Pond: ଦିନେ ପାହାଡ଼ ଥିଲା, ଏବେ ପୋଖରୀ! ଖଞ୍ଜାମହାଲରୁ ଲୁଟ୍ ହେଉଛି ପଥର
ବାଲେଶ୍ବର ଜିଲ୍ଲା ସୋର ବ୍ଲକ୍ ମହୁମୁହାଣ ପଞ୍ଚାୟତ ଅନ୍ତର୍ଗତ ଖଞ୍ଜାମହାଲ ପାହାଡ଼ର ୬୩ଟି ପଥର ଖାଦାନକୁ ସରକାରୀ ଭାବେ ନିଲାମ ଦିଆଯାଉଥିଲା। ପରେ ଉକ୍ତ ପାହାଡ଼ ଦେଇ ହାତୀ ଚଳପ୍ରଚଳ କରିବାରୁ ଖାଦାନ ପାଇଁ ପରିବେଶ ମଞ୍ଜୁରି ମିଳିଲାନି।

ଅଭୟ ପତ୍ରୀ
ସୋର: ବାଲେଶ୍ବର ଜିଲ୍ଲା ସୋର ବ୍ଲକ୍ ମହୁମୁହାଣ ପଞ୍ଚାୟତ ଅନ୍ତର୍ଗତ ଖଞ୍ଜାମହାଲ ପାହାଡ଼ର ୬୩ଟି ପଥର ଖାଦାନକୁ ସରକାରୀ ଭାବେ ନିଲାମ ଦିଆଯାଉଥିଲା। ପରେ ଉକ୍ତ ପାହାଡ଼ ଦେଇ ହାତୀ ଚଳପ୍ରଚଳ କରିବାରୁ ଖାଦାନ ପାଇଁ ପରିବେଶ ମଞ୍ଜୁରି ମିଳିଲାନି। ୫ ବର୍ଷ ହେଲା ଖାଦାନଗୁଡ଼ିକ ବନ୍ଦ ରହିଛି। ତେବେ ବେଆଇନ ଭାବେ ପଥର ଲୁଟ୍ ଚାଲିଛି। ଦିନେ ଯେଉଁଠି ପାହାଡ଼ ଥିଲା ଏବେ ପୋଖରୀରେ ପରିଣତ ହୋଇଯାଇଛି। ସରକାର ରାଜସ୍ବ ହରାଉଥିବା ବେଳେ ପଥର ମାଫିଆ ମାଲାମାଲ୍ ହେଉଛନ୍ତି।
ଖଞ୍ଜାମହାଲରୁ ଲୁଟ୍ ହେଉଛି ପଥର
ବିଭାଗୀୟ କର୍ମଚାରୀ ଓ ମାଫିଆଙ୍କ ସଲାସୁତୁରା
ପାହାଡ଼ ନିଲାମ ପରେ ପଥର ଉତ୍ତୋଳନ ପାଇଁ ଏହାର ୬ ମିଟର ଉପରକୁ ଏବଂ ୬ ମିଟର ତଳକୁ ଖୋଳାଯାଇପାରିବ। ସେହିପରି, ଖୋଳାଯାଇଥିବା ସ୍ଥାନକୁ ମାଟି କିମ୍ବା ବାଲି ଦ୍ୱାରା ପୋତାଯିବ ବୋଲି ସରକାରୀ ନିୟମ ରହିଛି। ହେଲେ, ଅମାନିଆ ପଥର ବ୍ୟବସାୟୀମାନେ ପୂର୍ବରୁ ଖଞ୍ଜାମହାଲ ପାହଡ଼କୁ ମନଇଚ୍ଛା ଖୋଳି ପଥର ଉତ୍ତୋଳନ କରିଥିଲେ ମଧ୍ୟ ଉକ୍ତ ସ୍ଥାନକୁ ପୋତି ନାହାନ୍ତି। ଗତ ୫ ବର୍ଷ ଭିତରେ ସେଠାରେ ବିରାଟକାୟ ପୋଖରୀ ହୋଇଯାଇଛି। ପ୍ରାୟ ବର୍ଷସାରା ଶତାଧିକ ଫୁଟ୍ରୁ ଅଧିକ ପାଣି ଜମି ରହିବା କାରଣରୁ ସ୍ଥାନୀୟ ଲୋକ ଓ ଜୀବଜନ୍ତୁ ସେଥିରେ ପଡ଼ି ଜୀବନ ହରାଉଛନ୍ତି। ଆଗାମୀ ଦିନରେ ଭୂ-ସ୍ଖଳନ ଭଳି ପରିସ୍ଥିତି ଉପୁଜିପାରେ ବୋଲି ପରିବେଶବିତ୍ମାନେ କହୁଛନ୍ତି।
ସୌଜନ୍ୟ ସମ୍ବାଦ




