Rajastan: ଯୋଧପୁରରେ ପ୍ରସବ ଜଟିଳତା ଯୋଗୁଁ ଆଉ ଜଣେ ମହିଳାଙ୍କ ମୃତ୍ୟୁ
ରାଜସ୍ଥାନରେ ପ୍ରସବକାଳୀନ ମାତୃ ମୃତ୍ୟୁ ଘଟଣାରେ ଆଉ ଏକ ମାମଲା ଯୋଡ଼ି ହୋଇଯାଇଛି। ରବିବାର ଯୋଧପୁରରେ ମହାତ୍ମା ଗାନ୍ଧୀ ହସ୍ପିଟାଲରେ ପ୍ରସବ ପରବର୍ତ୍ତୀ ଜଟିଳତା ଯୋଗୁଁ ଆଉ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ମହିଳାଙ୍କ ନାମ ସମୁ ବୋଲି ଜଣାପଡ଼ିଛି।

ଜୟପୁର: ରାଜସ୍ଥାନରେ ପ୍ରସବକାଳୀନ ମାତୃ ମୃତ୍ୟୁ ଘଟଣାରେ ଆଉ ଏକ ମାମଲା ଯୋଡ଼ି ହୋଇଯାଇଛି। ରବିବାର ଯୋଧପୁରରେ ମହାତ୍ମା ଗାନ୍ଧୀ ହସ୍ପିଟାଲରେ ପ୍ରସବ ପରବର୍ତ୍ତୀ ଜଟିଳତା ଯୋଗୁଁ ଆଉ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ମହିଳାଙ୍କ ନାମ ସମୁ ବୋଲି ଜଣାପଡ଼ିଛି। ଜୁନ୍ ୨୪ ତାରିଖରେ ଯୋଧପୁର ନିକଟସ୍ଥ ତିନୱାରି ହସ୍ପିଟାଲରେ ତାଙ୍କର ସାଧାରଣ ପ୍ରସବ ହୋଇଥିଲା ଓ ପ୍ରସବ ପରେ ତାଙ୍କର ପ୍ରବଳ ରକ୍ତସ୍ରାବ ହୋଇଥିଲା। ପରେ ତାଙ୍କୁ ଯୋଧପୁରର ଉମୈଦ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ରକ୍ତସ୍ରାବ ବନ୍ଦ ନହେବା ଯୋଗୁ ଡାକ୍ତରଙ୍କୁ ମହିଳାଙ୍କ ଗର୍ଭାଶୟ ବାହାର କରିବାକୁ ପଡ଼ିଥିଲା।
ସ୍ବାସ୍ଥ୍ୟାବସ୍ଥା ଅଧିକ ଖରାପ ହେବା ଯୋଗୁ ପରେ ମହାତ୍ମା ଗାନ୍ଧୀ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ମହିଳାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା ଓ ଡାଏଲିସିସ୍ କରାଯାଇଥିଲା। ଜୁଲାଇ ୧୪ ତାରିଖରେ ସମୁଙ୍କ ସ୍ବାସ୍ଥ୍ୟ ଅଧିକ ଖରାପ ହୋଇଯାଇଥିଲା ଓ ପାଞ୍ଚ ଦିନ ପରେ ତାଙ୍କର ମୃତ୍ୟୁ ହୋଇଥିଲା। ମହାତ୍ମା ଗାନ୍ଧୀ ହସ୍ପିଟାଲର ଅଧୀକ୍ଷକ ଡାକ୍ତର ଫତେହ ସିଂହ କହିଛନ୍ତି ଯେ, ପ୍ରସବ ପରେ ଅତ୍ୟଧିକ ରକ୍ତସ୍ରାବ ହେତୁ ମହିଳା ଜଣକ ହାଇପୋଭୋଲେମିକ୍ ସକ୍ ଅନୁଭବ କରିଥିଲେ, ଯାହା ତାଙ୍କ ଗୁରୁତ୍ୱପୂର୍ଣ୍ଣ ଅଙ୍ଗଗୁଡ଼ିକରେ ରକ୍ତ ସଞ୍ଚାଳନକୁ ଗୁରୁତର ଭାବରେ ପ୍ରଭାବିତ କରିଥିଲା। ଗତ ତିନି ମାସରେ ରାଜସ୍ଥାନରେ ରେକର୍ଡ ହୋଇଥିବା ୧୯ ଟି ମାତୃ ମୃତ୍ୟୁ ମଧ୍ୟରୁ କୋଟାରୁ ୫ ଜଣ, ବିକାନେରରୁ ତିନି ଜଣ, ଯୋଧପୁରରୁ ଦୁଇ ଜଣ ଓ ଭିଲୱାଡ଼ା ଏବଂ ବାଂସୱାଡ଼ାରୁ ୯ ଜଣ ମାତୃ ମୃତ୍ୟୁ ରିପୋର୍ଟ କରାଯାଇଛି।
ସୌଜନ୍ୟ ସମ୍ବାଦ




