ଦେଶ ବିଦେଶ

Rath Yatra: ସିଡନୀରେ ପାଳିତ ହେଲା ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା

ସିଡନୀର ବ୍ଲାକଟାଉନ୍ ଶୋଗ୍ରାଉଣ୍ଡ ଠାରେ ଶ୍ରୀ ଜଗନ୍ନାଥ କନ୍ସିଅସନେସ୍ ଏଏନଜେଡ୍, ସିଡନୀର ଓଡ଼ିଆ ସମୁଦାୟ ଏବଂ ବହୁସାଂସ୍କୃତିକ ସମୁଦାୟର ମିଳିତ ଆୟୋଜନରେ ପବିତ୍ର ଶ୍ରୀଜଗନ୍ନାଥ ରଥଯାତ୍ରା ଭବ୍ୟ ଓ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଥିଲା।

ସିଡନୀ:ଶ୍ରୀ ଜଗନ୍ନାଥ କନ୍ସିଅସନେସ୍ ଏଏନଜେଡ୍ (SJC ANZ), ସିଡନୀ ଏବଂ ଅଷ୍ଟ୍ରେଲିଆର ଓଡ଼ିଆ ସମୁଦାୟ ଶ୍ରୀଜଗନ୍ନାଥ ଭକ୍ତି, ଓଡ଼ିଆ ସଂସ୍କୃତି ଓ ପରମ୍ପରାର ପ୍ରଚାର ଓ ପ୍ରସାର କ୍ଷେତ୍ରରେ ନିରନ୍ତର ନୂତନ ଅଧ୍ୟାୟ ସୃଷ୍ଟି କରୁଛନ୍ତି। ଆୟୋଜକମାନେ ରଥଯାତ୍ରା ମହୋତ୍ସବରେ ସମଗ୍ର ସିଡନୀ ଏବଂ ଅଷ୍ଟ୍ରେଲିଆବାସୀଙ୍କୁ ଯୋଗଦେଇ ପ୍ରଭୁଙ୍କ ଦର୍ଶନ ଓ ଆଶୀର୍ବାଦ ଲାଭ କରିବା ପାଇଁ ଆହ୍ୱାନ କରିଥିଲେ।

ଜୁଲାଇ ୧୯ ତାରିଖରେ ସିଡନୀର ବ୍ଲାକଟାଉନ୍ ଶୋଗ୍ରାଉଣ୍ଡ ଠାରେ ଶ୍ରୀ ଜଗନ୍ନାଥ କନ୍ସିଅସନେସ୍ ଏଏନଜେଡ୍, ସିଡନୀର ଓଡ଼ିଆ ସମୁଦାୟ ଏବଂ ବହୁସାଂସ୍କୃତିକ ସମୁଦାୟର ମିଳିତ ଆୟୋଜନରେ ପବିତ୍ର ଶ୍ରୀଜଗନ୍ନାଥ ରଥଯାତ୍ରା ଭବ୍ୟ ଓ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ପ୍ରଭୁ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଏବଂ ଚକ୍ରରାଜ ସୁଦର୍ଶନଙ୍କ ପହଣ୍ଡି ବିଜେ, ରଥଟଣା, ଭଜନ-କୀର୍ତ୍ତନ, ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ମହାପ୍ରସାଦ ସେବନ ଉତ୍ସବର ପ୍ରମୁଖ ଆକର୍ଷଣ ଥିଲା।

