
ଭୁବନେଶ୍ୱର ୧୮/୦୩: ପ୍ଲାଷ୍ଟିକ ଫ୍ରି ହେବ ହାଟ । ଆଉ ମିଳିବନି ପ୍ଲାଷ୍ଟିକ ଜିନିଷ । ମା’ କୋଚିଲେଇ ହାଟ ପରେ ଡମଣା ଓ ଭିଏସ୍ଏସ୍ ନଗର ହାଟ ହେବ ପ୍ଲାଷ୍ଟିକ ଫ୍ରି ମାର୍କେଟ । ୧୫ ଦିନ ମଧ୍ୟରେ ଏକକ ବ୍ୟବହାର ପ୍ଲାଷ୍ଟିକ ବନ୍ଦ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହେବ । ଏକକ ବ୍ୟବହାର ପ୍ଲାଷ୍ଟିକ ଫ୍ରି ମାର୍କେଟ କରିବା ପାଇଁ ଧିରେ ଧିରେ ବଜାର କମିଟି ସହ ସାଧାରଣ ଲୋକଙ୍କ ମଧ୍ୟରେ ଆଗ୍ରହ ପ୍ରକାଶ ପାଉଛି ।
ରସୁଲଗଡସ୍ଥିତ ମା’ କୋଚିଲେଇ ହାଟ ସଂପୂର୍ଣ୍ଣ ଏକକ ବ୍ୟବହାର ପ୍ଲାଷ୍ଟିକ୍ ଫ୍ରି ମାର୍କେଟ ଘୋଷଣା ହେବା ପରେ ଏବେ ଭିଏସ୍ଏସ୍ ନିଗର ଓ ଡମଣା ହାଟ କମିଟି ସଂପୃକ୍ତ ମାର୍କେଟକୁ ଏକକ ବ୍ୟବହାର ପ୍ଲାଷ୍ଟିକ ଫ୍ରି କରିବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି । ଏ ନେଇ ସଂପୃକ୍ତ ମାର୍କେଟ କମିଟିର ସଭାପତି ଓ ସଂପାଦକମାନେ ଆସି ଅତିରିକ୍ତ କମିଶନର ଶ୍ରୀ କୈଳାସ ଚନ୍ଦ୍ର ଦାସ, ଉପାୟୁକ୍ତ ଶ୍ରୀମତୀ ପ୍ରିୟଙ୍କା ମଲ୍ଲିକ ଏବଂ ଉପାୟୁକ୍ତ ଶ୍ରୀ ଏନ୍. ଗଣେଶ ବାବୁଙ୍କ ସହ ଆଲୋଚନା କରିଯାଇଛନ୍ତି । ବିଏମ୍ ସି ପକ୍ଷରୁ ମଧ୍ୟ ପ୍ରକ୍ରିୟା ଆରମ୍ଭ ହୋଇଛି ।
ଆସନ୍ତା ୧୫ ଦିନ ମଧ୍ୟରେ ଡମଣା ଓ ଭିଏସ୍ଏସ୍ ନଗର ହାଟକୁ ଏକକ ବ୍ୟବହାର ପ୍ଲାଷ୍ଟିକ୍ ଫ୍ରି ମାର୍କେଟ କରିବା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ନିଆଯିବ । ସ୍ୱେଚ୍ଛାସେବୀ ସଂଗଠନ ଜରିଆରେ ସଂପୃକ୍ତ ମାର୍କେଟର ବ୍ୟବସାୟୀମାନଙ୍କୁ ପ୍ରଥମ ସପ୍ତାହରେ ଏକକ ବ୍ୟବହାର ପ୍ଲାଷ୍ଟିକ ବ୍ୟବହାର ନ କରିବା ପାଇଁ ସଚେତନ କରାଯିବ । ପରବର୍ତ୍ତି ସପ୍ତାହରେ ଏକକ ବ୍ୟବହାର ପ୍ଲାଷ୍ଟିକ ବିକ୍ରି କିମ୍ବା ବ୍ୟବାହର କରୁଥିଲେ, ପଦକ୍ଷେପ ନିଆଯିବ।
ତେବେ ପ୍ରତ୍ୟେକ ବ୍ୟବସାୟୀ କିଭଳି ଏହି ଅଭ୍ୟାସ ଜାରି ରଖିବେ ଓ ଅନ୍ୟମାନଙ୍କୁ ସଚେତନ କରାଇବେ ସେଥିପାଇଁ ଟିମ୍ ବି ଏମ୍ ସି ଏବଂ ଦାୟିତ୍ୱରେ ଥିବା ସଂସ୍ଥାର କର୍ମୀମାନେ ନିୟମିତ ପରିଦର୍ଶନ ଓ ସହଯୋଗୀ ମୂଳକ ତଦାରଖ କାର୍ଯ୍ୟ ଚାଲୁ ରଖିବେ । ତେବେ ସଂପୃକ୍ତ ମାର୍କେଟ କମିଟି ପକ୍ଷରୁ ମଧ୍ୟ ଏକକ ବ୍ୟବହାର ପ୍ଲାଷ୍ଟିକ୍ ବ୍ୟାନ୍ କରିବା ପାଇଁ ସମସ୍ତଙ୍କୁ ତାଗିଦ କରାଯିବ ।
ସୌଜନ୍ୟ Prameya News7




