ଓଡିଶାଜିଲ୍ଲା

PMAY: ଭଙ୍ଗାଘରେ ବିତୁଛି ଜୀବନ, ସରକାରୀ ଯୋଜନାରୁ ଆବାସ ସାତସପନ

ପରିତ୍ୟକ୍ତ ଘରେ ଜୀବନ ବାଜିରେ ଲାଗିଛି। ଅସୁରକ୍ଷିତ ଅବସ୍ଥାରେ ଥିବା ମାଳମାଳ ପୁରୁଣା ଘର କେବେ ବି ଅଘଟଣର କାରଣ ‌ହୋଇପାରେ। ହେଲେ ଏଠାରେ ମୁଣ୍ଡ ଗୁଞ୍ଜିଥିବା ଶହଶହ ଜୀବନ ପାଇଁ ବିକଳ୍ପ ଆଶ୍ରୟ ବ୍ୟବସ୍ଥା ନାହିଁ।

କାଳିଆପାଣି (ରବି ନାରାୟଣ କର): ପରିତ୍ୟକ୍ତ ଘରେ ଜୀବନ ବାଜିରେ ଲାଗିଛି। ଅସୁରକ୍ଷିତ ଅବସ୍ଥାରେ ଥିବା ମାଳମାଳ ପୁରୁଣା ଘର କେବେ ବି ଅଘଟଣର କାରଣ ‌ହୋଇପାରେ। ହେଲେ ଏଠାରେ ମୁଣ୍ଡ ଗୁଞ୍ଜିଥିବା ଶହଶହ ଜୀବନ ପାଇଁ ବିକଳ୍ପ ଆଶ୍ରୟ ବ୍ୟବସ୍ଥା ନାହିଁ। ଏଣୁ ଜୀବନ ଯାଉପଛେ, ଯେତେଦିନ ପାରିବା ବଞ୍ଚିଯିବା କହନ୍ତି ଦାଣ୍ଡ ମୂଲିଆ ଗୋବିନ୍ଦ ବିନ୍ଧାଣି। ଜୀବଦଶାରେ ଘର ଖଣ୍ଡିଏ ତୋଳି ପାରିନଥିବା ଏମିତି ବହୁ ଗୋବିନ୍ଦଙ୍କ ଜୀବନ ଯନ୍ତ୍ରଣା ଏବେ ଦୁର୍ବିଷହ।

ଦୁର୍ମୂଲ୍ୟ କ୍ରୋମାଇଟ୍‌ର ଗନ୍ତାଘର ପାଇଁ ଦେଶର ଅନ୍ୟ ଏକ ଧନୀ ବ୍ଲକ କୁହାଯାଉଥିବା ସୁକିନ୍ଦା ଖଣିଅଞ୍ଚଳର ବହୁ ପରିତ୍ୟକ୍ତ ଘରେ ଶତାଧିକ ପରିବାର ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ବସବାସ କରୁଥିବା ଦେଖାଯାଉଛି। କାଳିଆପାଣି ପଞ୍ଚାୟତ ଗୁରୁଜଙ୍ଗପାଳର ଓଏମ୍‌ସି ପରିତ୍ୟକ୍ତ ହଟିଂର ଭଙ୍ଗା ଦଦରା ଘରେ ଭାଗ୍ୟକୁ ଆଦରି ପଡ଼ି ରହିଛନ୍ତି ଗୋଲାପ ଓ ବିଦ୍ୟାଧର ଦେହୁରୀଙ୍କ ୬ ଜଣିଆ ପରିବାର। ଏହି ଆଦିବାସୀ ଦମ୍ପତି ପକ୍ଷାଘାତରେ ଶଯ୍ୟାଶାୟୀ। ବଡ଼ଝିଅର ସ୍ବଳ୍ପ ପାରିଶ୍ରମିକ‌ରେ ଘର ଚଳୁଛି। ମଝିଆଁ ଝିଅ ଓ ସାନଝିଅ ଅଧାରୁ ପାଠ ଛାଡ଼ି ଘରେ ରହୁଛନ୍ତି। ନାବାଳକ ପୁଅର ତଦ୍ରୁପ ଅବସ୍ଥା। ସ୍କୁଲରେ ନାଁ ଗଡ଼ୁଛି, ହେଲେ ଅଧିକାଂଶ ଦିନ ସେ ସ୍କୁଲ ଯାଉନଥିବା ଜଣାପଡ଼ିଛି। ଗୋବିନ୍ଦ ବିନ୍ଧାଣି ବୁଲିବୁଲି ମାସରେ ୧୫ ଦିନ ଦାଣ୍ଡ ମୂଲିଆ କାମ କରନ୍ତି। ସାହୁକାର ତାଙ୍କ କାମ ଦେଖି ମଜୁରି ଦିଅନ୍ତି। ଦିନକୁ ଦେଢ଼ଶହରୁ ୩ ଶହ ଟଙ୍କା ମିଳୁଛି। ପତ୍ନୀ ଯାଜପୁରର‌ ଗୋଟେ ଇଟାଭାଟିରେ କାମ କରୁଛନ୍ତି। ନାବାଳିକ ଝିଅ ପରଘରେ କାମ କରି ପରିବାର ଚଳାଇବାରେ ସହାୟତା କରୁଛି। ୨ ନାବାଳକ ପୁଅ ସ୍କୁଲ ଯାଉନାହାନ୍ତି। ବୋଲହାକ କରି ହାତଖର୍ଚ୍ଚ ଉଠାଇଥାନ୍ତି।