ଏହି ମହୋତ୍ସବର ସମସ୍ତ ନୀତିକାନ୍ତି ସିଡନୀ ଶ୍ରୀଜଗନ୍ନାଥ ମନ୍ଦିରର ନିୟୋଜିତ ପୂଜକମାନଙ୍କ ସହ ସିଡନୀର ବିଶିଷ୍ଟ ପୁରୋହିତମାନଙ୍କ ଦ୍ୱାରା ଶ୍ରୀମନ୍ଦିର, ପୁରୀର ପାରମ୍ପରିକ ବିଧିବିଧାନ ଅନୁଯାୟୀ ସମ୍ପନ୍ନ କରାଯାଇଥିଲା। ମହାପ୍ରସାଦ ମନ୍ଦିରର ସ୍ୱେଚ୍ଛାସେବକମାନଙ୍କ ଦ୍ୱାରା ଗଭୀର ଭକ୍ତିଭାବ ଓ ନିଷ୍ଠା ସହ ପ୍ରସ୍ତୁତ କରାଯାଇଥିଲା। ଖିଚୁଡ଼ି ଭୋଗ ସହିତ ଛପନ ଭୋଗର ବିଭିନ୍ନ ପାରମ୍ପରିକ ବ୍ୟଞ୍ଜନ ମହାପ୍ରଭୁଙ୍କୁ ନିବେଦନ କରାଯାଇଥିଲା। ସହସ୍ରାଧିକ ଭକ୍ତ ମହାପ୍ରସାଦ ସେବନ କରି ନିଜକୁ ଧନ୍ୟ ଓ ଗୌରବାନ୍ୱିତ ମନେ କରିଥିଲେ।

ଏହା ବ୍ୟତୀତ ଓଡ଼ିଶୀ ନୃତ୍ୟ, ବେଦପାଠ, ଭକ୍ତି ସଙ୍ଗୀତ ଏବଂ ବିଭିନ୍ନ ସାଂସ୍କୃତିକ ଉପସ୍ଥାପନା ସମାବେଶିତ ହୋଇଥିଲା। ବିଶେଷକରି ସିଡନୀର କୁନି କୁନି ପିଲାମାନଙ୍କ ଦ୍ୱାରା ବେଦପାଠ ଏବଂ ସାଂସ୍କୃତିକ ପରିବେଷଣ ଉପସ୍ଥିତ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା।

ଅଷ୍ଟ୍ରେଲିଆର ପ୍ରଥମ ଏବଂ ଏକମାତ୍ର ଶ୍ରୀଜଗନ୍ନାଥ ମନ୍ଦିରର ଆୟୋଜନରେ ଅନୁଷ୍ଠିତ ଏହି ମହୋତ୍ସବ ଅଷ୍ଟ୍ରେଲିଆରେ ବସବାସ କରୁଥିବା ଶ୍ରୀଜଗନ୍ନାଥ ଭକ୍ତମାନଙ୍କ ପାଇଁ ଏକ ଚିରସ୍ମରଣୀୟ ଅଧ୍ୟାୟ ସୃଷ୍ଟି କରିଛି। ଏହି ଉତ୍ସବରେ କେବଳ ଓଡ଼ିଆ ସମୁଦାୟ ନୁହେଁ, ଭାରତର ବିଭିନ୍ନ ରାଜ୍ୟରୁ ଆସିଥିବା ପ୍ରବାସୀ ଭାରତୀୟ, ବହୁସାଂସ୍କୃତିକ ସମୁଦାୟର ସଦସ୍ୟ ଏବଂ ସ୍ଥାନୀୟ ଅଷ୍ଟ୍ରେଲିୟ ଭକ୍ତମାନେ ମଧ୍ୟ ଯୋଗଦେଇଥିଲେ। ଏହା ମାଧ୍ୟମରେ ପ୍ରଭୁ ଜଗନ୍ନାଥଙ୍କ ସାର୍ବଜନୀନ ଭାବନା ଏବଂ “ବସୁଧୈବ କୁଟୁମ୍ବକମ୍”ର ଆଦର୍ଶ ପୁଣିଥରେ ପ୍ରତିଫଳିତ ହୋଇଥିଲା।

