ଓଡିଶା

Rajiv Bhavan will be demolished: ଭଙ୍ଗା ହେବ ନ’ତାଲା, ରାଜୀବ ଭବନ: ନୂଆ ଲୋକସେବା ଭବନ କାମ ଖୁବ୍‌ ଶୀଘ୍ର

ରାଜ୍ୟ ସରକାର ନୂଆ ଲୋକସେବା ଭବନ, ନୂଆ ବିଧାନସଭା, ବିପର୍ଯ୍ୟୟ ପରିଚାଳନା ଭବନ ଏବଂ ଅନ୍ୟାନ୍ୟ ଅଫିସ୍‌ ପାଇଁ ତିନିଟି ୧୨ମହଲା ବିଶିଷ୍ଟ କୋଠା (୩ବି+ଜି+୧୧) ଏବଂ ନୂଆ ବିଧାନସଭା ପାଇଁ (ବି+ଜି+୧) କୋଠା ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ଭୁବନେଶ୍ବର: ରାଜ୍ୟ ସରକାର ନୂଆ ଲୋକସେବା ଭବନ, ନୂଆ ବିଧାନସଭା, ବିପର୍ଯ୍ୟୟ ପରିଚାଳନା ଭବନ ଏବଂ ଅନ୍ୟାନ୍ୟ ଅଫିସ୍‌ ପାଇଁ ତିନିଟି ୧୨ମହଲା ବିଶିଷ୍ଟ କୋଠା (୩ବି+ଜି+୧୧) ଏବଂ ନୂଆ ବିଧାନସଭା ପାଇଁ (ବି+ଜି+୧)  କୋଠା ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହାକୁ ପାୱାର ହାଉସ୍ ଛକରୁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ଏବଂ ରାଜୀବ ଭବନ ମଧ୍ୟରେ ନିର୍ମାଣ କରାଯିବ। ଏହି ସବୁ ନିର୍ମାଣ ପାଇଁ ନ’ତାଲା, ରାଜୀବ ଭବନ, ସେଚ ସଦନ ଆଦି ଭଙ୍ଗା‌ଯିବ ବୋଲି ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି। ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍ତି ଯେ ରାଜ୍ୟ ସରକାର ପୂର୍ବରୁ ଉପରୋକ୍ତ ତିନିଟି କୋଠାକୁ ବିପଦସଙ୍କୁଳ ବୋଲି ଘୋଷଣା କରିଛନ୍ତି। ଏବେ ପର୍ଯ୍ୟାୟକ୍ରମେ ଏହାକୁ ଭାଙ୍ଗି ନୂଆ କୋଠା ନିର୍ମାଣ ହେବ।

ସେହିପରି ନୂଆ ବିଧାନସଭା କୋଠା ବର୍ତ୍ତମାନର ଲୋକସେବା ଭବନ ଓ ବିଧାନସଭା ମଧ୍ୟରେ ଥିବା ଖାଲି ସ୍ଥାନରେ ନିର୍ମାଣ ହେବ। ଏଠାରେ ୩୦୦ ବିଧାୟକ ବସିବା ଭଳି ବ୍ୟବସ୍ଥା ରହିବ। ବର୍ତ୍ତମାନର ବିଧାନସଭା କୋଠାକୁ ରାଜ୍ୟ ସରକାର ଭାଙ୍ଗିବେନି। ନୂଆ ବିଧାନସଭା କୋଠା ନିର୍ମାଣ ହେବା ପରେ ଏହାକୁ ଏକ ମ୍ୟୁଜିୟମ୍‌ରେ ପରିଣତ କରାଯିବ।  ଭବିଷ୍ୟତରେ ରାଜ୍ୟରେ ବିଧାନ ପରିଷଦ ଗଠନ ହେଲେ ଏହାକୁ ସେହି ଉଦ୍ଦେଶ୍ୟରେ ବ୍ୟବହାର କରାଯିବ। ଅପରପକ୍ଷେ ପୂର୍ତ୍ତ ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ, ଏବେ କେଉଁ କୋଠା କେତେ ଅଂଶ ଭଙ୍ଗାଯିବ ତା’ର ତାଲିକା ପ୍ରସ୍ତୁତ ହେଉଛି। ଏହି ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ଶିଳାନ୍ୟାସ କରିଥିଲେ ହେଁ ଏହାକୁ ପ୍ରଶାସନିକ ଅନୁମୋଦନ ମିଳିନି। ଏବେ କେବଳ ଡିଜାଇନ୍ ପ୍ରସ୍ତୁତ ହୋଇ ଖର୍ଚ୍ଚ ଅଟକଳ ହୋଇଛି। ଟେଣ୍ଡର୍‌ ପ୍ରକ୍ରିୟା ସରିଲେ ବିଭିନ୍ନ ଅଫିସ୍‌ ଭଙ୍ଗା ହେବ। ଖାରବେଳ ଭବନ ନିକଟରେ ଏଡିଏମ୍ ଅଫିସ୍‌, ସେଚ ସଦନ, ଓପେପା ଭବନ ଏବଂ ଅନ୍ୟାନ୍ୟ କାର୍ଯ୍ୟାଳୟକୁ ଭାଙ୍ଗି ନୂତନ ଲୋକସେବା ଭବନ ନିର୍ମାଣ ହେବ। ଏହି କାମ ପ୍ରଥମ ପର୍ଯ୍ୟା‌ୟରେ ହେବ।

