
ଯାଜପୁର: ନାଭିଗୟାରେ ପିଣ୍ଡଦାନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସକାଳ ୯ଟା ୫୦ ମିନିଟ୍ରେ ମହାମହିମ ବିରଜା ମନ୍ଦିରରେ ପହଞ୍ଚିବା ପରେ ପ୍ରଥମେ ପିଣ୍ଡଦାନ କାର୍ଯ୍ୟ ଆରମ୍ଭ ହୋଇଥିଲା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ କାର୍ଯ୍ୟକ୍ରମରେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପାଟି, ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ଭାବେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ, ଆରଡିସି, ଅତିରିକ୍ତ ଡିଜି, କେନ୍ଦ୍ରାଞ୍ଚଳ ଡିଆଇଜି, ଯାଜପୁର ଜିଲ୍ଲାପାଳ ଓ ଏସପି ପ୍ରମୁଖ ଉପସ୍ଥିତ ଅଛନ୍ତି।
ଏହାପରେ ମା’ଙ୍କୁ ଦର୍ଶନ, ପୂଜାର୍ଚ୍ଚନା ଓ ବେଢ଼ା ପରିକ୍ରମା କରିବେ। ପିଣ୍ଡଦାନ କାର୍ଯ୍ୟରେ ପୂଜକ ଭାବେ ସରୋଜ କୁମାର ପତି, ଅବିନାଶ ପାଣି, ସତ୍ୟରଂଜନ ପାଣି ଓ କଲ୍ୟାଣ ପାଣି ରହିଛନ୍ତି। ପୁରୋଧା ଭାବେ ସେଠାରେ ହିଂମାଶୁ ଶେଖର ପତିମିଶ୍ର ଉପସ୍ଥିତ ଥିବାବେଳେ ମା’ଙ୍କ ପୂଜାରେ ପୁରୋଧା ଭାବେ ଡ. ଜ୍ଞାନରଂଜନ ପତିଙ୍କ ସମେତ ଦୁର୍ଗାମାଧବ ପାଣି, ବିଜୟ କୁମାର ପାଣି, ସତ୍ୟରଂଜନ ପାଣି ରହିଛନ୍ତି। ଦୈନିକ ପାଳିଆ ସେବକ ଭାବେ ସତ୍ୟନାରାୟଣ କର, ନାଗେନ୍ଦ୍ର ଭୂଷଣ କର, ଦୂତୀସୁନ୍ଦର ପାଣି ଉପସ୍ଥିତ ଅଛନ୍ତି। ଏଥିସହ ମନ୍ଦିର ମୁଖଶାଳା ନିକଟରେ ୪ଜଣ ସେବାୟତଙ୍କ ଦ୍ବାରା ବେଦପାଠ କରାଯିବା ସେଥିରେ ସୀତାକାନ୍ତ ପାଣି, ପ୍ରତାପ କୁମାର ପତି, ବିରଜା ଶଙ୍କର ପତି ଓ ପ୍ରଭାତ ରଂଜନ ପତିଙ୍କୁ ରଖାଯାଇଛି। ସେହିପରି ମୁକ୍ତି ମଣ୍ଡପରେ ୩୨ ଜଣ ବ୍ରାହ୍ମଣ ସେବାୟତ ଉପସ୍ଥିତ ଅଛନ୍ତି।
କାହିଁକି ନାଭିଗୟାରେ ପିତୃଗଣ ଓ ମାତୃଗଣଙ୍କୁ ପିଣ୍ଡଦାନ କଲେ ରାଷ୍ଟ୍ରପତି ?
