Purnima’s: ଚାକିରି ଛାଡ଼ି ଚାଷରେ ପୂର୍ଣ୍ଣମୀଙ୍କ ମନ
ସମାଜରେ ଅନେକ ଚାକିରିକୁ ସୁରକ୍ଷିତ ଜୀବନର ମାଧ୍ୟମ ଭାବେ ଦେଖନ୍ତି। କିନ୍ତୁ କିଛି ଲୋକ ସାହସ, ପରିଶ୍ରମ ଓ ଆତ୍ମବିଶ୍ୱାସକୁ ଆଧାର କରି ଜୀବନକୁ ନୂଆ ଦିଗ ଦେବା ସହ ଅନ୍ୟଙ୍କ ପାଇଁ....

ନୂଆପଡ଼ା: ସମାଜରେ ଅନେକ ଚାକିରିକୁ ସୁରକ୍ଷିତ ଜୀବନର ମାଧ୍ୟମ ଭାବେ ଦେଖନ୍ତି। କିନ୍ତୁ କିଛି ଲୋକ ସାହସ, ପରିଶ୍ରମ ଓ ଆତ୍ମବିଶ୍ୱାସକୁ ଆଧାର କରି ଜୀବନକୁ ନୂଆ ଦିଗ ଦେବା ସହ ଅନ୍ୟଙ୍କ ପାଇଁ ରୋଜଗାରର ସୁଯୋଗ ସୃଷ୍ଟି କରିଥାନ୍ତି। ଏମିତି ଜଣେ ପ୍ରେରଣାଦାୟୀ ମହିଳା ହେଲେ ନୂଆପଡ଼ାଜିଲ୍ଲା ସିନାପାଲି ବ୍ଲକ ଗୋର୍ଲା ପଞ୍ଚାୟତ ତୁଲସିପଡ଼ା ଗାଁର ପୂର୍ଣ୍ଣମୀ ଜଗତ। ଅଙ୍ଗନବାଡ଼ି କର୍ମୀ ଚାକିରି ଛାଡ଼ି ସଫଳ ଚାଷୀ ଭାବେ ପୂର୍ଣ୍ଣମୀ ଅନେକଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି ।
ପୂର୍ଣ୍ଣମୀ ୨୦୦୭ରେ ଅଙ୍ଗନବାଡ଼ି କର୍ମୀ ଭାବେ ଚାକିରି ପାଇଥିଲେ। ସେ ସମୟରେ ମିଳୁଥିବା ଦରମାରେ ଘର ଚାଳାଇବା ସହ ପିଲାମାନଙ୍କ ଶିକ୍ଷା ଖର୍ଚ୍ଚ ବହନ କରିବା କଷ୍ଟକର ଥିଲା। ୨୦୧୭ରେ ସେ ଚାକିରି ଛାଡ଼ି ଚାଷକୁ ମୂଳ ଜୀବିକା ଭାବେ ବାଛିନେଲେ। ଚାଷ ଆରମ୍ଭ କରି ସେ ନିଜ ଜମିକୁ ପ୍ରତିଦିନ ସକାଳୁ ସ୍କୁଟିରେ ଯାଇ ଦିନସାରା କାମ କରନ୍ତି। ଆଜି ସେ ପ୍ରାୟ ୨୦ ଏକର ଜମିରେ ଧାନ, ମକା, ହରଡ଼, ସୂର୍ଯ୍ୟମୁଖୀ, ମୁଗ, ସୋରିଷ, ସଜନା, ଚିନାବାଦାମ, ତରଭୁଜ ଓ ବିଭିନ୍ନ ପରିବା ଉତ୍ପାଦନ କରୁଛନ୍ତି। ତାଙ୍କର ମୁଖ୍ୟ ଫସଲ ହେଉଛି ଧାନ। ସେଥିରୁ ସେ ଭଲ ରୋଜଗାର କରୁଥିବା କହନ୍ତି। ଆରମ୍ଭରେ ପାଣି ଅଭାବ ତାଙ୍କ ପାଇଁ ବଡ଼ ସମସ୍ୟା ଥିଲା। ଉଠା ଜଳସେଚନ ବିଭାଗର ସହଯୋଗରେ ବୋର୍ୱେଲ୍ ବ୍ୟବସ୍ଥା ହେବା ପରେ ଚାଷରେ ବଡ଼ ପରିବର୍ତ୍ତନ ଆସିଲା। ଏବେ ପାଣି ସୁବିଧା ମିଳିବା ସହ ତାଙ୍କ ଜମିରେ ବହୁଳ ପରିମାଣରେ ଫସଲ ଉତ୍ପାଦନ ହେଉଛି।
ଚାରିପାଖ ସବୁଜିମାରେ ଭରିଯାଇଛି। ପୂର୍ଣ୍ଣମୀଙ୍କ ସ୍ୱାମୀ ଓ ପରିବାର ସଦସ୍ୟଙ୍କ ସହଯୋଗ ତାଙ୍କୁ ଆଗକୁ ବଢ଼ିବାରେ ବଳ ଦେଇଛି। ଏହା ସହିତ ସେ ଅଞ୍ଚଳରେ ରୋଜଗାର ସୃଷ୍ଟି କରିଛନ୍ତି। ପୂର୍ବରୁ ଦାଦନ ଶ୍ରମିକ ଭାବେ ବାହାର ରାଜ୍ୟକୁ ଯାଉଥିବା ପ୍ରାୟ ୧୦ଟି ପରିବାର ଗାଁରେ ରହି ପୂର୍ଣ୍ଣମୀଙ୍କ ଚାଷ ଜମିରେ କାମ କରି ସୁଖରେ ଅଛନ୍ତି। ତେବେ ବିଦ୍ୟୁତ୍ ସରବରାହ ନିୟମିତ ବିଭ୍ରାଟ କାରଣରୁ ପାଣି ଉଠାଇବାରେ ଅସୁବିଧା ହେଉଥିବା ପୂର୍ଣ୍ଣମୀ କହନ୍ତି। ତେଣୁ ସୋଲାର ଶକ୍ତି ଆଧାରିତ ବ୍ୟବସ୍ଥା କରିବାକୁ ସରକାରଙ୍କୁ ଅନୁରୋଧ କରିଛନ୍ତି। ତାଙ୍କ ସଫଳତା ଓ ରୋଜଗାର ଦେଖି ଅଞ୍ଚଳର ଅନେକ ମହିଳା ଓ ଯୁବଗୋଷ୍ଠୀ ଚାଷ ପ୍ରତି ଆଗ୍ରହୀ ହେଲେଣି। ପୂର୍ଣ୍ଣମୀଙ୍କ ଭଳି ପରିଶ୍ରମୀ ଚାଷୀଙ୍କୁ ସରକାର ଯଦି ଅଧିକ ପ୍ରୋତ୍ସାହନ ଓ ସହଯୋଗ ଦେବେ ତା’ହେଲେ ଗ୍ରାମୀଣ ଅର୍ଥନୀତି ଆହୁରି ଶକ୍ତିଶାଳୀ ହେବ। ପୂର୍ଣ୍ଣମୀଙ୍କ ଏହି ଯାତ୍ରା ଆତ୍ମନିର୍ଭର ଭାରତର ଏକ ଜୀବନ୍ତ ଉଦାହରଣ।
ସୌଜନ୍ୟ ସମ୍ବାଦ