IMG_20260201_170031

 

ସ୍ଥାନୀୟ କିଛି ଗାଡ଼ିମାଲିକ ଓ ଦୋକାନୀ ଏହି ନାବାଳକ ଦ୍ବୟଙ୍କୁ ସାମୟିକ ଗାଡ଼ିଧୁଆ, ପାଣିବୁହା ଓ ଘର କାମରେ ଲଗାଇଥାନ୍ତି। ଲକ୍ଷ୍ମୀ ଓ ରଞ୍ଜିତ ବିନ୍ଧାଣି ଦମ୍ପତି ଏଠାରେ ରହି ପରିବାର ପ୍ରତିପୋଷଣ କରୁଛନ୍ତି। ଏଠାରେ ରହୁଥିବା ଅଧିକାଂଶ ପରିବାର ମୁଖ୍ୟ ୭ ବର୍ଷ ପୂର୍ବେ କମର୍ଦ୍ଦା କ୍ରୋମାଇଟ୍‌ ଖଣିରେ ଠିକା ଶ୍ରମିକ ଭାବେ କାମ କରୁଥିଲେ। ଖଣି ପାଖ ହଟିଂରେ ରହୁଥିଲେ। ୨୦୨୦ ମସିହାରେ ଏହି ଖଣି ନିଲାମ ହୋଇଗଲା। ମୂଳ କମ୍ପାନି ବିସିମହାନ୍ତି ଏଣ୍ଡ୍ ସନ୍ସ ହାତରୁ ଖଣି ବ୍ୟବସାୟ ଖସିଗଲା। ଦୁର୍ଯୋଗକୁ ସେହିବର୍ଷ କରୋନାର କରାଳ ରୂପ ବୋଝ ଉପରେ ନଳିତାବିଡ଼ା ‌ହୋଇଥିଲା। ବହୁ ପରିବାର ରୋଜଗାର ଶୂନ୍ୟ ହୋଇଗଲେ। ଖଣି ଲିଜ୍ ହସ୍ତାନ୍ତର ପରେ ଲିଜ୍ ଏରିଆରେ ବେଆଇନ ଭାବେ ଗଢ଼ି ଉଠିଥିବା ଝାଟିମାଟି ଓ କୁଡ଼ିଆ ଘର ସବୁକୁ ଉଚ୍ଛେଦ କରାଗଲା। ପ୍ରଭାବିତ ପରିବାର ବେଘର ହୋଇଗଲେ। ସେଠାରୁ ‌୫ କିଲୋମିଟର ଦୂର ଗୁରୁଜଙ୍ଗପାଳ ପଳାଇଆସି ପରିତ୍ୟକ୍ତ ଘରକୁ ଆବୋରି ନେଲେ।

 

କେନ୍ଦ୍ର ସରକାରଙ୍କ ସେସ୍ ଅନୁଦାନରୁ ଓଏମ୍‌ସି ପକ୍ଷରୁ ଠିକା ଖଣି ଶ୍ରମିକଙ୍କ ପାଇଁ ୩୦ ବର୍ଷ ତଳେ ୨ଟି ପର୍ଯ୍ୟାୟରେ ନିର୍ମିତ ଶହେ ଆବାସ ବିଶିଷ୍ଟ ଏହି ଟେନାମେଣ୍ଟ୍‌ ଏବେ ବାସ ଅନୁପଯୋଗୀ। ୧୫ ବର୍ଷ ତଳୁ ଖଣିରୁ ଶ୍ରମିକମାନେ ଅବସର ନେଇସାରିଛନ୍ତି। ମାଙ୍କଡ଼ାପଥର କାନ୍ଥ ଓ ଆଜବେସଷ୍ଟର ଛପର ଘର ରକ୍ଷଣାବେକ୍ଷଣ ଅଭାବରୁ ଅସୁରକ୍ଷିତ ହୋଇପଡ଼ିଛି। ବହୁ ଘରୁ ଝରକା, କବାଟ ଓ ଛପର ଚୋରି ହୋଇଗଲାଣି। ୫ ବର୍ଷ ତଳେ ଓଏମ୍‌ସି ପକ୍ଷରୁ ଏହି ପରିତ୍ୟକ୍ତ ହଟିଂ ଉଚ୍ଛେଦ ଯୋଜନା କରାଯାଇଥିଲା। ହେଲେ ସ୍ଥାନୀୟ ବାସିନ୍ଦା ଏହାକୁ ତୀବ୍ର ବିରୋଧ କରିଥିଲେ। ଏ ସଂପର୍କରେ ସରପଞ୍ଚ ବିକାଶ କୁମାର ପାତ୍ରଙ୍କୁ ‌ପଚାରିବାରେ ବହୁ ଭୂମିହୀନ, ନିଃସ୍ବ ଓ ଅସହାୟ ପରିବାର ଏଠାରେ ଆଶ୍ରୟ ନେଇଥିବାରୁ ବିକଳ୍ପ ବ୍ୟବସ୍ଥା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ ବୋଲି କହିଥିଲେ।**(ଫଟୋଅଛି)*

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button