ଓଡିଶାମହାନଗର

Rajyasabha Election: ବିଜେଡିକୁ ଘାରିଲା କ୍ରସ ଭୋଟିଂର ଭୟ, ନିଜ ବିଧାୟକଙ୍କ ପାଇଁ ଜାରି କଲା ହୁଇପ୍

ରାଜ୍ୟସଭା ନିର୍ବାଚନ ଯେତିକି ଯେତିକି ପାଖେଇ ଆସୁଛି, ଓଡ଼ିଶା ରାଜନୀତି ଆହୁରି ରୋଚକ ହୋଇ ଚାଲିଛି। ଚତୁର୍ଥ ସିଟ୍ ପାଇଁ ଚାଲିଥିବା ରାଜନୀତିର ଗୋଟି ଚାଳନା ବୋଧହୁଏ ଓଡ଼ିଶା ରାଜନୀତିରେ ବିଗତ ଦୁଇ ଦଶନ୍ଧିରେ ଦେଖିବାକୁ ମିଳି ନ ଥିଲା। ଚତୁର୍ଥ ଆସନ ପାଇଁ ଶାସକ ବିଜେପି ଓ ଦୁଇ ବିରୋଧୀ ବିଜେଡି-କଂଗ୍ରେସ ମଧ୍ୟରେ ସିଧାସଳକ ଲଢେଇ ଚାଲିଛି।

ଭୁବନେଶ୍ଵର: (Rajyasabha Election) ରାଜ୍ୟସଭା ନିର୍ବାଚନ ଯେତିକି ଯେତିକି ପାଖେଇ ଆସୁଛି, ଓଡ଼ିଶା ରାଜନୀତି ଆହୁରି ରୋଚକ ହୋଇ ଚାଲିଛି। ଚତୁର୍ଥ ସିଟ୍ ପାଇଁ ଚାଲିଥିବା ରାଜନୀତିର ଗୋଟି ଚାଳନା ବୋଧହୁଏ ଓଡ଼ିଶା ରାଜନୀତିରେ ବିଗତ ଦୁଇ ଦଶନ୍ଧିରେ ଦେଖିବାକୁ ମିଳି ନ ଥିଲା। ଚତୁର୍ଥ ଆସନ ପାଇଁ ଶାସକ ବିଜେପି ଓ ଦୁଇ ବିରୋଧୀ ବିଜେଡି-କଂଗ୍ରେସ ମଧ୍ୟରେ ସିଧାସଳକ ଲଢେଇ ଚାଲିଛି। ଆଉ ଘୋଡ଼ା ବେପାର ହେବା ନେଇ ଜୋରଦାର ଚର୍ଚ୍ଚା ଚାଲିଛି। ବିଜେଡିକୁ କ୍ରସ ଭୋଟିଂର ଭୟ ମଧ୍ୟ ଘାରିଛି। ଏମିତି ସ୍ଥିତିରେ ନିଜ ବିଧାୟକଙ୍କ ପାଇଁ ହୁଇପ୍ ଜାରି କରିଛି ବିଜେଡି। ଭୁବନେଶ୍ଵର ନ ଛାଡ଼ିବାକୁ ଦଳ ସୁପ୍ରିମ ନିଜ ବିଧାୟକଙ୍କୁ ସଫା ସଫା ଜଣାଇ ଦେଇଛନ୍ତି।

