ଖେଳ

Pro-League India :ଆଜିଠାରୁ ଲଢିବେ ୩ ଦଳ :ପ୍ରୋ-ଲିଗ୍‌ର ଭାରତ ପର୍ଯ୍ୟାୟ ଆଜିଠାରୁ

ମଙ୍ଗଳବାରଠାରୁ ବିର୍ସା ମୁଣ୍ଡା ଷ୍ଟାଡିୟମରେ ଆରମ୍ଭ ହେବ ପୁରୁଷ ହକି ପ୍ରୋ-ଲିଗ୍‌। ଏଣୁ ବିଶ୍ୱ ହକି ସ୍ପଟଲାଇଟ୍‌କୁ ଫେରିଛି ଓଡ଼ିଶା। ସେହିଭଳି ବର୍ଷକପରେ ଇସ୍ପାତସହରକୁ ଶୀର୍ଷସ୍ତରୀୟ ଅନ୍ତର୍ଜାତୀୟ ହକି ଫେରିଥିବାରୁ ଜିଲ୍ଲାର ହକିପ୍ରେମୀଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହେବା ସ୍ବାଭାବିକ୍‌।

ରାଉରକେଲା: ମଙ୍ଗଳବାରଠାରୁ ବିର୍ସା ମୁଣ୍ଡା ଷ୍ଟାଡିୟମରେ ଆରମ୍ଭ ହେବ ପୁରୁଷ ହକି ପ୍ରୋ-ଲିଗ୍‌। ଏଣୁ ବିଶ୍ୱ ହକି ସ୍ପଟଲାଇଟ୍‌କୁ ଫେରିଛି ଓଡ଼ିଶା। ସେହିଭଳି ବର୍ଷକପରେ ଇସ୍ପାତସହରକୁ ଶୀର୍ଷସ୍ତରୀୟ ଅନ୍ତର୍ଜାତୀୟ ହକି ଫେରିଥିବାରୁ ଜିଲ୍ଲାର ହକିପ୍ରେମୀଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହେବା ସ୍ବାଭାବିକ୍‌।

ପ୍ରୋ-ଲିଗ୍‌ର ଏହି ରାଉରକେଲା ପର୍ଯ୍ୟାୟରେ ଆୟୋଜକ ଭାରତ ସମେତ ଅଲିମ୍ପିକ୍ ପାୱାରହାଉସ୍ ବେଲଜିୟମ ଓ ଦୁର୍ଜୟ ଆର୍ଜେଣ୍ଟିନା ମଧ୍ୟରେ ଲଢେଇ ହେବ। ସମସ୍ତ ୬ଟି ମ୍ୟାଚ୍‌ ସନ୍ଧ୍ୟା ସାଢେ ୭ଟାରୁ ଆରମ୍ଭ ହେବ। ପ୍ରଥମ ଦିନରେ ଦୁଇ ଶକ୍ତିଶାଳୀ ବେଲଜିୟମ୍ ଓ ଆର୍ଜେଣ୍ଟିନା ମୁହାଁମୁହିଁ ହେବାକୁଥିବାବେଳେ ହର୍ମନପ୍ରୀତ ସିଂହଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ବୁଧବାର ବେଲଜିୟମ୍ ବିପକ୍ଷରେ ପଡ଼ିଆକୁ ଓହ୍ଲାଇବ। ମୁଖ୍ୟ ପ୍ରଶିକ୍ଷକ କ୍ରେଗ୍ ଫୁଲଟନ୍‌ଙ୍କ ଦ୍ବାରା ଚୟନିତ ୨୪ ଜଣିଆ ଭାରତୀୟ ଦଳ ଉଭୟ ନୂଆ ଓ ଅଭିଜ୍ଞ ଖେଳାଳିଙ୍କୁ ନେଇ ଗଠିତ, ଯାହାକି ବେଶ୍‌ ସନ୍ତୁଳିତ। ଓଡ଼ିଶା ପ୍ରଶଂସକଙ୍କ ପାଖରେ ଆନନ୍ଦର ଅତିରିକ୍ତ କାରଣ ରହିଛି।

