ଖେଳ

Pathum Nissanka: ପଥୁମ୍ ନିଶଙ୍କ: ଟେକନିକ୍ ଓ ଟେମ୍ପରାମେଣ୍ଟର ସୁନ୍ଦର ସମନ୍ୱୟ

କଲମ୍ବୋ: ଟ୍ବେଣ୍ଟି-୨୦ ବିଶ୍ୱକପର ସୋମବାର ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ଶ୍ରୀଲଙ୍କାର ଷ୍ଟାଇଲିସ୍ ଓପନର୍‌ ପଥୁମ୍ ନିଶଙ୍କ ପ୍ରମାଣ କରିଦେଲେ ଯେ ସେ କେବଳ ପ୍ରତିଭାଶାଳୀ ନୁହନ୍ତି, ବରଂ ଦଳର ଭରସାଯୋଗ୍ୟ ମ୍ୟାଚ୍-ଉଇନର୍। ବଡ଼ ଲକ୍ଷ୍ୟ ପାଶ୍ଚାତ୍‌ଧାବନ ସମୟରେ ତାଙ୍କ ବ୍ୟାଟ୍‌ରୁ ଝରିଥିବା ରନ୍‌ର ବନ୍ୟା ଆଜି ଶ୍ରୀଲଙ୍କାର ବିଜୟକୁ ଅତି ସହଜସାଧ୍ୟ କରିଦେଇଥିଲା। ୧୮୧ ରନ୍ ଭଳି ବିଶାଳ ଲକ୍ଷ୍ୟକୁ ପାଶ୍ଚାତ୍‌ଧାବନ କରିବା ସମୟରେ ନିଶଙ୍କ ଧୈର୍ଯ୍ୟ, ଆତ୍ମବିଶ୍ୱାସ ଓ ଆକ୍ରମଣକୁ ଅତି ସୁନ୍ଦର ଭାବେ ସମନ୍ୱୟ କରିଥିଲେ। ଆରମ୍ଭରୁ ଏହି ଯୁବ ଓପନର୍‌ଙ୍କ ଆଭିମୁଖ୍ୟ ଥିଲା ସ୍ପଷ୍ଟ। ଯେମିତି ହେଲେ କ୍ରିଜ୍‌ରେ ରହି ବଲ୍‌କୁ ପ୍ରହାର କରିବା।

ପାୱାର୍‌ପ୍ଲେରେ ସେ ଖାଲି ସ୍ଥାନ ଚିହ୍ନଟ କରି କଭର ଡ୍ରାଇଭ୍, ରିଭର୍ସ ସୁଇପ୍ ଓ ପୁଲ୍ ସଟ୍ ଖେଳି ରନ୍‌କୁ ଶେଷ ପର୍ଯ୍ୟନ୍ତ ଗତିଶୀଳ ରଖିଥିଲେ। ମଧ୍ୟଭାଗରେ ସ୍ପିନର୍‌ମାନଙ୍କ ବିରୋଧରେ ତାଙ୍କର ପାଦଚାଳନା ଓ ଟାଇମିଂ ଦେଖିବାଯୋଗ୍ୟ ଥିଲା। ଲଙ୍ଗ ଅନ୍ ଓ ଲଙ୍ଗ-ଅଫ୍ ଉପରେ ବିଶାଳ ଛକା ସାଙ୍ଗକୁ ଗ୍ୟାପ୍‌ରେ ଗ୍ରାଉଣ୍ଡ ସଟ୍ ତାଙ୍କ ଇନିଂସକୁ ପରିପୂର୍ଣ୍ଣ କରିଥିଲା। ପ୍ରବଳ ଚାପ ସମୟରେ ବି ସେ ଧିର, ଅବିଚଳିତ ରହି ଶ୍ରୀଲଙ୍କାର ବିଜୟ ପଥ ପରିଷ୍କାର କରିଥିଲେ। ବଲ୍‌ର ଲେନ୍‌ଥ ଓ ଲାଇନ୍‌କୁ ଭଲ ଭାବେ ଅନୁଶୀଳନ କରି ତାହାକୁ ସଟ୍‌ରେ ପରିଣତ କରିବାର କ୍ଷମତା ତାଙ୍କୁ ଅଲଗା ପରିଚୟ ଦେଇଛି। ଉଭୟ ପେସ୍‌ ଓ ସ୍ପିନ୍‌ ବିପକ୍ଷରେ ତାଙ୍କର ଫୁଟ୍‌ୱର୍କ, ଟେକ୍‌ନିକ୍‌ ଓ ଆକ୍ରମଣଶୀଳତାକୁ ଭୂୟସୀ ପ୍ରଶଂସା କରିଛନ୍ତି ପୂର୍ବତନ କ୍ରିକେଟରଗଣ। ୧୮୧ ରନ୍‌ର ପାଶ୍ଚାତ୍‌ଧାବନ ସହଜ କାମ ନୁହେଁ। କିନ୍ତୁ ନିଶଙ୍କଙ୍କ ଶତକୀୟ ପାଳି ଶ୍ରୀଲଙ୍କାକୁ ଲକ୍ଷ୍ୟ ଦିଗରେ ଆଗକୁ ନେଇଯିବା ସହ ଦଳକୁ ଏକ ସ୍ମରଣୀୟ, ଆତ୍ମବିଶ୍ୱାସଭରା ବିଜୟ ଦେଇଛି। ଶତକୀୟ ପାଳି ଦ୍ୱାରା ସେ ଦଳକୁ ଖାଲି ବିଜୟ ଦେଇନାହାନ୍ତି, ବରଂ ଟ୍ବେଣ୍ଟି-୨୦ ମଞ୍ଚରେ ଜଣେ ଭରସାଯୋଗ୍ୟ ଓପନର୍ ଭାବେ ନିଜକୁ ପ୍ରମାଣିତ କରିଛନ୍ତି। ପ୍ରକୃତରେ ନିଶଙ୍କଙ୍କ ଏହି ଇନିଂସ ଥିଲା ଆତ୍ମବିଶ୍ୱାସ, ଟେକନିକ୍ ଓ ଟେମ୍ପରାମେଣ୍ଟର ଏକ ସୁନ୍ଦର ମିଶ୍ରଣ।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button