ଅପରାଧଓଡିଶା

Police: ପୁଲିସର ସାଂଘାତିକ କାରନାମା: ଅଭିଯୋଗ ନାହିଁ କି କୋର୍ଟରେ ମାମଲା ନାହିଁ, ୧୬ ଦିନ ଜେଲ୍‌ରେ ରହିଲେ ମହିଳା

ଅଭିଯୋଗ ନାହିଁ କି କୋର୍ଟରେ କୌଣସି ମାମଲା ନାହିଁ। ତଥାପି ମିଛ ୱାରେଣ୍ଟ ବଳରେ ଅନୁସୂଚିତ ଜାତି ବର୍ଗର ଜଣେ ମହିଳା ୧୬ ଦିନ ଜେଲ୍‌ରେ ରହିବା ଭଳି ଏକ ଚାଞ୍ଚଲ୍ୟକର ଅଭିଯୋଗ ସାମନାକୁ ଆସିଛି।

କଟକ: ଅଭିଯୋଗ ନାହିଁ କି କୋର୍ଟରେ କୌଣସି ମାମଲା ନାହିଁ। ତଥାପି ମିଛ ୱାରେଣ୍ଟ ବଳରେ ଅନୁସୂଚିତ ଜାତି ବର୍ଗର ଜଣେ ମହିଳା ୧୬ ଦିନ ଜେଲ୍‌ରେ ରହିବା ଭଳି ଏକ ଚାଞ୍ଚଲ୍ୟକର ଅଭିଯୋଗ ସାମନାକୁ ଆସିଛି। ଆର୍ଥିକ ଦୁର୍ବଳ ବର୍ଗର ଏହି ମହିଳା ଜଣକ ତାଙ୍କ ପ୍ରତି ହୋଇଥିବା ଅନ୍ୟାୟ ପାଇଁ କେଉଁଠୁ ନ୍ୟାୟ ପାଇବେ ବୋଲି ପ୍ରଶ୍ନ କରିଛନ୍ତି। ଅଭିଯୋଗ ଅନୁସାରେ ଭୁବନେଶ୍ବର ଏସ୍‌ଡିଜେଏମ୍‌ ଅଦାଲତ ପକ୍ଷରୁ ୨୦୧୭ ମସିହାରେ ଆଇପିସିର ଦଫା ୩୪୧, ୨୯୪, ୩୦୭, ୫୦୬, ୩୪ରେ ରୁଜୁ ଏକ ଫୌଜଦାରୀ ମାମଲାରେ ଜାରି ଜାମିନବିହୀନ ଗିରଫ ପରୱାନା ବଳରେ ଢେଙ୍କାନାଳଜିଲ୍ଲା ଭୁବନ ଥାନା ଆଇଆଇସି ୨୦୨୬ ଜାନୁଆରି ୧୯ରେ ସୁମିତ୍ରା ବେହେରାଙ୍କୁ ସାଇରାମପୁୁରରୁ ଗିରଫ କରିଥିଲେ। ସୁମିତ୍ରାଙ୍କୁ ପୁଲିସ ଭୁବନ ଏକଜିକ୍ୟୁଟିଭ୍‌ ମାଜିଷ୍ଟ୍ରେଟ ଅଦାଲତରେ ହାଜର କରିବା ପରେ କାମାକ୍ଷାନଗର ସବ୍‌ଜେଲ୍‌କୁ ପଠାଇ ଦିଆଯାଇଥିଲା। ସୁମିତ୍ରା କାମାକ୍ଷାନଗର ଅତିରିକ୍ତ ଦୌରାଜଜ୍‌ ଅଦାଲତରେ ଜାମିନ ଆବେଦନ କରିଥିଲେ। ଅତିରିକ୍ତ ଦୌରାଜଜ୍‌ ଅଦାଲତ ଏକ୍‌ଜିକ୍ୟୁଟିଭ୍‌ ମାଜିଷ୍ଟ୍ରେଟ ଅଦାଲତରୁ ମାମଲା ସଂପର୍କିତ ରେକର୍ଡ ତଲବ କରିଥିଲେ। ବାରମ୍ବାର ନିର୍ଦ୍ଦେଶ ପରେ ବି ମାମଲାର ରେକର୍ଡ ପହଞ୍ଚି ନଥିଲା।

 

