ନୂଆଦିଲ୍ଲୀ/ପାନିପତ: ଭାରତର ପ୍ରଧାନ ବିଚାରପତି (ସିଜେଆଇ) ସୂର୍ଯ୍ୟକାନ୍ତଙ୍କ ଏକ ବିବାଦୀୟ ମନ୍ତବ୍ୟକୁ କେନ୍ଦ୍ର କରି ସାରା ଦେଶର ଯୁବପିଢ଼ିଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ତୀବ୍ର ଆକ୍ରୋଶ ଭିତରୁ ଜନ୍ମ ନେଇଥିବା ଅନଲାଇନ୍ ବ୍ୟଙ୍ଗାତ୍ମକ ସଂଗଠନ ‘କୋକରୋଚ୍ ଜନତା ପାର୍ଟି’ (ସିଜେପି) ଏବେ ଏକ ପ୍ରକୃତ ରାଜନୈତିକ ଦଳର ରୂପ ନେବାକୁ ଯାଉଛି। ହରିୟାଣାର ପାନିପତର ଜଣେ ଓକିଲ ସୁଧୀର ଜାଖର ନିଜକୁ ଏହି ଦଳର ଜାତୀୟ ଆହ୍ୱାନକାରୀ ଦର୍ଶାଇ ଦଳର ନାମ ଓ ”କୋକରୋଚ୍” ଲୋଗୋ ସହ ଭାରତୀୟ ନିର୍ବାଚନ କମିଶନ (ଇସିଆଇ) ଙ୍କ ନିକଟରେ ଆନୁଷ୍ଠାନିକ ପଞ୍ଜୀକରଣ ପାଇଁ ମଙ୍ଗଳବାର ଆବେଦନ କରିଛନ୍ତି, ଯାହାକୁ ନେଇ ଜାତୀୟ ରାଜନୀତିରେ ହଲଚଲ ସୃଷ୍ଟି ହୋଇଛି। ପ୍ରତିନିଧିତ୍ୱ ଆକ୍ଟର ଧାରା ‘୨୯ଏ’ ଅନୁଯାୟୀ କରାଯାଇଥିବା ଏହି ଆବେଦନ ଯଦି ଗ୍ରହଣ ହୁଏ, ତେବେ ଆମେରିକାରେ ରହୁଥିବା ଏହାର ମୂଳ ପ୍ରତିଷ୍ଠାତା ଅଭିଜିତ ଦୀପକେଙ୍କ ବଦଳରେ ସୁଧୀର ଜାଖର ଏହି ଦଳର ସମସ୍ତ ଅଫିସିଆଲ୍ ସୋସିଆଲ ମିଡିଆ ହ୍ୟାଣ୍ଡେଲ୍ସ ଉପରେ ନିଜର ଆଇନଗତ ଦାବି ଉପସ୍ଥାପନ କରିପାରିବେ।
ବୋଷ୍ଟନ ବିଶ୍ୱବିଦ୍ୟାଳୟରେ ପଢ଼ୁଥିବା ଏହାର ମୂଳ ପ୍ରତିଷ୍ଠାତା ଅଭିଜିତ ଦୀପକେ ଭାରତ ଆସି ଦଳ ଗଠନ କରିବାକୁ ମନା କରିବା ପରେ, ଯୁବପିଢ଼ିଙ୍କ ଆକ୍ରୋଶ ଓ ଏହି ବଡ଼ ଆନ୍ଦୋଳନକୁ ବଞ୍ଚାଇବା ପାଇଁ ସେ ନିଜେ ଏହାକୁ ପଞ୍ଜୀକରଣ କରିବାକୁ ଆଗେଇ ଆସିଛନ୍ତି ବୋଲି ଓକିଲ ଜାଖର କହିଛନ୍ତି। ଜାଖର ନିର୍ବାଚନ କମିଶନଙ୍କ ନିକଟରେ ଦଳର ଲକ୍ଷ୍ୟ ଭାବେ ସାମ୍ବିଧାନିକ ମୂଳ କର୍ତ୍ତବ୍ୟର ପ୍ରଚାର, ସାମାଜିକ ଅଡିଟ୍, ପରିବେଶ ସୁରକ୍ଷା ଓ ସ୍ୱଚ୍ଛତା ଭଳି ପ୍ରସଙ୍ଗ ରଖିଛନ୍ତି। ତେବେ, ନିର୍ବାଚନ କମିଶନଙ୍କ ନିୟମ ଅନୁଯାୟୀ ପଶୁପକ୍ଷୀଙ୍କ ମଧ୍ୟରେ କେବଳ ସିଂହ ଓ ହାତୀକୁ ଛାଡ଼ି ଅନ୍ୟ କୌଣସି ଜୀବଜନ୍ତୁଙ୍କ ଚିହ୍ନ ପ୍ରଦାନ କରାଯାଉ ନଥିବାରୁ, ଦଳକୁ ନିଜର ପ୍ରିୟ ‘କୋକରୋଚ୍’ ଚିହ୍ନ ମିଳିବା ଆଶା କମ୍ ରହିଛି।
‘କୋକରୋଚ୍ ଜନତା ପାର୍ଟି’ ଏବେ ଏକ ପ୍ରକୃତ ରାଜନୈତିକ ଦଳର ରୂପ ନେବାକୁ ଯାଉଛି
ଉଲ୍ଲେଖଯୋଗ୍ୟ, ନିକଟରେ ସର୍ବୋଚ୍ଚ ଅଦାଲତରେ ବେକାର ଯୁବକମାନଙ୍କୁ ନେଇ ଟିପ୍ପଣୀ କରି ପ୍ରଧାନ ବିଚାରପତି କହିଥିଲେ ଯେ, “କିଛି ଯୁବକ ଅସରପା ଭଳି ଅଛନ୍ତି, ଯେଉଁମାନଙ୍କୁ କୌଣସି ରୋଜଗାର ମିଳେନାହିଁ। ସେମାନେ ମିଡିଆ, ସୋସିଆଲ ମିଡିଆ କିମ୍ବା ଆରଟିଆଇ ଆକ୍ଟିଭିଷ୍ଟ ସାଜି ସମସ୍ତଙ୍କୁ ଆକ୍ରମଣ କରିବା ଆରମ୍ଭ କରନ୍ତି।” ପ୍ରଧାନ ବିଚାରପତିଙ୍କ ଏହି ମନ୍ତବ୍ୟ ବିରୋଧରେ ଦେଶର ଯୁବପିଢ଼ିଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା ଏବଂ ଦେଖୁଦେଖୁ ସୋସିଆଲ ମିଡିଆରେ ‘କୋକରୋଚ୍ ଜନତା ପାର୍ଟି’ ସବୁଠାରୁ ବଡ଼ ଟ୍ରେଣ୍ଡ ପାଲଟିଥିଲା। ଏହି ଡିଜିଟାଲ୍ ଦଳର ଇନଷ୍ଟାଗ୍ରାମ ଫଲୋଅର୍ସ ସଂଖ୍ୟା ଭାରତୀୟ ଜନତା ପାର୍ଟିକୁ ମଧ୍ୟ ପଛରେ ପକାଇ ଦେଇଥିବା ବେଳେ ଗତ ଗୁରୁବାର ଭାରତରେ ଏହାର ”ଏକ୍ସ” ଆକାଉଣ୍ଟକୁ ପ୍ରତିବନ୍ଧିତ କରାଯାଇଛି।
ସୌଜନ୍ୟ ସମ୍ବାଦ