ଦେଶ ବିଦେଶରାଜନୀତି

Politics: ସୁନେତ୍ରାଙ୍କୁ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ କରିବା ପାଇଁ ପ୍ରସ୍ତାବ ଦେବ ଏନ୍‌ସିପି

ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ମୃତ୍ୟୁ ପରେ ଏନ୍‌ସିପି ଦଳ ଅଜିତଙ୍କ ପତ୍ନୀ ସୁନେତ୍ରା ପାୱାରଙ୍କୁ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ପଦରେ ବସାଇବା ପାଇଁ ପ୍ରସ୍ତାବ ଦେବ ବୋଲି ଜଣାପଡ଼ିଛି। ସୁନେତ୍ରା ମଧ୍ୟ ଅଜିତଙ୍କ ଆସନରୁ ନିର୍ବାଚନ ଲଢ଼ିପାରନ୍ତି।

ମୁମ୍ବାଇ: ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ମୃତ୍ୟୁ ପରେ ଏନ୍‌ସିପି ଦଳ ଅଜିତଙ୍କ ପତ୍ନୀ ସୁନେତ୍ରା ପାୱାରଙ୍କୁ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ପଦରେ ବସାଇବା ପାଇଁ ପ୍ରସ୍ତାବ ଦେବ ବୋଲି ଜଣାପଡ଼ିଛି। ସୁନେତ୍ରା ମଧ୍ୟ ଅଜିତଙ୍କ ଆସନରୁ ନିର୍ବାଚନ ଲଢ଼ିପାରନ୍ତି। ବରିଷ୍ଠ ଏନ୍‌ସିପି ନେତା ଏବଂ ମହାରାଷ୍ଟ୍ର ଏଫ୍‌ଡିଏ ମନ୍ତ୍ରୀ ନରହରି ଜିରୱାଲ ଗୁରୁବାର କହିଛନ୍ତି, ଲୋକମାନେ ସୁନେତ୍ରା ପାୱାରଙ୍କୁ ରାଜ୍ୟ ମନ୍ତ୍ରାଳୟକୁ ଆଣିବା ପାଇଁ ଚାହାନ୍ତି।

ମିଳିଥିବା ସୂଚନାନୁଯାୟୀ, ପ୍ରଫୁଲ ପଟେଲ, ଛଗନ ଭୁଜବଳ, ଧନଞ୍ଜୟ ମୁଣ୍ଡେ ଓ ସୁନୀଲ ତତକରେ ଆଜି ଉକ୍ତ ପ୍ରସଙ୍ଗରେ ସୁନେତ୍ରା ପାୱାରଙ୍କ ସହ ଆଲୋଚନା କରିଛନ୍ତି। ଅଜିତ ପାୱାରଙ୍କ ଅନ୍ତିମ ସଂସ୍କାର ଶେଷ ହେବାର କିଛି ଘଣ୍ଟା ପରେ ଆଜି ସେମାନେ ବାରାମତିରେ ସୁନେତ୍ରାଙ୍କୁ ସୌଜନ୍ୟମୂଳକ ସାକ୍ଷାତ୍ କରି ତାଙ୍କୁ ଉପମୁଖ୍ୟମନ୍ତ୍ରୀ ପଦ ନେବା ପାଇଁ ଅନୁରୋଧ କରିଛନ୍ତି। ତେବେ ଭୁଜବଳ ପ‌ରେ ସାମ୍ବାଦିକଙ୍କୁ ସୂଚନା ଦେଇ କହିଥିଲେ ଯେ ଏହା ଏକ ସୌଜନ୍ୟମୂଳକ ସାକ୍ଷାତ୍ ଥିଲା ଏବଂ ଏଥିରେ କୌଣସି ରାଜନୈତିକ ଆଲୋଚନା ହୋଇନାହିଁ।

ଏନ୍‌ସିପି ନେତାମାନେ ମଧ୍ୟ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସଙ୍କୁ ଭେଟି ଏନ୍‌ସିିପିର ପ୍ରସ୍ତାବ ଓ ଭବିଷ୍ୟତ ଯୋଜନା ସଂକ୍ରାନ୍ତରେ ଆଲୋଚନା କରିବେ ବୋଲି ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ ପ୍ରଫୁଲ ପଟେଲ ଏବେ ଅସ୍ଥାୟୀ ଭାବେ ଦଳର ମଙ୍ଗ ଧରିପାରନ୍ତି। ପରେ ଏନ୍‌ସିପି (ଏସ୍‌ପି) ସହ ଏନ୍‌ସିପି ଦଳ ମିଶିବା ନେଇ ଆଲୋଚନା ହୋଇପାରେ। ଉଲ୍ଲେଖ‌ଯୋଗ୍ୟ ଯେ, ‌ପୌର ନିର୍ବାଚନ ଆରମ୍ଭ ହେବା ପରଠାରୁ ଅଜିତ ପାୱାର ଏନ୍‌ସିପି (ଏସ୍‌ପି) ସହ ତାଙ୍କ ଦଳକୁ ମିଶାଇବାପାଇଁ କଥାବାର୍ତ୍ତା ଆରମ୍ଭ କରିଥିଲେ। ତେବେ ୨ ଏନ୍‌ସିପି ଗୋଷ୍ଠୀ ଏକାଠି ହେବା ପ୍ରସଙ୍ଗରେ ଉତ୍ତର ରଖି ଜିରୱଲ କହିଛନ୍ତି, ୨ ଏନ୍‌ସିପି ଗୋଷ୍ଠୀ ଏକାଠି ହୋଇ ସାରିଛନ୍ତି। ସମସ୍ତେ ଏହା ହୃଦ୍‌ବୋଧ କରିଥିବା ସେ କହିଛନ୍ତି।

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button