ସଂଖ୍ୟା ଗଣିତରେ ଆଗରେ, ତଥାପି ଘାରିଛି କ୍ରସ ଭୋଟିଂ

ସଂସଦର ଉଚ୍ଚସଦନର ଚତୁର୍ଥ ଆସନ ପାଇଁ ବିଜେଡି ଓ କଂଗ୍ରେସ ମିଳିତ ସମର୍ଥନରେ ଡ. ଦତ୍ତେଶ୍ଵର ହୋତାଙ୍କୁ ପ୍ରାର୍ଥୀ କରିଛି। ଆଉ ଏହି ଆସନ କରାୟତ କରିବା ପାଇଁ ରାଜନୈତିକ ଗୋଟି ଚାଳନା କରି ପୂର୍ବତନ ବିଧାୟକ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲୀପ ରାୟଙ୍କୁ ସ୍ଵାଧୀନ ପ୍ରାର୍ଥୀ ଭାବେ ମଇଦାନକୁ ଓହ୍ଲାଇଛି ବିଜେପି। ବିଜେପି ପାର୍ଟିର ହୋଇ ଦିଲୀପ ରାୟ ନିଜକୁ ସ୍ଵାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଏହା ପରେ କ୍ରସ ଭୋଟିଂର ସମ୍ଭାବନା ଅଧିକ ବଢିଛି। କାରଣ ଚତୁର୍ଥ ଆସନ ପାଇଁ ସଂଖ୍ୟାଗଣିତରେ ବିଜେଡି ଓ କଂଗ୍ରେସ ମିଳିତ ଭାବେ ଆଗରେ ଅଛନ୍ତି। ତେଣୁ ଦିଲୀପ ରାୟ କ୍ରସ ଭୋଟିଂ ଜରିଆରେ ଭୋଟ୍ ହାତେଇବାର ମଧ୍ୟ ଆଶଙ୍କାକୁ ଏଡ଼ାଇ ଦିଆଯାଇ ନ ପାରେ।

 

ଭୁବନେଶ୍ଵର ନ ଛାଡ଼ିବାକୁ ନିର୍ଦ୍ଦେଶ

ସ୍ଥିତିକୁ ଦୃଷ୍ଟିରେ ରଖି ବିଜେଡି ହୁଇପ୍ ଜାରି କରିଛି। ଦଳ କହିଛି ଯେ, ମାର୍ଚ୍ଚ ୧୬ ତାରିଖରେ ରାଜ୍ୟସଭା ନିର୍ବାଚନ ଅନୁଷ୍ଠିତ ହେବ। ସକାଳ ୯ଟାରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ବିଧାନସଭା ପରିସରରେ ମତଦାନ ହେବ। ତେଣୁ ସମସ୍ତ ବିଧାୟକଙ୍କୁ ନିର୍ଦ୍ଦେଶ ଦିଆଯାଉଛି ଯେ, କେହି ଭୁବନେଶ୍ଵର ଛାଡ଼ି ଯାଇ ପାରିବେ ନାହିଁ। ମାର୍ଚ୍ଚ ୧୬ ଯାଏଁ ଭୁବନେଶ୍ଵର ନ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏ ନେଇ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ସୂଚନା ଦେଇଛନ୍ତି।

ମହାପ୍ରସାଦ ଛୁଆଇଁ ଶପଥ

ସୂଚନାଯୋଗ୍ୟ, କିଛି ବିଧାୟକ କ୍ରସ୍ ଭୋଟିଂ କରିବା ନେଇ ବିଜେଡି ଭିତରେ ଆଲୋଚନା ଆରମ୍ଭ ହେଲାଣି। ଏସବୁ ବିଧାୟକଙ୍କ ଉପରେ ଦଳ ଏବେ କଡ଼ା ନଜର ରଖିଛି। ସେଥିପାଇଁ ଆଜି ବିଧାନସଭା ଯାଇ ବିଜେଡି ବିଧାୟକ ମାନଙ୍କ ସହ ଆଲୋଚନା କରିଥିଲେ ସନ୍ତୃପ୍ତ ମିଶ୍ର ଓ ଦତ୍ତେଶ୍ବର ହୋତା । ସେପଟେ ନବୀନ ନିବାସରେ ବିଧାୟକମାନଙ୍କୁ ପାଳି କରି ଡକାଯାଉଛି ଏବଂ ସେମାନଙ୍କୁ ମହାପ୍ରସାଦ ଛୁଆଇଁ ଦଳ ସମର୍ଥିତ ପ୍ରାର୍ଥୀଙ୍କୁ ଭୋଟ୍ ଦେବାକୁ ଶପଥ କରାଯାଉଛି। ଯେଉଁ ବିଧାୟକଙ୍କ ଉପରେ ସନ୍ଦେହ ରହିଛି, ସେମାନଙ୍କ ପାଇଁ ରିସୋର୍ଟ ଓ ହୋଟେଲ ପ୍ରସ୍ତୁତ ରଖାଯାଇଛି ବୋଲି ଚର୍ଚ୍ଚା ହେଉଛି । ସେପଟେ ବିଜେପିର ଦାବୀ ଯାହା କଲେବି ଦିଲୀପ ରାୟ ନିଶ୍ଚିତ ଜିତିବେ ।

ସୌଜନ୍ୟ Prameya News7

Show More

Leave a Reply

Your email address will not be published. Required fields are marked *

Back to top button