PUCC Fine: ପ୍ରଦୂଷଣ ସାର୍ଟିଫିକେଟ୍ ଜୁଲମ୍: କେତେଦିନ ୧୦ ହଜାର ଟଙ୍କା ଜରିମାନା ଗଣିବେ ଲୋକେ ? ଘୋଷଣା କରି ବସିଗଲେ ସରକାର

କଟକ,୨୯/୦୮: ଏବେ ବି ଗାଡ଼ିର ପ୍ରଦୂଷଣ ନିୟନ୍ତ୍ରଣ ସାର୍ଟିଫିକେଟ୍ (ପିୟୁସିସି) ନଥିଲେ ୧୦ ହଜାର ଟଙ୍କା ଜରିମାନା ଗଣୁଛନ୍ତି ଲୋକେ । ପ୍ରାୟ ୯ମାସ ତଳେ ରାଜ୍ୟ ସରକାର ପିୟୁସିସି ଜରିମାନାରେ ହ୍ରାସ କରାଯିବ ବୋଲି ଘୋଷଣା କରିଥିଲେ । ହେଲେ ଆଜି ପର୍ଯ୍ୟନ୍ତ ଏଥିରେ କୌଣସି ହ୍ରାସ ଘଟିଲା ନାହିଁ । ଘୋଷଣା କରି ବସିଗଲେ ସରକାର । ହେଲେ ସାଧାରଣ ଲୋକଙ୍କୁ ଏହାର ଯନ୍ତ୍ରଣା ଭୋଗିବାକୁ ପଡ଼ୁଛି । ଏବେ ବି ପିୟୁସିସି ନଥିଲେ ପାଇଁ ଲୋକଙ୍କ ପାଖକୁ ୧୦ ହଜାର ଟଙ୍କାର ଇ-ଚାଲାଣ ନୋଟିସ୍ ଆସୁଛି । ତେଣୁ ସରକାରୀ ଘୋଷଣା ପରେ ବି ଆଉ କେତେ ଦିନ ଲୋକଙ୍କୁ ଏଭଳି ଜୁଲମର ଶିକାର ହେବାକୁ ପଡ଼ିବ ଓ ଜରିମାନା ଗଣିବାକୁ ପଡ଼ିବ ବୋଲି ସାଧାରଣରେ କ୍ଷୋଭ ପ୍ରକାଶ ପାଇଛି ।
୨୦୧୯ ମସିହାରେ କେନ୍ଦ୍ର ମୋଟର ଯାନ ଆଇନରେ ସଂଶୋଧନ କରାଯାଇ ବିଭିନ୍ନ ଟ୍ରାଫିକ୍ ନିୟମ ଉଲ୍ଲଂଘନ ପାଇଁ ଜରିମାନା ଅର୍ଥ ବହୁ ଅଧିକ ପରିମାଣ ବଢ଼ାଇ ଦିଆଗଲା । ପ୍ରଦୂଷଣ ପାଇଁ ଜରିମାନା ୧ ହଜାର ଟଙ୍କାରୁ ୧୦ ହଜାର ପର୍ଯ୍ୟନ୍ତ ଧାର୍ଯ୍ୟ କରାଗଲା । ଅବଶ୍ୟ ସର୍ବାଧିକ କେତେ ଟଙ୍କା ଜରିମାନା ଆଦାୟ କରାଯିବ ତାହା ସଂପୃକ୍ତ ରାଜ୍ୟ ସରକାର ସ୍ଥିର କରିବେ ବୋଲି ଆଇନରେ ବ୍ୟବସ୍ଥା ରହିଲା । ଦେଶର କେବଳ ଦୁଇଟି ରାଜ୍ୟ ଦିଲ୍ଲୀ ଏବଂ ଓଡ଼ିଶାରେ ପିୟୁସିସିି ଜରିମାନା ଅର୍ଥ ସର୍ବାଧିକ ୧୦ ହଜାର ଟଙ୍କା ଲାଗୁ କରାଗଲା । ଅନ୍ୟକୌଣସି ରାଜ୍ୟରେ ପ୍ରଦୂଷଣ ନିୟମ ଉଲ୍ଲଂଘନ ପାଇଁ ଏତେ ପରିମାଣର ଜରିମାନା ଆଦାୟ କରାଯାଉନାହିଁ । ଏମିତିକି ଯେତେବେଳେ ଜରିମାନା ସଂପର୍କରେ କରାଯାଇଥିଲା ସେତେବେଳେ ଓଡ଼ିଶାରେ ପ୍ରଦୂଷଣ ନିୟନ୍ତ୍ରଣ ସାର୍ଟିଫିକେଟ୍ ଦେବା ଲାଗି ଆବଶ୍ୟକ ଭିତ୍ତିଭୂମି ମଧ୍ୟ ନଥିଲା । ୨୦୨୫ରେ ବିଭିନ୍ନ ଟୋଲ୍ଗେଟ୍ରେ ଇ-ଡିଟେକ୍ସନ ଯାଞ୍ଚ୍ ବ୍ୟବସ୍ଥା ଆରମ୍ଭ ହେଲା । ପ୍ରଥମେ ଯେଉଁ ଗାଡ଼ିଗୁଡ଼ିକର ଫିଟ୍ନେସ୍, ପରମିଟ୍ ଏବଂ ଇନସ୍ୟୁରାନ୍ସ ନଥିଲା ସେହି ଗାଡ଼ି ଗୁଡ଼ିକ ଉପରେ ଇ-ଡିଟେକ୍ସନ ଜରିଆରେ ଜରିମାନା କରାଯାଉଥିଲା । ପରେ ଏଥିରେ ପ୍ରଦୂଷଣ ସାର୍ଟିଫିକେଟ୍କୁ ସାମିଲ୍ କରାଗଲା । ଇ-ଡିଟେକ୍ସନ ଜରିଆରେ ଯେତେବେଳେ ପ୍ରଦୂଷଣ ସାର୍ଟିଫିକେଟ୍ ନଥିବାରୁ ବିଭିନ୍ନ ଗାଡ଼ି ମାଲିକଙ୍କୁ ୧୦ହଜାର ଟଙ୍କାର ଜରିମାନା ନୋଟିସ୍ ଆସିଲା ସେତେବେଳେ ଏହାକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହେଲା । ପୁଣି ଜରିମାନା ଦେୟ ବାକି ଥିଲେ ପ୍ରଦୂଷଣ ସାର୍ଟିଫିକେଟ୍ ହୋଇପାରିବ ନାହିଁ ବୋଲି ଏକ ବିଜ୍ଞପ୍ତି ଜାରି କରାଯିବାରୁ ସାରା ରାଜ୍ୟରେ ଏହାର ବିରୋଧ କରାଗଲା ।
ଲୋକଙ୍କ ଏଭଳି ବିରୋଧକୁ ଦେଖି ରାଜ୍ୟ ପରିବହନ ବିଭାଗ ପକ୍ଷରୁ ତୁରନ୍ତ ଦୁଇଟି ଘୋଷଣା କରାଯାଇଥିଲା । ପ୍ରଥମେ କୌଣସି ଗାଡ଼ି ଉପରେ ଚାଲାଣ ବା ଜରିମାନା ବାକି ଥିଲେ ମଧ୍ୟ ପ୍ରଦୂଷଣ ସାର୍ଟିଫିକେଟ୍ ମିଳିପାରିବ । ଦ୍ୱିତୀୟରେ ପିୟୁସିସି ଜରିମାନା ଅର୍ଥ ୧୦ ହଜାରରୁ ୨ ହଜାରକୁ ହ୍ରାସ କରାଯିବ । ପ୍ରଦୂଷଣ ସାର୍ଟିଫିକେଟ୍ ନଥିଲେ ଦୁଇଚକିଆ ଯାନ ପାଇଁ ହଜାରେ ଟଙ୍କା । ଯଦି ଦ୍ୱିତୀୟ ଥର ପାଇଁ ଜରିମାନା କଟେ ତାହେଲେ ଏହା ୨ ହଜାର ହେବ । ସେହିପରି ଚାରିଚକିଆ ବା ତଦୁଦ୍ଧ୍ୱର୍ ଗାଡ଼ି ପାଇଁ ପ୍ରଥମ ଥର ୨ ହଜାର ଏବଂ ଦ୍ୱିତୀୟ ଥର ୫ ହଜାର ଜରିମାନା କଟାଯିବ ବୋଲି କୁହାଯାଇଥିଲା । କିନ୍ତୁ ଏହି ଘୋଷଣା କେବଳ ଘୋଷଣାରେ ରହିଯାଇଛି । ଆଜି ପର୍ଯ୍ୟନ୍ତ ଜରିମାନା ଅର୍ଥ ହ୍ରାସ ପାଇଁ କୌଣସି ପଦକ୍ଷେପ ନିଆଯାଇ ନାହିଁ । ଫଳରେ ଜନସାଧାରଣଙ୍କ ମଧ୍ୟରେ ଏହାକୁ ନେଇ ଅସନ୍ତୋଷ ବ୍ୟାପିବାରେ ଲାଗିଛି । ଏ ସଂପର୍କରେ ପରିବହନ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁଯାୟୀ, ଜରିମାନା ହ୍ରାସ ନେଇ ନିଷ୍ପତ୍ତି ନିଆଯାଇସାରିଛି । ଖୁବ୍ଶୀଘ୍ର ରାଜ୍ୟ ସରକାର ଏ ସଂକ୍ରାନ୍ତରେ ଘୋଷଣା କରିବାର ଯୋଜନା ରହିଛି ।
ସୌଜନ୍ୟ ପ୍ରମେୟ




