Ranveer Pak Connection : ହିରୋଇନ୍ ଥିଲେ ରଣବୀର ସିଂହଙ୍କ ଜେଜେମା, କେମିତି ରହିଛି ପାକିସ୍ତାନ ସହ କନେକ୍ସନ୍ ?
ରଣବୀର ସିଂହଙ୍କ ଜେଜେମା ଥିଲେ ' ଡାନ୍ସିଂ ଲିଲି ଅଫ୍ ପଞ୍ଜାବ '। ଜେଜେମାଆଙ୍କ ଅଭିନୟ ପରମ୍ପରା ଆଗକୁ ବଢ଼େଇଥିଲେ ନାତି ରଣବୀର। ପାକିସ୍ତାନ ସହ ରହିଛି ଖାସ୍ କନେକ୍ସନ।

ମୁମ୍ବାଇ : ବଲିଉଡ୍ ଧୁରନ୍ଧର ରଣବୀର ସିଂହ । ବର୍ତ୍ତମାନ ତାଙ୍କ କ୍ୟାରିଅରର ଶୀର୍ଷରେ ଅଛନ୍ତି। “ଧୁରନ୍ଧର” ଫିଲ୍ମ ପରେ ତାଙ୍କର ଭାଗ୍ୟ ଚମକିଛି । ଏବେ ସେ ବଲିଉଡ୍ ର ମୋଷ୍ଟ ଡିମାଣ୍ଡିଂ ଅଭିନେତାଙ୍କ ମଧ୍ୟରେ ନିଜ ନାଁ ସାମିଲ୍ କରିଛନ୍ତି। ‘ଧୁରନ୍ଧର’ ପରେ ‘ଧୁରନ୍ଧର-2’ କୁ ମିଳିଛି ସଫଳତା। ଫିଲ୍ମର ପ୍ରତ୍ୟେକ ସିନ୍ ରେ ତାଙ୍କର ଚମତ୍କାର ଅଭିନୟ ଦେଖିବାକୁ ମିଳିଛି। ବଲିଉଡ୍ ଇଣ୍ଡଷ୍ଟ୍ରିରେ ତାଙ୍କୁ ମିଳିଛି ଏବେ ହିଟ୍ ଷ୍ଟାରର ଆଖ୍ୟା। ବଡ଼ କଥା ହେଉଛି ରଣବୀର ଏହା ପୂର୍ବରୁ ମଧ୍ୟ ଅନେକ ଥର ତାଙ୍କର ଅଭିନୟ ଦକ୍ଷତା ପ୍ରମାଣିତ କରିଛନ୍ତି। କିନ୍ତୁ ଆପଣ କ’ଣ ଜାଣନ୍ତି ଯେ ରଣବୀରଙ୍କ ଅଭିନୟ ପ୍ରତି ଆଗ୍ରହ କେଉଁଠାରୁ ଆସିଥିଲା? ଏହା ପଛରେ ରହିଛି ତାଙ୍କ ଜେଜେମାଙ୍କ ହାତ। ତାଙ୍କଠାରୁ ହିଁ ରଣବୀର ଅଭିନୟ କଳା ଆସିଛି। ବହୁତ କମ୍ ଲୋକ ଜାଣନ୍ତି ଯେ ରଣବୀରଙ୍କ ଜେଜେମା, ଚାନ୍ଦ ବର୍କ। ବୃତ୍ତିରେ ସେ ମଧ୍ୟ ଜଣେ ଅଭିନେତ୍ରୀ । ଗୋଟିଏ ସମୟରେ, ଇଣ୍ଡଷ୍ଟ୍ରିରେ ତାଙ୍କ ଖୁବ୍ ଲୋକପ୍ରିୟତା ଥିଲା। ଚାନ୍ଦ୍ ଙ୍କର ମଧ୍ୟ ପାକିସ୍ତାନ ସହିତ ଏକ ଖାସ୍ କନେକ୍ସନ ରହିଛି। ଆସନ୍ତୁ ରଣବୀରଙ୍କ ଜେଜେମା, ଚାନ୍ଦ ବର୍କଙ୍କ ବିଷୟରେ…
ଚାନ୍ଦ ବର୍କ କିଏ ଥିଲେ?
