ଓଡିଶାଜିଲ୍ଲାପୁନଶ୍ଚ ପୃଥିବୀ

Pollution: ବିଲୀନ ହେବାକୁ ବସିଲାଣି ଘୁ.ଉଦୟଗିରିର ଜୀବନରେଖା ‘ସାଲୁଙ୍କି ନାଳ

ଟୋପାଏ ପିଇବା ପାଣି ପାଇଁ ଲୋକ ଡହଳ ବିକଳ ହେଉଥିବା ବେଳେ ଘୁମୁସର ଉଦୟଗିରି ସହରରେ କିଛି ଲୋକ ଜଳକୁ ଜହର କରିବାରେ ବ୍ୟସ୍ତ। ଜଳବାୟୁ ପରିବର୍ତ୍ତନ ପାଇଁ ମଣିଷ ସମାଜ ସମ୍ପୂର୍ଣ୍ଣ ଦାୟୀ କାରଣ ମଣିଷ ନିଜ ସୁବିଧା...

ଘୁ.ଉଦୟଗିରି (ସମୀର କୁମାର ପାଢ଼ୀ): ଟୋପାଏ ପିଇବା ପାଣି ପାଇଁ ଲୋକ ଡହଳ ବିକଳ ହେଉଥିବା ବେଳେ ଘୁମୁସର ଉଦୟଗିରି ସହରରେ କିଛି ଲୋକ ଜଳକୁ ଜହର କରିବାରେ ବ୍ୟସ୍ତ। ଜଳବାୟୁ ପରିବର୍ତ୍ତନ ପାଇଁ ମଣିଷ ସମାଜ ସମ୍ପୂର୍ଣ୍ଣ ଦାୟୀ କାରଣ ମଣିଷ ନିଜ ସୁବିଧା ପାଇଁ ପରିବେଶକୁ କ୍ଷତି ପହଞ୍ଚାଇ ନିଜର ଆବଶ୍ୟକତା ମେଣ୍ଟାଉଛି। ଜଳ ହିଁ ଜୀବନ ହୋଇଥିବା ବେଳେ ସେଇ ଜଳକୁ ପ୍ରଦୂଷିତ କରି ନିଜ ପାଇଁ ବିପଦ ସୃଷ୍ଟି କରୁଥିବା ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲାର ଘୁ.ଉଦୟଗିରି ସହରରେ। ଯେଉଁ ନଦୀ ସହରବାସୀଙ୍କ ଜୀବନରେଖା ପାଲଟିଛି, ତାହା ବିଲୀନ କରିବାରେ ସେଇ ମଣିଷ ସମାଜ ଲାଗି ପଡିଛନ୍ତି।

ଏହାସହ ସ୍ଥାନୀୟ ଏନଏସି କର୍ତ୍ତୃପକ୍ଷଙ୍କ ବେପରୁଆ ଯୋଜନା ଯୋଗୁଁ ସାଲୁଙ୍କି ନିଜ ସତ୍ତା ହରେଇବାକୁ ବସିଛି। ରାତିପାହିଲେ ହଜାର ହଜାର ଲୋକଙ୍କ ଦୈନଦିନ ଜୀବନର ଏକ ପ୍ରମୁଖ ଉତ୍ସ ସାଲୁଙ୍କୀ ନଦୀ ଏବେ ବିପଦରେ। ଏହି ନଦୀ ଦିନକୁ ଦିନ ସଙ୍କୁଚିତ ହୋଇ ବିଲୀନ ହୋଇଯିବାକୁ ବସିଲାଣି। ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାରେ କୋଟିକୋଟି ଟଙ୍କା ବ୍ୟୟ ହେଉଛି। ଅନାବଶ୍ୟକ କାର୍ଯ୍ୟ ପାଇଁ ମଧ୍ୟ ବ୍ୟୟ ବରାଦ ହେଉଛି। ରାସ୍ତା ଉପରେ ରାସ୍ତା ନିର୍ମାଣ ହେଉଛି ହେଲେ ଘୁ.ଉଦୟଗିରି ସହରର ଜୀବନରେଖା ସାଲୁଙ୍କି ନଦୀ ପ୍ରତି କାହାର ନଜର ନାହିଁ। ଏହି ନଦୀ ଏବେ ଇତିହାସ ହେବାକୁ ବସିଲାଣି। ଲୋପ ହେବାକୁ ବସିଲାଣି ସାଲୁଙ୍କି ନଦୀ।