କାରଣ, ଅଲିମ୍ପିଆନ ଅମିତ ରୋହିଦାସଙ୍କ ସମେତ ମୋଟ୍‌ ୫ ଜଣ ଓଡ଼ିଶା ଖେଳାଳି ଦଳରେ ସାମିଲ ଅଛନ୍ତି। ସେମାନେ ହେଉଛନ୍ତି ନିଲମ ସଞ୍ଜୀପ ଖେସ୍‌, ଅମନଦୀପ ଲାକ୍ରା, ଶୀଳାନନ୍ଦ ଲାକ୍ରା ଓ ରୋଶନ କୁଜୁର। ବିଶେଷଭାବେ ବରିଷ୍ଠ ଦଳରେ ରୋଶନଙ୍କ ପଦାର୍ପଣ ହକିପ୍ରେମୀଙ୍କ ଉତ୍ସାହକୁ ଦ୍ବିଗୁଣିତ କରିଛି। ଏହି ପ୍ରତିଯୋଗିତା ପାଇଁ ରାଉରକେଲା ସଜେଇ ହେଲାଣି। ବିଭିନ୍ନ କାନ୍ଥ, ପାଚେରିରେ ହକି ଥିମ୍‌ ସଂପର୍କୀତ ଚିତ୍ର ଅଙ୍କନ କରାଯାଉଛି। ସର୍ବାଧିକ ଯୋଗଦାନ ସୁନିଶ୍ଚିତ କରିବା ପାଇଁ ହକି ଇଣ୍ଡିଆ ପକ୍ଷରୁ ଭର୍ଚୁଆଲ୍ ଟିକେଟିଂ ମାଧ୍ୟମରେ ପ୍ରଶଂସକମାନଙ୍କ ପାଇଁ ମାଗଣା ପ୍ରବେଶ ଘୋଷଣା କରାଯାଇଛି।ଗୁରୁତ୍ୱପୂର୍ଣ୍ଣ ପ୍ରୋ-ଲିଗ୍‌ରେ ପଏଣ୍ଟ୍‌ ଓ ବିଶ୍ୱ ରୢାଙ୍କିଂ ବାଜିରେ ଥିବାରୁ ଆଗାମୀ ୬ ଦିନ ରାଉରକେଲାରେ ଉଚ୍ଚକୋଟୀର କ୍ରୀଡ଼ା ଦେଖିବାକୁ ମିଳିବା ନେଇ ହକିପ୍ରେମୀ ଆଶାବ୍ୟକ୍ତ କରିଛନ୍ତି।

ଯେ କୌଣସି ପ୍ରକାର ଆହ୍ବାନ ପାଇଁ ପ୍ରସ୍ତୁତ: ହର୍‌ମନ୍‌ପ୍ରୀତ ସିଂହ

ପ୍ରୋ-ଲିଗ୍‌ ପାଇଁ ଦଳର ପ୍ରସ୍ତୁତି ବିଷୟରେ ଆଜି ତିନି ଦଳରେ ଅଧିନାୟକ ମତ ରଖିଛନ୍ତି। ଏନେଇ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଭାରତୀୟ ହକି ଦଳର ଅଧିନାୟକ ହର୍ମନପ୍ରୀତ ସିଂହ କହିଲେ, ଆମ ଦଳ ବେଶ୍‌ ସନ୍ତୁଳିତ, କାରଣ ଦଳରେ ଅନେକ ନୂଆ ମୁହଁ ଥିବାବେଳେ ଏକାଧିକ ଅନୁଭବୀ ଖେଳାଳି ରହିଛନ୍ତି। ଖେଳାଳି ପର୍ଯ୍ୟାପ୍ତ ଅଭ୍ୟାସ ସୁଯୋଗ ପାଇଛନ୍ତି ଓ ସମସ୍ତେ ଫିଟ୍‌ ଅଛନ୍ତି। ସଦ୍ୟ ସମାପ୍ତ ହକି ଇଣ୍ଡିଆ ଲିଗ୍‌ରେ ସମସ୍ତଙ୍କର ପ୍ରଦର୍ଶନ ଉଚ୍ଚମାନର ଥିଲା, ଯାହାକି ପ୍ରୋଲିଗ୍‌ରେ ମଧ୍ୟ ବଳବତ୍ତର ରହିବାନେଇ ଆଶା ରହିଛି। ଏଠାରେ ୪ ମ୍ୟାଚ୍‌ ଖେଳିବାର ମାତ୍ର ସ୍ବଳ୍ପ ବ୍ୟବଧାନପରେ ପୁଣି ୪ଟି ମ୍ୟାଚ୍‌ ଖେଳିବୁ। ତେବେ ଯେ କୌଣସି ପ୍ରକାର ଆହ୍ବାନର ସମ୍ମୁଖୀନ ହେବାକୁ ଆମେ ପ୍ରସ୍ତୁତ। ଚଳିତବର୍ଷ ଆମ ପାଇଁ ବେଶ୍‌ ଗୁରୁତ୍ବପୂର୍ଣ୍ଣ। ଉନ୍ନତମାନର ପ୍ରଦର୍ଶନ ଅବ୍ୟାହତ ରଖିବାକୁ ପ୍ରୟାସ କରିବୁ।

