କୋଲକାତା: ପଶ୍ଚିମବଙ୍ଗର ନବମ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବା ପରେ, ଶୁଭେନ୍ଦୁ ଅଧିକାରୀ ଏବେ ସମ୍ପୂର୍ଣ୍ଣ ଆକ୍ସନ ମୋଡରେ ଅଛନ୍ତି। ନବାନ୍ନାରେ ବରିଷ୍ଠ ଆଇପିଏସ ଅଧିକାରୀଙ୍କ ସହ ତାଙ୍କର ପ୍ରଥମ ଆନୁଷ୍ଠାନିକ ବୈଠକରେ, ମୁଖ୍ୟମନ୍ତ୍ରୀ ରାଜ୍ୟର ଆଇନ ଶୃଙ୍ଖଳା ସମ୍ପର୍କରେ ତାଙ୍କର ପ୍ରାଥମିକତା ସ୍ପଷ୍ଟ କରିଛନ୍ତି। ଅଧିକାରୀଙ୍କ ଏହି ପ୍ରାରମ୍ଭିକ ନିଷ୍ପତ୍ତିଗୁଡ଼ିକ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ମଡେଲ ସହ ସମାନ ବୋଲି କୁହାଯାଉଛି। ଏଥିରେ କୁହାଯାଇଛି ଯେ, ସାର୍ବଜନୀନ ଶୃଙ୍ଖଳା ଏବଂ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯିବ। କୌଣସି ଧାର୍ମିକ ସ୍ଥଳର ଲାଉଡସ୍ପିକରର ଶବ୍ଦ ଯେପରି ପରିସର ବାହାର ନ ଶୁଭିବ ତାହା ନିଶ୍ଚିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ପୁଲିସ ପ୍ରଶାସନକୁ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହା ବ୍ୟତୀତ, ବିଶେଷ ଅବସର ବ୍ୟତୀତ ସାଧାରଣ ଜନତାଙ୍କୁ ଅସୁବିଧାରେ ପକାଉଥିବା ତଥା ଟ୍ରାଫିକ ଜାମ୍ କରୁଥିବା କୌଣସି ପ୍ରାର୍ଥନା ସମାବେଶ କିମ୍ବା ଧାର୍ମିକ କାର୍ୟ୍ୟକଳାପକୁ ରାସ୍ତାରେ କରିବାକୁ ଅନୁମତି ଦିଆଯିବ ନାହିଁ। ଯଦିଓ ଏହି ଆଦେଶରେ କୌଣସି ନିର୍ଦ୍ଦିଷ୍ଟ ଧର୍ମର ନାମ ନିଆଯାଇନାହିଁ, ଏହାକୁ ସାର୍ବଜନୀନ ସ୍ଥାନରେ ଶାନ୍ତି ବଜାୟ ରଖିବା ପାଇଁ ଏକ ପ୍ରମୁଖ ପଦକ୍ଷେପ ଭାବରେ ଦେଖାଯାଉଛି।
ଧାର୍ମିକ ନେତାମାନେ ନିଷ୍ପତ୍ତିକୁ କରିଛନ୍ତି ସମର୍ଥନ
ନାଖୋଦା ମସଜିଦର ଟ୍ରଷ୍ଟି ନାସିର ଇବ୍ରାହିମ ଏବଂ ଅଲ୍ ଇଣ୍ଡିଆ ଓରିଏଣ୍ଟାଲ ଏକାଡେମୀର ପ୍ରିନ୍ସିପାଲ ଜୟନ୍ତ କୁଶାରୀଙ୍କ ପରି ଧାର୍ମିକ ନେତାମାନେ ଏହି ନିଷ୍ପତ୍ତିକୁ ସମର୍ଥନ କରି ଏହାକୁ ଏକ ସଭ୍ୟ ସମାଜ ପାଇଁ ଅତ୍ୟାବଶ୍ୟକ ନିଷ୍ପତ୍ତି ବୋଲି କହିଛନ୍ତି। ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ, ରାଜ୍ୟରେ ଅବୈଧ କୋଇଲା ଖଣି, ବାଲି ଖଣି ଏବଂ ପ୍ରାଣୀ ଚାଲାଣ ଭଳି ଅପରାଧକୁ ଆଉ ବରଦାସ୍ତ କରାଯିବ ନାହିଁ। ସେ ଏହି କାର୍ୟ୍ୟକଳାପ ପ୍ରତି ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମହିଳା ବିରୋଧୀ ଅପରାଧ ଉପରେ କଠୋର କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟରେ ବେଆଇନ ଅସ୍ତ୍ରଶସ୍ତ୍ର ତୁରନ୍ତ ଜବତ କରିବା ଏବଂ ସାମ୍ପ୍ରଦାୟିକ ହିଂସାକୁଉସୁକାଉଥିବା ଲୋକଙ୍କ ବିରୋଧରେ ଜାମିନ ବିହୀନ ଧାରା ଅନୁଯାୟୀ ମାମଲା ରୁଜୁ କରିବାକୁ ମୁଖ୍ୟମନ୍ତ୍ରୀ ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବ ସରକାର ସମୟରେ ନିର୍ବାଚନୀ ହିଂସାର ପୀଡିତମାନଙ୍କୁ ନ୍ୟାୟ ପ୍ରଦାନ କରିବା ପାଇଁ ଶୁଭେନ୍ଦୁ ଅଧିକାରୀ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ସେ ୨୦୨୧ ଏବଂ ୨୦୨୪ ନିର୍ବାଚନ ପରେ ଘଟିଥିବା ହିଂସା, ଗୁଣ୍ଡାଗିରି ଏବଂ ଦାଦାବଟି ଆଦାୟ ମାମଲାଗୁଡ଼ିକର ଫାଇଲ୍ ପୁଣି ଥରେ ଖୋଲିବା ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏପରି ୧,୩୦୦ରୁ ଅଧିକ ମାମଲା, ଯାହା କେବଳ ଜିଡି ଏଣ୍ଟ୍ରି ଭାବରେ ପଞ୍ଜୀକୃତ ହୋଇଥିଲା, ଏବେ ସେସବୁର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯିବ ଏବଂ ଅଭିଯୁକ୍ତମାନଙ୍କୁ ଗିରଫ କରାଯିବ।
ବେଆଇନ କଂସେଇଖାନା ଉପରେ ସମ୍ପୂର୍ଣ୍ଣ ନିଷେଧ
ପ୍ରଶାସନିକ ପରିବର୍ତ୍ତନ ଆରମ୍ଭ କରି, ମୁଖ୍ୟମନ୍ତ୍ରୀ ବିଭାଗୀୟ ସଚିବମାନଙ୍କୁ ସରକାରୀ ହୋର୍ଡିଂ, ବିଜ୍ଞାପନ କିମ୍ବା ଫଳକରେ ପୂର୍ବ ମମତା ବାନାର୍ଜୀ ସରକାରଙ୍କ ସ୍ଲୋଗାନଗୁଡ଼ିକୁ ତୁରନ୍ତ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ବ୍ୟତୀତ, ପ୍ରାଣୀଚିକିତ୍ସା ଅଧିକାରୀମାନଙ୍କ ଦ୍ୱାରା ୧୪ ବର୍ଷରୁ ଅଧିକ ବୟସର ଗୋରୁ ପରିବହନକୁ ନିୟନ୍ତ୍ରଣ କରିବା ଏବଂ ବେଆଇନ କଂସେଇଖାନା ଉପରେ ସମ୍ପୂର୍ଣ୍ଣ ନିଷେଧ ସମେତ ଗୋରୁ ଚୋରା ଚାଲାଣ ରୋକିବା ପାଇଁ କଠୋର ନିୟମ ପ୍ରଣୟନ କରାଯାଇଛି। ପ୍ରଥମ ବୈଠକରେ,ମୁଖ୍ୟମନ୍ତ୍ରୀସ୍ପଷ୍ଟ କରିଛନ୍ତି ଯେ, ଏହି ଆଇନ ଏବେ ରାଜ୍ୟର ସମସ୍ତଙ୍କ ପାଇଁ ସମାନ ଭାବରେ ପ୍ରଯୁଜ୍ୟ ହେବ।
ସୌଜନ୍ୟ ସମ୍ବାଦ