ଘୁ.ଉଦୟଗିରି ସହର ଦେଇ ଯାଇଥିବା ସାଲୁଙ୍କି ନଦୀ ସଙ୍କୁଚିତ ହେବା ସହ ଏଥିରେ ପ୍ରବାହିତ ଜଳ ଏବେ ଜହର ପାଲଟିଛି। ସାରା ସହରର ନର୍ଦମାର ମଇଳା ଜଳ ସାଲୁଙ୍କି ନଦୀରେ ପ୍ରବାହିତ ହେଉଛି। ସାଲୁଙ୍କି ନଦୀର ଜଳ ତାର ରଙ୍ଗ ବଦଳେଇ କଳା କଳା ପାଣି ପ୍ରବାହିତ ହେଉଛି।ସହର ସାରା ହଜାର ହଜାର ଗରିବ ଲୋକ ଏହି ସାଲୁଙ୍କି ନାଳ ଉପରେ ନିର୍ଭରଶୀଳ।ପ୍ରତ୍ୟକ ଦିନ ରାତି ପାହିଲେ ଲୋକ ଏହି ନଦୀ କୁ ଆସି ନିଜ ନିଜ ନିତ୍ୟକର୍ମ ସାରିଥାନ୍ତି। ହେଲେ ଏବେ ଏହି ନଦୀର ପାଣି ଜହର ପାଲଟିଛି।ଘୁ.ଉଦୟଗିରି ସହରର ୫ନଂ ୱାର୍ଡର କ୍ଳବ ସାହି, ହାଟପଦା ସାହି, ଏମଏମସି ରୋଡ଼ ନୂଆ ହାଟପଦା, ୪ନଂ ୱାର୍ଡର ଶିବମନ୍ଦିର ସାହି, ୩ନଂ ୱାର୍ଡର ତେଲିସାହି, କନ୍ଧସାହି, ଚମ୍ପାସାହି, ୨ନଂ ୱାର୍ଡର ଚୁଆଁ ସାହି, ଶଙ୍ଖସାହି ଏହିଭଳି ବହୁ ସାହି ବାସିନ୍ଦାଙ୍କ ଦୈନଦିନ ଜୀବନର ଜୀବନ ରେଖା ପାଲଟିଥିବା ସାଲୁଙ୍କି ନଦୀ ଏବେ ଲୋପ ପାଇବାକୁ ବସିଲାଣି।

ସହରର ସମସ୍ତ ଡ୍ରେନ ପାଣି ସିଧାସଳଖ ନାଳରେ ପଡୁଛି। କୁଢ଼ କୁଢ଼ ଅଳିଆ ଆବର୍ଜନା ପଡି ପୋତିହେବାରେ ଲାଗିଲାଣି। ସାଲୁଙ୍କି ନଦୀ କଡ଼େକଡ଼େ ଘର କରିଥିବା କିଛି ଲୋକ ନିଜ ନିଜ ଶୌଚାଳୟକୁ ଏହି ନଦୀରେ ଖଞ୍ଜି ଦେଇଛନ୍ତି। ଏହାସହ ଏନଏସି ପକ୍ଷରୁ ବିଭିନ୍ନ ସ୍ଥାନରେ ନିର୍ମିତ ଡ୍ରେନ କୁ ସିଧା ସଳଖ ସାଲୁଙ୍କି ନଦୀରେ ମିଶେଇ ଦିଆଯାଇଛି।

