ମହାନଗର

Rajya Sabha elections: ବିଜେଡିର କାରଣ ଦର୍ଶାଅ‌ ନୋଟିସ୍‌: ଉତ୍ତର ରଖିଲେ ବିଧାୟକ

ଗତ ୧୬ ତାରିଖ ଦିନ ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଂ ନେଇ ବିଜେଡିର କାରଣ ଦର୍ଶାଅ‌ ନୋଟିସ୍‌ ପ୍ରସଙ୍ଗରେ ଦଳୀୟ ବିଧାୟକମାନେ ଉତ୍ତର ରଖିଛନ୍ତି। ବିଜେଡିର ବାଙ୍କୀ ବିଧାୟକ ଦେବୀ ରଂଜନ ତ୍ରିପାଠୀ କହିଛନ୍ତି, ରାଜ୍ୟସଭା ନିର୍ବାଚନରେ...

ଭୁବନେଶ୍ବର: ଗତ ୧୬ ତାରିଖ ଦିନ ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଂ ନେଇ ବିଜେଡିର କାରଣ ଦର୍ଶାଅ‌ ନୋଟିସ୍‌ପ୍ରସଙ୍ଗରେ ଦଳୀୟ ବିଧାୟକମାନେ ଉତ୍ତର ରଖିଛନ୍ତି। ବିଜେଡିର ବାଙ୍କୀବିଧାୟକ ଦେବୀ ରଂଜନ ତ୍ରିପାଠୀ କହିଛନ୍ତି, ରାଜ୍ୟସଭା ନିର୍ବାଚନରେ ଦଳୀୟ ହୁଇପ୍‌ କାମ କରେ ନାହିଁ। ତେଣୁ ଏହି କ୍ଷେତ୍ରରେ ବିଜେଡି ହୁଇପ୍‌ ଜାରି କରିବା ବେଆଇନ ଅଟେ। ସେ କାରଣ ଦର୍ଶାଅ ନୋଟିସ୍‌ ପ୍ରତ୍ୟାହାର ପାଇଁ କହିଛନ୍ତି। ଏଥି ସହିତ ସେ କହିଛନ୍ତି ଯେ, କାରଣ ଦର୍ଶାଅ ନୋଟିସ୍‌ ପ୍ରତ୍ୟାହାର କରନ୍ତୁ ନଚେତ କୋର୍ଟ‌ର ସାମ୍ନା କରିବାକୁ ପ୍ରସ୍ତୁତ ହୁଅନ୍ତୁ।

ସୂଚନାଯୋଗ୍ୟ, ରାଜ୍ୟସଭା ନିର୍ବାଚନରେ ବିଜେଡିର ୬ଜଣ ବିଧାୟକ କ୍ରସ୍ ଭୋଟିଂ କରିଥିଲେ। ଦଳର ହ୍ବିପ୍ ନ ମାନି ବିଜେପି ସମର୍ଥିତ ପ୍ରାର୍ଥୀଙ୍କୁ ଭୋଟ ଦେଇଥିଲେ। ଏହାକୁ ନେଇ ଦଳ ଭିତରେ ଝଡ଼ ସୃଷ୍ଟି ହୋଇଛି। ବିଜେଡି ଗତ ୧୭ ତାରିଖ ଦିନ କାରଣ ଦର୍ଶାଅ ନୋଟିସ୍ ଜାରି କରି ଉତ୍ତର ରଖିବାକୁ ତିନି ଦିନ ସମୟ ଦେଇଥିଲା।

ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଏହି କାରଣ ଦର୍ଶାଅ ନୋଟିସ୍ ଜାରି କରିଥିଲେ। ଏଥିରେ ସେ ଦର୍ଶାଇଛନ୍ତି, ଆପଣ ବିଜେଡି ଟିକେଟରେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। କିନ୍ତୁ ରାଜ୍ୟସଭା ନିର୍ବାଚନ ବେଳେ ଆପଣ ଦଳର ଶୃଙ୍ଖଳା ଭାଙ୍ଗିଛନ୍ତି ଓ ଦଳର ବିଶ୍ବାସକୁ ଧୋକ୍କା ଦେଇଛନ୍ତି। ବିଜେଡି ବିଧାୟକ ଦଳ ବୈଠକରେ ନିଆଯାଇଥିବା ନିଷ୍ପତ୍ତିକୁ ଅମାନ୍ୟ କରି ବିଜେଡି ସମର୍ଥନ କରୁ ନଥିବା ଜଣେ ପ୍ରାର୍ଥୀଙ୍କୁ ଭୋଟ ଦେଇଛନ୍ତି। ଆପଣଙ୍କ କାର୍ଯ୍ୟଧାରାରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ଆପଣ ବିଜେଡିର ସଦସ୍ୟତାକୁ ସ୍ବେଚ୍ଛାକୃତ ଭାବେ ଛାଡ଼ୁଛନ୍ତି। ତେଣୁ ତିନି ଦିନ ଭିତରେ ୨୦ ତାରିଖ ସନ୍ଧ୍ୟା ୫ଟା ସୁଦ୍ଧା ଦୁଇଟି ବିନ୍ଦୁରେ ଆପଣ ନିଜର ମତ ରଖିବେ। ଆପଣଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଅର୍ଥାତ୍‌ ଦଳରୁ ନିଲମ୍ବନ କାହିଁକି କରାଯିବନି? ଆପଣ ବିଜେଡିର ସଦସ୍ୟତାକୁ ସ୍ବେଚ୍ଛାକୃତ ଭାବେ ଛାଡ଼ିବା ପରି କାର୍ଯ୍ୟ କରିଥିବାରୁ ଆପଣଙ୍କ ବିରୋଧରେ କାହିଁକି ଆଇନଗତ ଓ ସାମ୍ବିଧାନିକ ପଦକ୍ଷେପ ନିଆଯିବ ନାହିଁ? ଯଦି ସମୟସୀମା ଭିତରେ ନୋଟିସ୍‌ର  ଉତ୍ତର ନ ମିଳେ, ତେବେ ଦଳ ପରବର୍ତ୍ତୀ ପଦକ୍ଷେପ ନେବ। ୬ ବିଧାୟକଙ୍କ ବିରୋଧରେ କିପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ, ତାହାକୁ ନେଇ ସେଦିନ ନବୀନ ନିବାସରେ ଚର୍ଚ୍ଚା ହୋଇଥିଲା। ତୁରନ୍ତ ନିଲମ୍ବନ କିମ୍ବା ବହିଷ୍କାର ପାଇଁ କିଛି ନେତା ମତ ଦେଇଥିଲେ। କିନ୍ତୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନ ନେଇ ବିଭିନ୍ନ ଦିଗରୁ ତର୍ଜମା କରିବାକୁ ଆଉ କିଛି ନେତା ପ୍ରସ୍ତାବ ଦେଇଥିଲେ। କିଛି ବରିଷ୍ଠ ଆଇନଜୀବୀଙ୍କ ସହ ପରାମର୍ଶ କରାଯାଇଥିଲା। ଦଳର ସମ୍ବିଧାନକୁ ମଧ୍ୟ ସମୀକ୍ଷା କରାଯାଇଥିଲା। ଶେଷରେ ୬ ବିଧାୟକଙ୍କ ସଦସ୍ୟତା ରଦ୍ଦ କରିବାକୁ ଦଳ କୋର୍ଟକୁ ଯିବ ବୋଲି ନିଷ୍ପତ୍ତି ହୋଇଥିଲା। ସେଥି ପାଇଁ ଆବଶ୍ୟକ ଆଇନଗତ ପ୍ରକ୍ରିୟା ସ୍ବରୂପ ପ୍ରଥମେ କାରଣ ଦର୍ଶାଅ ନୋଟିସ୍ ଜାରି କରିବାକୁ ନିଷ୍ପତ୍ତି ହୋଇଥିଲା।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button