ସମଗ୍ର ଭାରତବର୍ଷରେ ପିତୃପୁରୁଷଙ୍କୁ ପିଣ୍ଡଦାନ ପାଇଁ ୩ଟି ଗୟା ଅର୍ଥାତ୍ ତ୍ରିଗୟା ରହିଛି। ପାଦଗୟା ପିଠାପୁରମ୍ ଆନ୍ଧ୍ରପ୍ରଦେଶରେ, ଶିରଗୟା ବିହାରରେ ଓ ନାଭିଗୟା ଓଡ଼ିଶାର ଯାଜପୁରରେ ଅବସ୍ଥିତ ହିନ୍ଦୁ ରାତିରେ ଏହିଠାରେ ପିଣ୍ଡଦାନ ଜଳେ ପିତୃପୁରୁଷ ମୁକ୍ତିଲାଭ କରିଥାନ୍ତି ବୋଲି ବିଶ୍ଵାସ ରହିଛି । ଓଡ଼ିଶା ସମେତ ପଶ୍ଚିମବଙ୍ଗ ଓ ବିଶେଷକରି ଦକ୍ଷିଣ ଭାରତରୁ ଅଧିକାଂଶ ଶ୍ରଦ୍ଧାଳୁ ପିଣ୍ଡଦାନ କରିବାକୁ ଏଠାକୁ ଆସିଥାନ୍ତି। ଏଥିସହ ବହୁ ଶ୍ରଦ୍ଧାଳୁ ତ୍ରିବେଣୀରେ ଅସ୍ଥି ବିସର୍ଜନ କରି ନାଭିଗୟାରେ ପିଣ୍ଡଦାନ କରିଥାନ୍ତି । ଏହାପରେ ଶ୍ରୀକ୍ଷେତ୍ର ପୁରୀ ଯାଇ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିଥାନ୍ତି ।
ଦେଶର ପ୍ରଥମ ନାଗରିକଙ୍କ ଗସ୍ତକୁ ନେଇ ଆମେ ଗର୍ବିତ: ସରୋଜ କୁମାର ପତି, ପିଣ୍ଡଦାନ କାର୍ଯ୍ୟକ୍ରମର ମୁଖ୍ୟ ପୂଜକ
ମହାମହିମ ରାଷ୍ଟ୍ରପତି ଭାବେ ଦ୍ରୌପଦୀ ମୁର୍ମୁଙ୍କର ମା’ ବିରଜାଙ୍କ ପବିତ୍ର କ୍ଷେତ୍ରକୁ ଏହା ପ୍ରଥମ ଗସ୍ତ। ସ୍ବାଧୀନ ଭାରତରେ ଭାରତର କୌଣସି ରାଷ୍ଟ୍ରପତି ଏହି କ୍ଷେତ୍ରକୁ କେବେ ଆସିନଥିଲେ। ସେଥିପାଇଁ ଆମେ ଗର୍ବିତ ଓ ଉତ୍ସାହିତ। ଆଜି ଫାଲ୍ଗୁନ ମାସ କୃଷ୍ଣପକ୍ଷ ଦ୍ବିତୀୟା ତିଥି। ଏହି ଶୁଭବେଳାରେ ମା’ଙ୍କୁ ଦର୍ଶନ ଓ ନାଭିଗୟା ପୁଣ୍ୟତୀର୍ଥରେ ମହାମହିମଙ୍କ ପିତୃଗଣ ଓ ମାତୃଗଣଙ୍କ ପିଣ୍ଡଦାନ କରିବାକୁ ସୁଯୋଗ ମିଳିଥିବାରୁ ମୁଁ ଏବଂ ଆମର ସମସ୍ତ ସେବାୟତମାନେ ଗୌରବାନ୍ବିତ ମନେ କରୁଛୁ। ସେ ହେଉଛନ୍ତି ଦେଶର ପ୍ରଥମ ନାଗରିକ ତଥା ଆମ ଓଡ଼ିଶାର କନ୍ୟା। ନିର୍ଦ୍ଧାରିତ ସମୟରେ ତ୍ରୁଟିଶୂନ୍ୟ ଭାବେ ତାଙ୍କର ସମସ୍ତ କାର୍ଯ୍ୟ ଯେପରି ସୂଚାରୁ ରୂପେ ସମ୍ପାଦିତ ହୋଇପାରିବ, ସେଥିପାଇଁ ଆମେ ସମ୍ପୂର୍ଣ୍ଣ ଭାବେ ପ୍ରୟାସ ଜାରି ରଖିଛୁ।
ସୌଜନ୍ୟ ସମ୍ବାଦ




