ଦେଶ ବିଦେଶ

Pollution in Delhi: ଦିଲ୍ଲୀ ପ୍ରଦୂଷଣ ପାଇଁ ଗାଡ଼ିଧୂଆଁ ପ୍ରମୁଖତଃ ଦାୟୀ

ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ବାୟୁ ପ୍ରଦୂଷଣ ଉଦ୍‌ବେଗଜନକ ସ୍ଥିତିରେ ପହଞ୍ଚିଥିବା ବେଳେ ସୁପ୍ରିମ୍‌କୋର୍ଟ ଏଥିପାଇଁ ଯାନବାହନରୁ ନିର୍ଗତ ଧୂଆଁକୁ ଅନ୍ୟତମ ପ୍ରମୁଖ କାରଣ ବୋଲି କହିଛନ୍ତି। ଶୁକ୍ରବାର ଦିଲ୍ଲୀ-ଏନ୍‌ସିଆର୍‌ର ବାୟୁ ପ୍ରଦୂଷଣ ସମ୍ପର୍କିତ ଏକ ସ୍ବତଃପ୍ରବୃତ୍ତ ମାମଲାର ଶୁଣାଣି କରି ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ, ବିଚାରପତି ଜୟମାଲ୍ୟ ବାଗ୍‌ଚୀ ଓ ଭି. ମୋହନାଙ୍କ ଖଣ୍ଡପୀଠ ଏହି ମତ ଦେଇଛନ୍ତି।

ନୂଆଦିଲ୍ଲୀ: ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ବାୟୁ ପ୍ରଦୂଷଣ ଉଦ୍‌ବେଗଜନକ ସ୍ଥିତିରେ ପହଞ୍ଚିଥିବା ବେଳେ ସୁପ୍ରିମ୍‌କୋର୍ଟ ଏଥିପାଇଁ ଯାନବାହନରୁ ନିର୍ଗତ ଧୂଆଁକୁ ଅନ୍ୟତମ ପ୍ରମୁଖ କାରଣ ବୋଲି କହିଛନ୍ତି। ଶୁକ୍ରବାର ଦିଲ୍ଲୀ-ଏନ୍‌ସିଆର୍‌ର ବାୟୁ ପ୍ରଦୂଷଣ ସମ୍ପର୍କିତ ଏକ ସ୍ବତଃପ୍ରବୃତ୍ତ ମାମଲାର ଶୁଣାଣି କରି ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ, ବିଚାରପତି ଜୟମାଲ୍ୟ ବାଗ୍‌ଚୀ ଓ ଭି. ମୋହନାଙ୍କ ଖଣ୍ଡପୀଠ ଏହି ମତ ଦେଇଛନ୍ତି। ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ତୁରନ୍ତ, ମଧ୍ୟମ ଓ ଦୀର୍ଘମିଆଦୀ ପଦକ୍ଷେପ ଗ୍ରହଣ କରିବାକୁ ଖଣ୍ଡପୀଠ ଗୁରୁତ୍ବାରୋପ କରିଛନ୍ତି।

ଶୁଣାଣି ସମୟରେ ପ୍ରଧାନ ବିଚାରପତି କହିଥିଲେ, ଆମେ କେବଳ ଆଲୋଚନା କରୁଛୁ, ବିବୃତି ଦେଉଛୁ ଓ ପରାମର୍ଶ ଦେଉଛୁ। କିନ୍ତୁ ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ଏବେ ୪୦୦ ଛୁଇଁଲାଣି। ଦିଲ୍ଲୀରୁ ଗାଜିଆବାଦ, ଗ୍ରେଟର ନୋଏଡା, ଗୁରୁଗ୍ରାମ ଓ ଫରିଦାବାଦକୁ ସଂଯୋଗ କରୁଥିବା ରାସ୍ତାରେ ପ୍ରବଳ ଯାନବାହନ ଭିଡ଼ ନେଇ ଖଣ୍ଡପୀଠ ଚିନ୍ତା ପ୍ରକଟ କରିଥିଲେ। ରାସ୍ତାରେ ଗାଡ଼ିଗୁଡ଼ିକ ପରସ୍ପରକୁ ଲାଗି ଚାଲୁଥିବାରୁ ପ୍ରଦୂଷଣ ବଢ଼ୁଛି ବୋଲି ପ୍ରଧାନ ବିଚାରପତି କହିଥିଲେ।

