PM lands at North-East’s first highway airstrip: ଉତ୍ତର-ପୂର୍ବାଞ୍ଚଳର ପ୍ରଥମ ହାଇୱେ ଏୟାର ଷ୍ଟ୍ରିପ୍ରେ ଅବତରଣ କଲେ ପ୍ରଧାନମନ୍ତ୍ରୀ
ଭାରତର ରଣନୈତିକ ଭିତ୍ତିଭୂମି କ୍ଷେତ୍ରରେ ଆଜି ଏକ ନୂଆ ଅଧ୍ୟାୟ ଆରମ୍ଭ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଆସାମର ମୋରାନ୍ଠାରେ ନୂତନ ଭାବେ ନିର୍ମିତ ଜରୁରୀକାଳୀନ ଅବତରଣ ସୁବିଧା (ଇଏଲ୍ଏଫ୍)ରେ ବିମାନ ଅବତରଣ କରି ଏକ ଐତିହାସିକ ମାଇଲଖୁଣ୍ଟ ସ୍ଥାପନ କରିଛନ୍ତି।

ଦିବ୍ରୁଗଡ଼: ଭାରତର ରଣନୈତିକ ଭିତ୍ତିଭୂମି କ୍ଷେତ୍ରରେ ଆଜି ଏକ ନୂଆ ଅଧ୍ୟାୟ ଆରମ୍ଭ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଆସାମର ମୋରାନ୍ଠାରେ ନୂତନ ଭାବେ ନିର୍ମିତ ଜରୁରୀକାଳୀନ ଅବତରଣ ସୁବିଧା (ଇଏଲ୍ଏଫ୍)ରେ ବିମାନ ଅବତରଣ କରି ଏକ ଐତିହାସିକ ମାଇଲଖୁଣ୍ଟ ସ୍ଥାପନ କରିଛନ୍ତି। ଭାରତୀୟ ବାୟୁସେନାର ସି-୧୩୦ଜେ ସୁପର ହରକ୍ୟୁଲିସ୍ ବିମାନ ମୋଦୀଙ୍କୁ ନେଇ ଜାତୀୟ ରାଜପଥ ଏୟାରଷ୍ଟ୍ରିପ୍ରେ ଅବତରଣ କରିଥିଲା। ମୋରାନ୍ ବାଇପାସ୍ (ଏନ୍ଏଚ୍-୩୭/ଏନ୍ଏଚ୍-୧୨୭) ଉପରେ ନିର୍ମିତ ଏହି ୪.୨ କିଲୋମିଟର ଲମ୍ବା ଓ ଅତ୍ୟନ୍ତ ସୁଦୃଢ଼ ରାସ୍ତା ପ୍ରାୟ ୧୦୦ କୋଟି ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଛି। ଏହି ବହୁମୁଖୀ ଭିତ୍ତିଭୂମି ସାଧାରଣ ସମୟରେ ଜାତୀୟ ରାଜପଥ ଭାବେ ବ୍ୟବହୃତ ହେବ, କିନ୍ତୁ ଜରୁରୀକାଳୀନ ପରିସ୍ଥିତି କିମ୍ବା ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଏହାକୁ ଯୁଦ୍ଧ ବିମାନ ଓ ବେସାମରିକ ବିମାନ ପାଇଁ ଏକ ସମ୍ପୂର୍ଣ୍ଣ ରନୱେ ଭାବେ ବ୍ୟବହାର କରାଯାଇପାରିବ। ଅବତରଣ ପରେ ପ୍ରଧାନମନ୍ତ୍ରୀ ବାୟୁସେନାର ଏକ ଚିତ୍ତାକର୍ଷକ ୪୦ ମିନିଟର ପ୍ରଦର୍ଶନ ଉପଭୋଗ କରିଥିଲେ। ଏଥିରେ ରାଫେଲ୍, ସୁଖୋଇ-୩୦ ଏମ୍କେଆଇ ଏବଂ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ତେଜସ୍ ଯୁଦ୍ଧ ବିମାନ ସହ ବାୟୁସେନାର ପରିବହନ ବିମାନଗୁଡ଼ିକର ଅବତରଣ ଓ ଉଡ଼ାଣ ଦକ୍ଷତା ପ୍ରଦର୍ଶିତ ହୋଇଥିଲା।
ପ୍ରକୃତ ନିୟନ୍ତ୍ରଣ ରେଖା (ଏଲ୍ଏସି)ଠାରୁ ୩୦୦ କିଲୋମିଟରରୁ କମ୍ ଦୂରତାରେ ଅବସ୍ଥିତ ଏହି ମୋରାନ୍ ଇଏଲ୍ଏଫ୍ ଭାରତର ସୁରକ୍ଷା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ସୁବିଧା ଦ୍ୱାରା ଜରୁରୀ ସମୟରେ ଉଦ୍ଧାର କାର୍ଯ୍ୟ ଓ ସାମରିକ ଆବଶ୍ୟକତା ଶୀଘ୍ର ପୂରଣ କରାଯାଇପାରିବ ବୋଲି ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଗୁଆହାଟିରେ ୫,୪୫୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ କରିଛନ୍ତି, ଯେଉଁଥିରେ ବ୍ରହ୍ମପୁତ୍ର ନଦୀ ଉପରେ ନିର୍ମିତ ଉତ୍ତର-ପୂର୍ବାଞ୍ଚଳର ପ୍ରଥମ ଛଅ ଲେନ୍ ବିଶିଷ୍ଟ କୁମାର ଭାସ୍କରବର୍ମା ସେତୁ ଅନ୍ୟତମ। ଏହାସହିତ ସେ ଆଇଆଇଏମ୍ ଗୁଆହାଟିର ଅସ୍ଥାୟୀ କ୍ୟାମ୍ପସ୍ ଓ ୨୨୫ଟି ବୈଦ୍ୟୁତିକ ବସ୍ ସେବାର ଶୁଭାରମ୍ଭ କରିଛନ୍ତି।
ସୌଜନ୍ୟ ସମ୍ବାଦ




