
ବ୍ରହ୍ମବରଦା: ବ୍ରହ୍ମବରଦା ଥାନାରୁ ଚୋରି କରି ଅଭିଯୁକ୍ତ ଫେରାର ହେବା ଘଟଣାରେ ତିନି ଜଣ ପୁଲିସ କର୍ମଚାରୀ ନିଲମ୍ବିତ ହେବାପରେ ବ୍ରହ୍ମବରଦା ପୁଲିସ ରକ୍ତଚାଉଳ ଚୋବାଉଛି। ପୁଲିସ ଯେମିତି ମାନବିକତା ଭୁଲିଯାଇଛି। ନିଜର ଦୁର୍ବଳତାକୁ ଘୋଡ଼ାଇବାକୁ ଯାଇ ଅଭିଯୁକ୍ତର ପରିବାର ଉପରେ ଦାଉ ସାଧିଛି। ଥାନାରୁ ଚୋରି କରିଥିବା ମୁଖ୍ୟ ଅଭିଯୁକ୍ତ ଆଶିଷ ବେହେରା ସମେତ ୩ଜଣଙ୍କୁ ଗିରଫ କରି ଆଜି କୋର୍ଟଚାଲାଣ କରିଛି। ମାତ୍ର ଅଭିଯୁକ୍ତ ଆଶିଷକୁ ଗିରଫ କରିବାକୁ ଯାଇ ପୁଲିସ ତା’ର ୭୬ବର୍ଷୀୟା ବୃଦ୍ଧା ଜେଜେ ମା’ ସେବତୀ ବେହେରାଙ୍କୁ ମାଡ଼ ମାରି ହାତ ଭାଙ୍ଗିଦେଇଛି।
ନିଜେ ଆଇଆଇସି ତାଙ୍କୁ ଘୋଷାରି ନେଇ ମାଡ଼ ମାରିଥିବା ବୃଦ୍ଧା ଜଣଙ୍କ ଅଭିଯୋଗ କରିଛନ୍ତି। ସେ କଟକରେ ଚିକିତ୍ସା ହେବା ପରେ ତାଙ୍କ ହାତ ପ୍ଲାଷ୍ଟର କରାଯାଇଛି। ରାତିଅଧରେ ଚଢ଼ଉ କରି ସମସ୍ତ ଘର ଲୋକଙ୍କୁ ପୁଲିସ ବାଡ଼େଇ ଥିଲା ବୋଲି ସେବତୀ କହିଛନ୍ତି। ନାତି ଭୁଲ କରିଛି ବୋଲି ଜେଜେ ମା’କୁ ଏଭଳି ଅମାନବୀୟ ଭାବେ ବାଡ଼େଇବା କେତେ ଯୁକ୍ତିସଂଗତ ବୋଲି ପ୍ରଶ୍ନ ଉଠୁଛି। ଜଣେ ବରିଷ୍ଠ ନାଗରିକଙ୍କୁ ମାଡ଼ ମରାଯିବା ସଂପର୍କରେ ପଚାରିବାରୁ ତଦାରଖ କରିବେ ବୋଲି ଏସ୍ଡିପିଓ ଶରତ ଚନ୍ଦ୍ର ପାତ୍ର କହିଛନ୍ତି।
ଥାନାରୁ ଚୋରି ଘଟଣାରେ ଆଜି ୩ଜଣ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଛି। ବ୍ରହ୍ମବରଦା ଥାନାରେ ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଯାଜପୁରରୋଡ୍ ଏସଡିପିଓ ଶରତ ଚନ୍ଦ୍ର ପାତ୍ର ଦେଇଥିବା ସୂଚନା ଅନୁସାରେ, ଗତ ଶୁକ୍ରବାର ସନ୍ଧ୍ୟାରେ ଏକ ଚୋରି ଘଟଣାରେ ସଂପୃକ୍ତ ଥିବା ଉତ୍ତରପ୍ରତାପ ପଞ୍ଚାୟତ ଚାନ୍ଦମୋହିନୀ ଗ୍ରାମର ଆଶିଷ ବେହେରାକୁ ଥାନାରେ ଅଟକ ରଖାଯାଇଥିଲା। ପୁଲିସ କର୍ମଚାରୀଙ୍କ ଅବହେଳାରୁ ଆଶିଷ ଥାନାରୁ ଚୋରି କରି ଚମ୍ପଟ ମାରିଥିଲା। ଏନେଇ ଯାଜପୁର ଏସ୍ପି ୩ ଜଣ ପୁଲିସ କର୍ମଚାରୀଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଥିଲେ। ଅଭିଯୁକ୍ତକୁ ଧରିବାକୁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିଲା। ଚାନ୍ଦମୋହିନୀ ଗ୍ରାମର ଏକ କାଜୁବଗିଚାରୁ ଅଭିଯୁକ୍ତ ଆଶିଷ ବେହେରା(୨୪)କୁ କାବୁ କରାଯାଇଥିବା ବେଳେ ସହଯୋଗ କରୁଥିବା ଅଭିଯୋଗରେ ତାଙ୍କ ବାପା ଅଶୋକ ବେହେରା(୫୫) ଓ ଚୋରି ସାମଗ୍ରୀ ରଖିଥିବା କୁଣ୍ତପାଟଣା ଗ୍ରାମର ଜୟଦେବ ଦାଶ(୪୩)ଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି।
ସୌଜନ୍ୟ ସମ୍ବାଦ