 

ବିର୍ସା ମୁଣ୍ଡା ଷ୍ଟାଡିୟମରେ ଖେଳିବାର ଅନୁଭୂତି ଓ ଦଳରେ ୫ ଜଣ ଓଡ଼ିଆ ଖେଳାଳି ସାମିଲ ହେବାନେଇ କହିଲେ, ବିର୍ସା ମୁଣ୍ଡା ଷ୍ଟାଡିୟମ ହେଉଛି ବିଶ୍ବର ଅନ୍ୟତମ ସର୍ବଶ୍ରେଷ୍ଠ। ଏଠାକାର ଦର୍ଶକ ସବୁବେଳେ ଆମକୁ ଆକୁଣ୍ଠ ସମର୍ଥନ ଦେଇଆସିଛନ୍ତି। ନିଜ ଜନ୍ମମାଟିରେ ୫ ଜଣ ସ୍ଥାନୀୟ ଖେଳାଳି ପଡ଼ିଆକୁ ଓହ୍ଲାଇବେ, ଯାହାକି ସେମାନଙ୍କ ପାଇଁ ନିଶ୍ଚିତଭାବେ ଗର୍ବ ଓ ଗୌରବର ବିଷୟ। ନିଜ ପରିବାର, ପ୍ରିୟଜନଙ୍କ ସମ୍ମୁଖରେ ଖେଳିବା ସେମାନଙ୍କ ପାଇଁ ଏକ ଶ୍ରେଷ୍ଠ ସୁଯୋଗ ହେବ ବୋଲି କହିଥିଲେ। ସେହିଭଳି ବେଲ୍‌ଜିୟମ ଅଧିନାୟକ ଆର୍ଥର୍‌ ଭାନ୍‌ ଡୋରେନ୍‌ ଓ ମୁଖ୍ୟ ପ୍ରଶିକ୍ଷକ ସେନ୍‌ ମ୍ୟାକ୍‌ଲିଓଡ୍‌ କହିଲେ, ଆଗାମୀ ବିଶ୍ବକପ୍‌କୁ ନେଇ ଆମେ ରଣନୀତି ପ୍ରସ୍ତୁତ କରିଛୁ। ତେବେ ଏହି ପ୍ରୋ-ଲିଗ୍‌କୁ ହାଲୁକାଭାବେ ନେବୁନି। ଏଥିରେ ମଧ୍ୟ ଉଚ୍ଚକୋଟୀର ପ୍ରଦର୍ଶନ କରିବା ହେଉଛି ଆମର ଲକ୍ଷ୍ୟ। ଆର୍ଜେଣ୍ଟିନା ଅଧିନାୟକ ମାତିଆସ୍‌ ରେ ଓ ପ୍ରଶିକ୍ଷକ ଲୁକାସ୍‌ ରେ କହିଲେ, ଉଭୟ ନୂଆ ଓ ପୁରୁଣା ଖେଳାଳିଙ୍କ ସମ୍ମିଶ୍ରଣରେ ଦଳ ଗଠିତ। ପ୍ରତିଯୋଗିତାରେ ଅନେକ ନୂଆ ଖେଳାଳିଙ୍କୁ ସୁଯୋଗ ଦିଆଯିବବୋଲି କହିଥିଲେ।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button