ଏହିଭଳି ବେପରୁଆ କାର୍ଯ୍ୟ ଯଦି ଏନଏସି କତ୍ତୃପକ୍ଷଙ୍କ ଦ୍ୱାରା କରାଯିବ ତାହାହେଲେ କାହାକୁ କହିବା କିଏ ବୁଝିବ। ଏହାଦ୍ୱାରା ନଦୀର ଜଳ ଜହର ହୋଇସାରିଲାଣି। ସାଲୁଙ୍କି ନଦୀର ପୁନରୁଦ୍ଧାର ପାଇଁ ସ୍ଥାନୀୟ ନେତା ଏବଂ ପ୍ରଶାସନିକ ଅଧିକାରୀଙ୍କ ଆଗ୍ରହ ନାହିଁ। ସହରର ନର୍ଦମା ପାଣିକୁ ଅନ୍ୟ କେଉଁଠି ପକେଇବା ସହ ଅଳିଆ ଆବର୍ଜନା ସଫା କରିବା ସହ ସାଲୁଙ୍କି ନଦୀର ପୁନରୁଦ୍ଧାର ପାଇଁ ସାଧାରଣରେ ଦାବି ହୋଇଛି। ରାଜ୍ୟ ସରକାର ଏହି ସମସ୍ୟା ପ୍ରତି ସ୍ବତନ୍ତ ଦୃଷ୍ଟି ଦେଇ ସାଲୁଙ୍କି ନଦୀର ପୁନରୁଦ୍ଧାର କରିବା କୁ ଦାବି ହୋଇଛି।

ଦିନ ଥିଲା ଏହି ନଦୀ ଜଳରେ ଏକର ଏକର ଚାଷ ଜମିରେ ଜଳସେଚନ ହୋଇ ବିଭିନ୍ନ କିସମର ଚାଷ ହେଉଥିବା ବେଳେ ବର୍ତମାନ ନଦୀତଟରେ ଥିବା ଚାଷ ଜମି ସବୁ ପଡ଼ିଆ ପଡିଛି। କ୍ଷୁଦ୍ର ଜଳସେଚନ ବିଭାଗ ପକ୍ଷରୁ କୋଟି କୋଟି ଟଙ୍କା ବ୍ୟୟରେ ଚେକ ଡେମ ପାର୍ଶ୍ଵ ସୁରକ୍ଷା ପାଚେରୀ ନିର୍ମାଣ କରାଯାଇଛି ହେଲେ ଏହି କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇପାରିନି କାରଣ ଅର୍ଥର ଅଭାବ।ସାଲୁଙ୍କି ନଦୀର ପୁନରୁଦ୍ଧାର ଏବଂ ତାର ରକ୍ଷଣା ବେକ୍ଷଣ ପାଇଁ ସ୍ବତନ୍ତ ବ୍ୟବସ୍ଥା ପାଇଁ ସହରବାସୀ ଦାବି କରିଆସୁଥିଲେ ମଧ୍ୟ କାହାର ନଜର ପଡୁନି।ନିର୍ବାଚନ ପରେ ନିର୍ବାଚନ ସରୁଛି ନେତା ପରେ ନେତା ଆସୁଛନ୍ତି ଯାଉଛନ୍ତି ହେଲେ ସାଲୁଙ୍କି ନଦୀ କଥା ଭୁଲି ଯାଉଛନ୍ତି ନିର୍ବାଚିତ ପ୍ରତିନିଧି। କେବେ ଆରମ୍ଭ ହେବ ସାଲୁଙ୍କି ବଞ୍ଚାଅ ଅଭିଯାନ ସାଲୁଙ୍କି କିଭଳି ପୁନର୍ଜୀବନ ପାଇଁ ଚିରଶ୍ରୋତା ହୋଇପାରିବ ତାହା ଦେଖିବାକୁ ବାକି ରହିଲା। ସମୟ ଥାଉ ଥାଉ ଯଦି ସାଲୁଙ୍କି ବଞ୍ଚାଅ ଅଭିଯାନ ଆରମ୍ଭ କରାନଯାଏ ତାହାହେଲେ ଆଗାମୀ ପିଢ଼ି ପାଇଁ ଏହି ସାଲୁଙ୍କି ନଦୀ ଇତିହାସ ବହିରେ କଳା ଅକ୍ଷରରେ ଲିପିବଦ୍ଧ ହୋଇ ରହିଯିବ।

 

 

 

ସୌଜନ୍ୟ Prameya News7

Show More

Leave a Reply

Your email address will not be published. Required fields are marked *

Back to top button