Plane Emergency Landing : ଏୟାର ଇଣ୍ଡିଆ ବିମାନର ଜରୁରୀକାଳୀନ ଅବତରଣ, ପାଇଲଟଙ୍କ ଭୁଲ୍ରୁ ବାଜିଥିଲା ହାଇଜାକ୍ ଆଲର୍ଟ

ରାଜସ୍ଥାନ, ୧୪।୧୦: ଜୟପୁର ବିମାନବନ୍ଦରରେ ବଡ଼ଧରଣର ବିମାନ ହାଇଜାକ୍ ଆଲର୍ଟ । ଯାହା ପରେ କିଛି ସମୟ ପାଇଁ ବିମାନରେ ଆତଙ୍କ ଖେଳିଯାଇଥିଲା । ଜର୍ମାନୀର ଫ୍ରାଙ୍କଫର୍ଟରୁ ଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆର ଫ୍ଲାଇଟ୍ (AI-2030)କୁ ଜୟପୁରରେ ସୁରକ୍ଷିତ ଭାବେ ଜରୁରୀକାଳୀନ ଅବତରଣ କରାଯାଇଛି । ସୂଚନା ଅନୁଯାୟୀ, ଅହମ୍ମଦାବାଦ ଏୟାର ଟ୍ରାଫିକ୍ କଣ୍ଟ୍ରୋଲ୍ ପାଖକୁ ଏହି ବିମାନକୁ ନେଇ ଏକ ସତର୍କ ସୂଚନା ଆସିଥିଲା, ଯାହା ପରେ ସୁରକ୍ଷା ଏଜେନ୍ସିଗୁଡ଼ିକ ତତ୍ପର ହୋଇପଡ଼ିଥିଲେ ।
ସୂଚନା ମୁତାବକ, ବିମାନର ପାଇଲଟ୍ ଭୁଲବଶତଃ ମାତ୍ର କିଛି ସେକେଣ୍ଡ ପାଇଁ ଏକ ଜରୁରୀକାଳୀନ କୋଡ୍ ପଠାଇ ଦେଇଥିଲେ । ବିମାନ ଚଳାଚଳ କ୍ଷେତ୍ରରେ ‘Squawk-7500’ କୋଡ୍ଟି ବିମାନ ହାଇଜାକ୍ କିମ୍ବା ବେଆଇନ କବଜା ସ୍ଥିତିକୁ ସୂଚିତ କରିଥାଏ । ଏହି ଆଲର୍ଟ ମିଳିବା କ୍ଷଣି ବିମାନକୁ ଜୟପୁର ଆଡ଼କୁ ଡାଇଭର୍ଟ କରାଯାଇଥିଲା । ସକାଳ ପ୍ରାୟ ୯:୪୫ ମିନିଟରେ ବିମାନକୁ ଜୟପୁର ବିମାନବନ୍ଦରର ଆଇସୋଲେସନ୍ ବେ କୁ ଅଣାଯାଇଥିଲା । ଏହାପରେ ସୁରକ୍ଷା ଏଜେନ୍ସିଗୁଡ଼ିକର କଡ଼ା ନଜରରେ ସମସ୍ତ ଯାତ୍ରୀଙ୍କୁ ବିମାନରୁ ଓହ୍ଲାଇ ଟର୍ମିନାଲକୁ ପଠାଯାଇଛି । ତେବେ ପାଇଲଟ୍ କାହିଁକି ଏହି କୋଡ୍ ଜାରି କରିଥିଲେ, ସେ ସମ୍ପୂର୍ଣ୍ଣ ଘଟଣାର ଯାଞ୍ଚ କରାଯାଉଛି ।
ସୌଜନ୍ୟ ପ୍ରମେୟ