ପ୍ରଥମ ଥର ପାଇଁ ଦେବସ୍ନାନ ପୂର୍ଣ୍ଣିମା ମହୋତ୍ସବ

ଏହା ପୂର୍ବରୁ, ଗତ ଜୁନ୍ ୨୯, ୨୦୨୬ (ଜ୍ୟେଷ୍ଠ ପୂର୍ଣ୍ଣିମା) ଦିନ ସିଡନୀର କ୍ୟାସଲ୍ ହିଲ୍ ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିରରେ ପ୍ରଥମ ଥର ପାଇଁ ଦେବସ୍ନାନ ପୂର୍ଣ୍ଣିମା ମହୋତ୍ସବ ଐତିହାସିକ ଭାବରେ ପାଳିତ ହୋଇଥିଲା। ଶ୍ରୀକ୍ଷେତ୍ର ପୁରୀର ପରମ୍ପରା ଅନୁଯାୟୀ ସମସ୍ତ ନୀତିକାନ୍ତି ସମ୍ପନ୍ନ କରାଯାଇଥିଲା। ପାରମ୍ପରିକ ପହଣ୍ଡି ବିଜେରେ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର, ମା’ ସୁଭଦ୍ରା ଏବଂ ଚକ୍ରରାଜ ସୁଦର୍ଶନଙ୍କୁ ସ୍ନାନମଣ୍ଡପକୁ ବିଜେ କରାଯାଇଥିଲା। ପରେ ସୁଗନ୍ଧିତ ଜଳରେ ପୂର୍ଣ୍ଣ ୧୦୮ଟି କଳସ ଦ୍ୱାରା ମହାସ୍ନାନ ନୀତି ସମ୍ପନ୍ନ ହୋଇଥିଲା।

ସ୍ନାନନୀତି ପରେ ଭକ୍ତମାନେ ମହାପ୍ରଭୁଙ୍କ ଦୁର୍ଲଭ ଏବଂ ପବିତ୍ର ଗଜାନନ ବେଶ ଦର୍ଶନର ସୌଭାଗ୍ୟ ଲାଭ କରିଥିଲେ। ଏହି ପବିତ୍ର ଅବସରରେ ସିଡନୀ ଏବଂ ଏହାର ଆଖପାଖ ଅଞ୍ଚଳରୁ ୩୦୦ରୁ ଅଧିକ ଭକ୍ତ, ଶୁଭେଚ୍ଛୁ ଏବଂ ବିଭିନ୍ନ ସମୁଦାୟର ଲୋକମାନେ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ। ଦିନସାରା ଭକ୍ତମାନେ ପବିତ୍ର ନୀତିକାନ୍ତି ଦର୍ଶନ କରିବା ସହ ପ୍ରଭୁଙ୍କ ଆଶୀର୍ବାଦ ଲାଭ କରିଥିଲେ।

ଜୁଲାଇ ୧୪ ତାରିଖରେ ମନ୍ଦିର ପରିସରରେ ନବଯୌବନ ଦର୍ଶନ ଓ ନେତ୍ରୋତ୍ସବ ପାଳିତ ହୋଇଥିଲା। ଦେବସ୍ନାନ ପୂର୍ଣ୍ଣିମା ପରେ ଅନସର କାଳ ଶେଷ ହେବା ପରେ ମହାପ୍ରଭୁଙ୍କ ନବୀନ ଓ ଯୌବନମୟ ରୂପ ଦର୍ଶନ କରିବାର ପବିତ୍ର ସୌଭାଗ୍ୟ ଭକ୍ତମାନେ ଲାଭ କରିଥିଲେ।

ଶ୍ରୀ ଜଗନ୍ନାଥ କନ୍ସିଅସନେସ୍ ଏଏନଜେଡ୍ ପରିଚାଳିତ ମନ୍ଦିରରେ ନିୟମିତ ଦୈନିକ ପୂଜା, ପର୍ବପର୍ବାଣୀ ଏବଂ ସମସ୍ତ ବିଶେଷ ନୀତିକାନ୍ତି ଶ୍ରୀମନ୍ଦିର ପୁରୀର ପରମ୍ପରା ଅନୁଯାୟୀ ପାଳନ କରାଯାଉଛି। ବିଦେଶରେ ବସବାସ କରୁଥିବା ଭାରତୀୟ ଏବଂ ଜଗନ୍ନାଥ ଭକ୍ତମାନଙ୍କ ମଧ୍ୟରେ ପ୍ରଭୁ ଜଗନ୍ନାଥଙ୍କ ପରମ୍ପରା, ଓଡ଼ିଆ ସଂସ୍କୃତି ଏବଂ ଆଧ୍ୟାତ୍ମିକ ସଚେତନତାକୁ ବିଶ୍ୱସ୍ତରରେ ପ୍ରସାର କରିବା ଦିଗରେ ଏହା ଏକ ଉଲ୍ଲେଖନୀୟ ଏବଂ ପ୍ରେରଣାଦାୟକ ପଦକ୍ଷେପ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button