ଖଣ୍ଡପୀଠ କହିଥିଲେ, ପ୍ରଦୂଷଣରେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହେଉଛନ୍ତି ଗରିବ ଲୋକ। ବିଶେଷକରି ଦିନମଜୁରିଆ ଓ ଅନ୍ୟ ଶ୍ରମଜୀବୀମାନେ ପ୍ରଦୂଷିତ ପରିବେଶରେ ବାହାରେ କାମ କରିବାକୁ ବାଧ୍ୟ ହେଉଛନ୍ତି। ପାର୍ବଣ ସମୟ ସେମାନଙ୍କ ରୋଜଗାର ପାଇଁ ଗୁରୁତ୍ବପୂର୍ଣ୍ଣ ହୋଇଥିବାରୁ ସେମାନଙ୍କ ଜୀବିକା ପ୍ରତି ମଧ୍ୟ ଧ୍ୟାନ ଦେବା ଆବଶ୍ୟକ। ମାମଲାରେ ଅଦାଲତଙ୍କୁ ସହାୟତା କରୁଥିବା ବରିଷ୍ଠ ଆଇନଜୀବୀ ଅପରାଜିତା ସିଂହ କହିଥିଲେ, ଦିଲ୍ଲୀର ପ୍ରଦୂଷିତ ବାୟୁରେ ନିଃଶ୍ବାସ ନେବା ଦିନକୁ ୩୦ଟି ସିଗାରେଟ୍‌ ଟାଣିବା ସହ ସମାନ। ଗୁରୁବାର ଦିଲ୍ଲୀର ମୋଟ ପ୍ରଦୂଷଣରେ ନଡ଼ାପୋଡ଼ିର ଅବଦାନ ପ୍ରାୟ ୧୪ ପ୍ରତିଶତ ଥିଲା। ତେବେ ଯାନବାହନ, ଶକ୍ତି ବ୍ୟବହାର ଓ ଆବର୍ଜନା ପୋଡ଼ି ଯୋଗୁଁ ଦିଲ୍ଲୀର ବାୟୁ ପୂର୍ବରୁ ପ୍ରଦୂଷିତ ରହୁଛି। ନଡ଼ାପୋଡ଼ି ବନ୍ଦ କରିବା ପାଇଁ ଚାଷୀମାନଙ୍କୁ ଯନ୍ତ୍ରପାତି ବ୍ୟବହାର ସମ୍ପର୍କରେ ସଚେତନ କରିବାକୁ ଖଣ୍ଡପୀଠ ପରାମର୍ଶ ଦେଇଥିଲେ।

୪୦୦ ଛୁଇଁଲାଣି ଏକ୍ୟୁଆଇ

କେନ୍ଦ୍ର ସରକାରଙ୍କ ପକ୍ଷରୁ ଅତିରିକ୍ତ ସଲିସିଟର ଜେନେରାଲ୍‌ ଐଶ୍ବର୍ଯ୍ୟା ଭାଟି କହିଥିଲେ, ଶିଳ୍ପ ପ୍ରଦୂଷଣ, ଯାନବାହନ ଧୂଆଁ, ନିର୍ମାଣ ଓ ଭଙ୍ଗାକାର୍ଯ୍ୟର ଧୂଳି, ରାସ୍ତାଧୂଳି ଏବଂ ନଡ଼ାପୋଡ଼ି ନିୟନ୍ତ୍ରଣ ପାଇଁ ବ୍ୟବସ୍ଥା ରହିଛି। କେତେକ ଶ୍ରେଣୀର ଗାଡ଼ି ପ୍ରବେଶ ଉପରେ କଟକଣା, ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ରର ଭୌଗୋଳିକ ସ୍ଥିତି ଚିହ୍ନଟ ଏବଂ ଅଧିକ ଧୂଆଁ ଛାଡ଼ୁଥିବା ଗାଡ଼ି ବିରୋଧରେ ଅଭିଯୋଗ ଆଧାରରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ପ୍ରଦୂଷଣ ବଢ଼ିଲେ ସମସ୍ତ ବୟସର ଛାତ୍ରଛାତ୍ରୀଙ୍କ ପାଇଁ ବିଦ୍ୟାଳୟ ବନ୍ଦ କରିବା କିମ୍ବା ଅନ୍‌ଲାଇନ୍‌ ଓ ଶ୍ରେଣୀଗୃହ ପାଠପଢ଼ାର ମିଳିତ ବ୍ୟବସ୍ଥା କରିବା ସମ୍ପର୍କିତ ଆବେଦନ ଉପରେ ବିଶେଷଜ୍ଞଙ୍କ ମତ ନିଆଯିବ ବୋଲି ଖଣ୍ଡପୀଠ କହିଛନ୍ତି। ମାମଲାରେ କେତେକ ନିର୍ଦ୍ଦେଶ ଦିଆଯିବା ସହ ଦୀପାବଳି ଅବକାଶ ପରେ ନଭେମ୍ବର ୧୬ରେ ପରବର୍ତ୍ତୀ ଶୁଣାଣି ହେବ।

ଏପଟେ ଶୁକ୍ରବାର ଦିଲ୍ଲୀର ସାମଗ୍ରିକ ଏକ୍ୟୁଆଇ ୩୯୧ରେ ପହଞ୍ଚିଥିଲା। ସକାଳ ୯ଟା ସୁଦ୍ଧା ୫୯ଟି ନିରୀକ୍ଷଣ କେନ୍ଦ୍ର ମଧ୍ୟରୁ ୩୦ଟିରେ ବାୟୁର ମାନ ଅତି ଗମ୍ଭୀର ଶ୍ରେଣୀରେ ଥିଲା। ରୋହିଣୀରେ ସର୍ବାଧିକ ୪୭୫ ଏବଂ ଆଇଆଇଟି ଦିଲ୍ଲୀ ଅଞ୍ଚଳରେ ୪୭୨ ଏକ୍ୟୁଆଇ ରେକର୍ଡ କରାଯାଇଥିଲା।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button