ନୂଆ ଲୋକସେବା ଭବନ କାମ ଖୁବ୍‌ ଶୀଘ୍ର 
ଏବେକାର ବିଧାନସଭା କୋଠା ବିଧାନ ପରିଷଦ ପାଇଁ ରହିବ

ରାଜୀବ ଭବନ ନିକଟରେ ବିପର୍ଯ୍ୟୟ ପରିଚାଳନା ଭବନ ନିର୍ମାଣ ହେବ। ଏଥିପାଇଁ କେନ୍ଦ୍ର ସରକାର ଅର୍ଥ ମଞ୍ଜୁର କରିଛନ୍ତି। ଏହି କୋଠା ପାଇଁ ରାଜୀବ ଭବନର କେତେ ଅଂଶ ଭଙ୍ଗାଯିବ କି ସମ୍ପୂର୍ଣ୍ଣ ଭଙ୍ଗାଯିବ ତାହା ସ୍ଥିର ହୋଇନି। ଏହି କୋଠାଟି ୩୦ବର୍ଷ ପୁରୁଣା ହୋଇଥିବାରୁ ଏହାକୁ ସମ୍ପୂର୍ଣ୍ଣ ନଭାଙ୍ଗି ଏହା ନିକଟରେ ଥିବା ଅନ୍ୟାନ୍ୟ କୋଠାକୁ ଭାଙ୍ଗିବାକୁ ଆଲୋଚନା ଚାଲିଛି। ସେହିପରି ନ’ତାଲା ବହୁତ ପୁରୁଣା ହୋଇଥିବାରୁ ଏହାକୁ ଭଙ୍ଗାଯିବ। କିନ୍ତୁ ଏଥିପାଇଁ ବର୍ତ୍ତମାନର ଟାଉନ୍ ପ୍ଲାନିଂ କାର୍ଯ୍ୟାଳୟ ଏବଂ ନିର୍ମାଣ ସୌଧ ନିକଟରେ ଥିବା ପୂର୍ତ୍ତ ବିଭାଗର ବିିଭିନ୍ନ ଅଫିସ୍‌ ଆଦି ଭଙ୍ଗାଯିବ। ଏହି ନୂତନ କୋଠା ନିର୍ମାଣ ହେବା ପରେ ନ’ତାଲା ଭଙ୍ଗାଯିବ। ଏହି ପ୍ରକଳ୍ପ ହେଲେ ପାୱାର୍‌ ହାଉସ୍ ଛକରୁ ଲୋକସେବା ଭବନ ପଛ ପାର୍ଶ୍ବ ରାସ୍ତାକୁ ବନ୍ଦ କରିଦିଆଯିବ। ଏହା ମଧ୍ୟରେ ଯେତେ ଛୋଟ କୋଠା ଅଛି ସବୁ ଭଙ୍ଗାଯାଇ ନୂଆ କୋଠାକୁ ସ୍ଥାନାନ୍ତର କରାଯିବ। ସେହିପରି ଲୋକସେବା ଭବନ ପଛ ପାର୍ଶ୍ବରେ ଥିବା ପେଟ୍ରୋଲ୍‌ ପମ୍ପ୍‌କୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ମଧ୍ୟ ଆଲୋଚନା ଚାଲିଛି। ଏହାସହ ଲୋକସେବା ଭବନରୁ କେଉଁ ଅଫିସ ‌ସ୍ଥାନାନ୍ତର ହେବ ସେନେଇ ବିଭିନ୍ନ ବିଭାଗକୁ ତାଲିକା ମଗାଯାଇଛି।

ସୌଜନ୍ୟ ସମ୍ବାଦ

Leave a Reply

Your email address will not be published. Required fields are marked *

Back to top button