦାନକୁ ବିଶେଷ ଗୁରୁତ୍ୱ ସହ ଲିପିବଦ୍ଧ କରାଯାଇଛି। ଗବେଷଣାରେ ଉଲ୍ଲେଖ ରହିଛି ଯେ, ଦକ୍ଷିଣ ଓଡ଼ିଶାର ଲୋକମାନେ କେବଳ ୧୮୫୭ର ସିପାହୀ ବିଦ୍ରୋହ ପରେ ନୁହେଁ, ତାହାର ଅନେକ ପୂର୍ବରୁ ବ୍ରିଟିଶ ଶାସନ ବିରୋଧରେ ପ୍ରତିରୋଧ ଆରମ୍ଭ କରିଥିଲେ। ଗବେଷକ ମହାପାତ୍ରଙ୍କ ଦାବି ଅନୁଯାୟୀ, ୧୭୫୭ ପୂର୍ବରୁ ମଧ୍ୟ ଏହି ଅଞ୍ଚଳରେ ବ୍ରିଟିଶ ବିରୋଧୀ ଆନ୍ଦୋଳନର ଅଙ୍କୁର ଦେଖାଯାଇଥିଲା।

ଇତିହାସବିଦ୍‌ମାନଙ୍କ ମତରେ, ଏହି ଗବେଷଣା ଭାରତର ସ୍ୱାଧୀନତା ସଂଗ୍ରାମ ଇତିହାସକୁ ନୂତନ ଦୃଷ୍ଟିକୋଣ ଦେଇଛି। ଦୀର୍ଘଦିନ ଧରି ଇତିହାସ ପୁସ୍ତକରେ ଉତ୍ତର ଭାରତ କିମ୍ବା ପ୍ରମୁଖ ରାଜନୈତିକ କେନ୍ଦ୍ରଗୁଡ଼ିକର ସଂଗ୍ରାମକୁ ଅଧିକ ଗୁରୁତ୍ୱ ମିଳୁଥିବାବେଳେ, ଦକ୍ଷିଣ ଓଡ଼ିଶାର ଜନଜାତି ଓ ଉପାନ୍ତ ଅଞ୍ଚଳର ଲୋକମାନଙ୍କ ତ୍ୟାଗ ଓ ସଂଘର୍ଷ ପ୍ରାୟ ଅନୁଲ୍ଲେଖିତ ରହିଯାଇଥିଲା। “ପାରଳା ଲଲାମ” ସେହି ଅଭାବକୁ ପୂରଣ କରିଥିବା ବୋଲି ଶିକ୍ଷାବିଦ୍‌ମାନେ ମତ ପ୍ରକାଶ କରିଛନ୍ତି। ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ ବିନୋଦ ଚନ୍ଦ୍ର ଜେନା କହିଛନ୍ତି, “ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ଏହି ବିରଳ ଗବେଷଣାକୁ ରାଜ୍ୟ ସରକାର ସ୍ୱୀକୃତି ଦେଇଥିବାରୁ ଆମେ ଗର୍ବିତ। ଏହା ଗଜପତି ଜିଲ୍ଲା ପାଇଁ ଏକ ଐତିହାସିକ ମୁହୂର୍ତ୍ତ।” ସେହିପରି ରାଜ୍ୟପାଳ ପୁରସ୍କାରପ୍ରାପ୍ତ ଶିକ୍ଷକ ବିଚିତ୍ରାନନ୍ଦ ବେବର୍ତ୍ତା କହିଛନ୍ତି, “ମହାପାତ୍ରଙ୍କ ଲେଖନୀ ଏହି ମାଟିର ଇତିହାସ ଓ ସଂସ୍କୃତିକୁ ସମୃଦ୍ଧ କରୁଛି। ଏପରି ଗବେଷଣା ଆଗାମୀ ପିଢ଼ୀଙ୍କୁ ନିଜ ମାଟିର ଗୌରବ ସମ୍ପର୍କରେ ଅବଗତ କରିବ।” ରାଜ୍ୟ ପୁରସ୍କାରପ୍ରାପ୍ତ ଶିକ୍ଷକ ପ୍ରମୋଦ ଚନ୍ଦ୍ର ପାଢୀ ମତ ପ୍ରକାଶ କରି କହିଛନ୍ତି, “ଅନେକ ଲୁକ୍କାୟିତ ଐତିହାସିକ ଘଟଣାକୁ ଲୋକଲୋଚନରେ ଆଣିବାରେ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ଅବଦାନ ଅତୁଲନୀୟ। ଏହି ପୁସ୍ତକ ପାଠ୍ୟପୁସ୍ତକରେ ସ୍ଥାନ ପାଇବା ମାନେ ଏକ ସାମୂହିକ ସମ୍ମାନ।”ଏହି ଗବେଷଣାମୂଳକ କୃତିକୁ ରାଜ୍ୟ ପାଠ୍ୟପୁସ୍ତକରେ ସାମିଲ କରାଯାଇଥିବାରୁ ପାରଳାଖେମୁଣ୍ଡି ସହ ସମଗ୍ର ଗଜପତି ଜିଲ୍ଲାର ବୁଦ୍ଧିଜୀବୀ, ଶିକ୍ଷକ, ଛାତ୍ରଛାତ୍ରୀ ଓ ସାଧାରଣ ଲୋକମାନେ ରାଜ୍ୟ ସରକାରଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରିଛନ୍ତି। ସ୍ଥାନୀୟ ମହଲରେ ଏହାକୁ ଦକ୍ଷିଣ ଓଡ଼ିଶାର ଐତିହ୍ୟ ଓ ଅସ୍ମିତାର ବଡ଼ ସ୍ୱୀକୃତି ବୋଲି କୁହାଯାଉଛି।

 

 

 

 

ସୌଜନ୍ୟ ସମ୍ବାଦ