ଚାନ୍ଦ ବର୍କ ୧୯୩୨ ମସିହାରେ ପାକିସ୍ତାନର ପଞ୍ଜାବ ପ୍ରଦେଶର ଲୟାଲପୁରରେ (ଯାହା ବର୍ତ୍ତମାନ ଫୈସଲାବାଦ ନାମରେ ଜଣାଶୁଣା) ଏଠାରେ ସେ ଜନ୍ମଗ୍ରହଣ କରିଥିଲେ। ସେ ଏକ ପଞ୍ଜାବୀ ଖ୍ରୀଷ୍ଟିଆନ ପରିବାରରେ ପାଳିତ ହୋଇଥିଲେ। ବାର ଭାଇଭଉଣୀଙ୍କ ମଧ୍ୟରୁ ଜଣେ ଥିଲେ ଚାନ୍ଦ୍। ଚାନ୍ଦଙ୍କ ଜେଜେବାପା ଚୌଧୁରୀ ଆଲ୍ଲାହ ଦିତ୍ତା ଖ୍ରୀଷ୍ଟିଆନ ଧର୍ମ ଗ୍ରହଣ କରିଥିଲେ। ତାଙ୍କ ବାପା ଜାନବ ଖୈରୁଦ୍ଦିନ ସେତେବେଳେ ସ୍କୁଲର ପ୍ରଧାନ ଶିକ୍ଷକ ଥିଲେ। ଏହାସହ ସେ ଉର୍ଦ୍ଦୁ କବିତାର ଲେଖକ ଥିଲେ।
ଚାନ୍ଦ ୧୯୪୬ ମସିହାରେ ନିର୍ଦ୍ଦେଶକ ନିରଞ୍ଜନଙ୍କ ଦ୍ୱାରା ଲିଖିତ ଏକ ପଞ୍ଜାବୀ ଚଳଚ୍ଚିତ୍ର ସହିତ ତାଙ୍କର ଅଭିନୟ ଜୀବନ ଆରମ୍ଭ କରିଥିଲେ। ଏହି ଚଳଚ୍ଚିତ୍ରର ସେଟରେ ନିରଞ୍ଜନଙ୍କ ସହିତ ତାଙ୍କର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ସେ ପଞ୍ଜାବୀ ସିନେମାରେ ଜଣେ ଆଗଧାଡ଼ିର ଷ୍ଟାର ହୋଇଗଲେ। ଜଣେ ଦକ୍ଷ ଅଭିନେତ୍ରୀ ଭାବରେ ସେ ଖୁବ୍ ନାଁ କଲେ। ନୃତ୍ୟର ତାଙ୍କର ପ୍ରତିଭା ବେଶ୍ ଉଚ୍ଚ କୋଟିର ଥିଲା। ଏହି କାରଣରୁ ଚାନ୍ଦ ବର୍କ ‘ ଡାନ୍ସିଂ ଲିଲି ଅଫ୍ ପଞ୍ଜାବ ‘ ଭାବରେ ପରିଚିତ ହେଲେ। ପଞ୍ଜାବୀ ସିନେମାରେ ବେଶ୍ ଲୋକପ୍ରିୟତା ହାସଲ କରିସାରିଥିବା, ଚାନ୍ଦ ପ୍ରସିଦ୍ଧ ରାଜ କପୁରଙ୍କଠାରୁ ବଲିଉଡରେ ତାଙ୍କର ବଡ଼ ବ୍ରେକ୍ ପାଇଥିଲେ। ସେ ତାଙ୍କ ଚଳଚ୍ଚିତ୍ର ‘ବୁଟ୍ ପଲିସ୍’ ରେ ନଜର ଆସିଥିଲେ।
ଚାନ୍ଦ ୧୯୪୬ ମସିହାରେ ସିନେମା ଜଗତରେ ଡେବ୍ୟୁ କରିଥିଲେ। ସେ ଲାହୋରରେ ନିର୍ମିତ ଅନେକ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। କିନ୍ତୁ ଭାରତ ଏବଂ ପାକିସ୍ତାନ ବିଭାଜନ ପରେ ସେ ମୁମ୍ବାଇ ସ୍ଥାନାନ୍ତରିତ ହୋଇଥିଲେ। ଏହା ତାଙ୍କ କ୍ୟାରିଅର ଉପରେ ମଧ୍ୟ ପ୍ରଭାବ ପକାଇଥିଲା। ଏକ ପ୍ରକାରେ, ଚାନ୍ଦଙ୍କ କ୍ୟାରିଅରରେ ପୂର୍ଣ୍ଣଚ୍ଛେଦ ପଡ଼ି ଯାଇଥିଲା। କୁହାଯାଏ ଯେ ମୁମ୍ବାଇରେ ପହଞ୍ଚିବା ପରେ ସେ ପ୍ରାୟ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଲାଇମ୍ ଲାଇଟରୁ ଦୂରେଇ ରହିଥିଲେ। ଶେଷରେ, “ଶୋମ୍ୟାନ୍” ରାଜ କପୁର ତାଙ୍କ ପ୍ରତିଭାକୁ ଚିହ୍ନି ପାରିଥିଲେ। ସେ ‘ବୁଟ୍ ପଲିସ୍’ ଚଳଚ୍ଚିତ୍ରରେ ତାଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ପାଇଁ ନେଇଥିଲେ। ଏହି ଚଳଚ୍ଚିତ୍ରରେ ସେ ଯେଉଁ ଚରିତ୍ରରେ ଅଭିନୀୟ କରିଥିଲେ, ତାହା ଆଜି ପର୍ଯ୍ୟନ୍ତ ଦର୍ଶକଙ୍କ ହୃଦୟରେ ଜୀବିତ ଅଛି। 28 ଡିସେମ୍ବର 2008 ରେ, ଚାନ୍ଦ ଦୁନିଆରୁ ବିଦାୟ ନେଇଥିଲେ।
କେମିତି ଥିଲା ଚାନ୍ଦଙ୍କ ବ୍ୟକ୍ତିଗତ ଜୀବନ
ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ କହିବାକୁ ଗଲେ, ଚାନ୍ଦ ଚଳଚ୍ଚିତ୍ର ଲେଖକ-ନିର୍ଦ୍ଦେଶକ ନିରଞ୍ଜନଙ୍କୁ ବିବାହ କରିଥିଲେ। କିନ୍ତୁ, 1954ରେ ସେମାନଙ୍କର ଛାଡ଼ପତ୍ର ହୋଇଗଲା। ପରବର୍ତ୍ତୀ ସମୟରେ ଚାନ୍ଦ୍, ବ୍ୟବସାୟୀ ସୁନ୍ଦର ସିଂହ ଭବନାନୀଙ୍କୁ ବିବାହ କରିଥିଲେ। ତାଙ୍କର ଦୁଇଟି ସନ୍ତାନ ଝିଅ, ଟୋନିଆ ଏବଂ ପୁଅ, ଜଗଜିତ୍ ଜନ୍ମ ନେଇଥିଲେ। ଜଗଜିତ ହେଉଛନ୍ତି ଅଭିନେତା ରଣବୀର ସିଂହଙ୍କ ବାପା। ଚାନ୍ଦ ସବୁବେଳେ ଚାହୁଁଥିଲେ ତାଙ୍କ ପୁଅ ଅଭିନେତା ହୁଅନ୍ତୁ ବୋଲି। କିନ୍ତୁ ଜଗଜିତ ତାଙ୍କ ପିତାଙ୍କ ପଦାଙ୍କ ଅନୁସରଣ କରି ବ୍ୟବସାୟୀ ହୋଇଥିଲେ। ଯଦିଓ ତାଙ୍କ ପୁଅ ଅଭିନୟ କରିନଥିଲେ, କିନ୍ତୁ ଚାନ୍ଦଙ୍କ ନାତି, ରଣବୀର ସିଂହ ତାଙ୍କ ସ୍ୱପ୍ନ ପୂରଣ କରିଥିଲେ। ସେ ଏତେ ସଫଳ ଅଭିନେତା ଭାବରେ ଉଭା ହୋଇଛନ୍ତି ଯେ ତାଙ୍କ ଫିଲ୍ମଗୁଡ଼ିକ ବକ୍ସ ଅଫିସରେ ନିରନ୍ତର ଭାବେ ହିଟ୍ ସାବ୍ୟସ୍ତ ହେଉଛି। ତାଙ୍କ କ୍ୟାରିଅର ସେ ଏଭଳଇ ମାଇଲଖୁଣ୍ଟ ସୃଷ୍ଟି କରିଛନ୍ତି , ଯାହା ଆଗାମୀ ଦଶନ୍ଧି ଧରି ମନେ ରହିବ। ଏତିକି କହିପାରିବା ଚାନ୍ଦ୍ ଏବେ ନାତି ରଣବୀରଙ୍କ ନିଶ୍ଚିତ ଭାବେ ଗର୍ବି ଅନୁଭବ କରୁଥିବେ।
ସୌଜନ୍ୟ Prameya News7




