Rahul-Priyanka: ରାହୁଲ-ପ୍ରିୟଙ୍କାଙ୍କ ମଧ୍ୟରେ ଫାଟ: ବିଜେପି

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ରବନୀତ ସିଂହ ବିଟ୍ଟୁ ଦାବି କରିଛନ୍ତି ଯେ  ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏବଂ ତାଙ୍କ ଭଉଣୀ ତଥା କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଛି।  ବିଟ୍ଟୁ ପୂର୍ବରୁ କଂଗ୍ରେସରେ ଥିବାବେଳେ ଗତବର୍ଷ ଲୋକସଭା ନିର୍ବାଚନ ପୂର୍ବରୁ ସେ ବିଜେପିରେ ଯୋଗ ଦେଇଥିଲେ। ସେ ଦାବି କରିଛନ୍ତି ଯେ  ରାହୁଲ ସଂସଦର ଶୀତ ଅଧିବେଶନ ସମୟରେ ଜର୍ମାନୀ ଗସ୍ତ କରିଛନ୍ତି। ଏହାର କାରଣ ହେଉଛି ଗୃହରେ ତାଙ୍କ ଭାଷଣ ସହ ପ୍ରିୟଙ୍କାଙ୍କ ଭାଷଣର ତୁଳନା କରାଯିବାରୁ ସେ ଅସନ୍ତୁଷ୍ଟ ଅଛନ୍ତି।

ବିଟ୍ଟୁ କହିଛନ୍ତି, ୨ ଗାନ୍ଧୀ ଏବେ ଲଢ଼େଇ କରୁଛନ୍ତି। ମୁଁ ଜାଣିବାକୁ ପାଇଲି ଯେ ‌ଲୋକେ ଗୃହରେ ରାହୁଲ ଏବଂ ପ୍ରିୟଙ୍କା ଗାନ୍ଧୀଙ୍କ ଭାଷଣ ମଧ୍ୟରେ ତୁଳନା କରୁଥିବାରୁ ଏଥିରେ ରାହୁଲ କ୍ଷୁବ୍ଧ ଅଛନ୍ତି। ତେଣୁ ସେ ପରିବାର ଏବଂ ଦଳ  ସହ ଲଢ଼େଇ କରି ଜର୍ମାନୀ ଚାଲି ଯାଇଛନ୍ତି।  ତେବେ ରବନୀତ ସିଂହ ବିଟ୍ଟୁଙ୍କର ଏହି ଦାବି ଉପରେ  କଂଗ୍ରେସ ପକ୍ଷରୁ କୌଣସି ବୟାନ ଜାରି ହୋଇନାହିଁ। ଉଲ୍ଲେଖଯୋଗ୍ୟ,  ଇଣ୍ଡିଆନ ଓଭରସିଜ୍‌ କଂଗ୍ରେସର ଏକ କାର୍ଯ୍ୟକ୍ରମରେ ଯୋଗ ଦେବାପାଇଁ ରାହୁଲ ଏବେ ବର୍ଲିନରେ ଅଛନ୍ତି। ଡିସେମ୍ବର ୧୫ରୁ ରାହୁଲ ବର୍ଲିନ ଯାଇଥିବାବେଳେ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ସେଠାରେ ରହିବେ।

ସୌଜନ୍ୟ ସମ୍ବାଦ