ଏଭଳି ଘଟଣାକୁ ନେଇ ଅତିରିକ୍ତ ଦୌରାଜଜ୍‌ ଅଦାଲତ ଅସନ୍ତୋଷବ୍ୟକ୍ତ କରିଥିଲେ। ମାମଲାର ଶୁଣାଣି ସମୟରେ ଗିରଫ ପରୱାନା ସିଆର୍‌ପିସିର ଧାରା ୭୮(୨)ରେ ଥିବା ଆବଶ୍ୟକତା ପୂରଣ କରୁ ନ ଥିବା ଅଭିଯୋଗ ହୋଇଥିଲା। ଏହାପରେ ୨୦ହଜାର ଟଙ୍କାର ଜଣେ ଜାମିନଦାରଙ୍କ ବଦଳ‌ରେ ମହିଳାଙ୍କୁ ଜାମିନରେ ଛାଡ଼ିବାକୁ ଏକଜିକ୍ୟୁଟିଭ୍‌ ମାଜିଷ୍ଟ୍ରେଟ ଅଦାଲତଙ୍କୁ ଅତିରିକ୍ତ ଦୌରାଜଜ୍‌ ଅଦାଲତ ନିର୍ଦ୍ଦେଶ ଦେଇଥିଲେ। ଏଥି ସହିତ ୨୦୨୬ ଫେବ୍ରୁଆରି ୨୩ ବା ତା ପୂର୍ବରୁ ଗିରଫ ପରୱାନା ଜାରି କରିଥିବା ଭୁବନେଶ୍ବର ଏସ୍‌ଡିଜେଏମ୍‌ ଅଦାଲତରେ ସୁମିତ୍ରାଙ୍କୁ ଆତ୍ମସମର୍ପଣ କରିବାକୁ କହିଥିଲେ। ଅତିରିକ୍ତ ଦୌରାଜଜ୍‌ ଅଦାଲତଙ୍କ ନିର୍ଦ୍ଦେଶ ଅନୁଯାୟୀ ସୁମିତ୍ରା ଫେବ୍ରୁଆରି ୨୩ରେ ଭୁବନେଶ୍ବର ଏସ୍‌ଡିଜେଏମ୍‌ ଅଦାଲତରେ ଆତ୍ମସମର୍ପଣ କରିବା ପାଇଁ ପହଞ୍ଚିଥିଲେ। କିନ୍ତୁ ୨୦୧୭ ମସିହାର ଯେଉଁ ଜିଆର୍‌ କେସ୍‌ ନମ୍ବର ମାମଲାରେ ଗିରଫ ପରୱାନା ଜାରି କରାଯାଇଥିଲା ତାହାର କୌଣସି ତଥ୍ୟ ସେଠାରେ ନଥିଲା।

ଭୁବନେଶ୍ବର କୋର୍ଟର ୱାରେଣ୍ଟ ଅଛି କହି ଘରୁ ଉଠାଇ ନେଇଥିଲା ଭୁବନ ପୁଲିସ

ସୁମିତ୍ରା ବ୍ୟକ୍ତିଗତ ଭାବେ ହାଜର ହୋଇ ଆତ୍ମସମର୍ପଣ କରିବାକୁ ପହଞ୍ଚିଥିଲେ ବି ସଂପୃକ୍ତ ମାମଲାର କୌଣସି ରେକର୍ଡ ନ ଥିବାରୁ ଆବେଦନ ଗ୍ରହଣୀୟ ହୋଇ ନଥିଲା। ଏଭଳି ଘଟଣା ସଂକ୍ରାନ୍ତରେ ଭୁବନେଶ୍ବର ଏସ୍‌ଡିଜେଏମ୍‌ ଓ ମୁଖ୍ୟ ବିଚାରବିଭାଗୀୟ ମାଜିଷ୍ଟ୍ରେଟଙ୍କୁ ସୁମିତ୍ରା ଲିଖିତ ଭାବେ ଏବଂ ସ୍ପିଡ୍‌ ପୋଷ୍ଟ ମାଧ୍ୟମରେ ଅବଗତ କରିଥିଲେ। ତାଙ୍କ ବିରୋଧରେ ଭୁବନେଶ୍ବରର ଅଦାଲତରେ କୌଣସି ଫୌଜଦାରୀ ମାମଲା ଥିବା ସଂପର୍କରେ ସୁମିତ୍ରା ବି କେବେ ଜାଣି ନଥିଲେ। ସ୍ବାମୀଙ୍କ ସହିତ ମନାନ୍ତର ପରେ କିଛି ବର୍ଷ ହେବ ୧୪ ବର୍ଷର ପୁଅ ସହିତ ସୁମିତ୍ରା ପୈତୃକ ଗ୍ରାମରେ ରହୁଥିବା ବେଳେ ଭୁବନ ପୁଲିସ ଜାନୁଆରି ୧୯ରେ ଅପ୍ରତ୍ୟାଶିତ ଭାବେ ତାଙ୍କୁ ଗିରଫ କରିଥିଲା। ସୁମିତ୍ରା ସେତେବେଳେ ତାଙ୍କ ବିରୋଧରେ କ’ଣ ଅଭିଯୋଗ ରହିଛି ବୋଲି ଜାଣିବାକୁ ଚେଷ୍ଟା କରିଥିଲେ ବି କେବଳ ଗିରଫ ପରୱାନା ଅଛି ବୋଲି କହି ପୁଲିସ ତାଙ୍କୁ କୋର୍ଟ ଚାଲାଣ କରିଥିଲା।

ଏଭଳି ଘଟଣା ସଂପୂର୍ଣ୍ଣ ବ୍ୟବସ୍ଥା ଉପରେ ପ୍ରଶ୍ନଚିହ୍ନ ଲଗାଇ ଦେଇଛି। ଭୁବନ ପୁଲିସ ଗିରଫ ପରୱାନା କେଉଁଠାରୁ ପାଇ ତାଙ୍କୁ ଗିରଫ କଲା ବୋଲି ସୁମିତ୍ରା ପ୍ରଶ୍ନ କରିଛନ୍ତି। ଯଦି ମୂଳ ମାମଲାର ରେକର୍ଡ ନାହିଁ ତେବେ କେଉଁ ଆଧାରରେ ଗିରଫ କରାଗଲା? ଏଭଳି ଘଟଣାରେ ସୁମିତ୍ରାଙ୍କ ମୌଳିକ ଅଧିକାର ଓ ମାନବାଧିକାର ଉଲ୍ଲଂଘନ ହୋଇଛି। ସମଗ୍ର ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ହେଲେ ସତ ପଦାକୁ ଆସିବ ଏବଂ ଘଟଣା ପଛରେ କିଏ ଅଛି ତାହା ସ୍ପଷ୍ଟ ହେବ ବୋଲି ସୁମିତ୍ରା କହିଛନ୍ତି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button